ଟିକେଟ କାଟିଲେ, ବସରେ ବୁଲିଲେ ମୁଖ୍ୟମନ୍ତ୍ରୀ ।

‘ମୋ ବସ୍’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଲେ ମୁଖ୍ୟମନ୍ତ୍ରୀ । ବସରେ ବସି ବିଧାନସଭା ଆସିଲେ ମୁଖ୍ୟମନ୍ତ୍ରୀ ।

1,151

କନକ ବ୍ୟୁରୋ: ଆଜି ଠାରୁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଛି ‘ ମୋ ବସ’ ସେବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦର ଠାରେ ‘ ମୋ ବସ୍’ସେବାର ଶୁଭ ଉଦଘାଟନ କରିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ନବୀନ ପଟ୍ଟନାୟକ ବସ ଚଢ଼ି ବିଧାନସଭାକୁ ଆସିଛନ୍ତି । ସାଧାରଣ ଲୋକଙ୍କ ଭଳି କୌଣସି ବିନା ପ୍ରୋଟୋକଲରେ ବସରେ ଯାତ୍ରା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୮ଟଙ୍କା ମୂଲ୍ୟର ଟିକେଟ ପାଇଁ ମୁଖ୍ୟମନ୍ତ୍ରୀ ବସର ଟିକଟ ବାବଦରେ ବସ ଗାଇଡ଼ଙ୍କୁ ୧୦ ଟଙ୍କା ଦେଇଥିଲେ । ଏବଂ ଗାଇଡ଼ ମୁଖ୍ୟମନ୍ତ୍ରୀଙ୍କୁ ୨ଟଙ୍କା ଫେରସ୍ତ କରିଥିବା ଦେଖିବାକୁ ମିଳିଥିଲା । ରାସ୍ତାରେ ଯାତ୍ରୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ଯାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପାଖରେ ପାଇ ସେଲ୍ଫି ଉଠାଇଥିଲେ । ସବୁଠାରୁ ବଡ଼ କଥା ହେଲା ଯେ ମୁଖ୍ୟମନ୍ତ୍ରୀଙ୍କ ବସ୍ ଯାତ୍ରା ସମୟରେ କୌଣସି ସୁରକ୍ଷା କର୍ମଚାରୀ ବସରେ ଉପସ୍ଥିତ ନଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବସ୍ ଗୁଡ଼ିକର କଣ୍ଡକ୍ଟର ମାନଙ୍କୁ ବସ୍ ଗାଇଡ୍ କୁହାଯିବ । ଏବଂ ବସ୍ ଗାଇଡ୍ ପାଇଁ ୫୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦିଆଯିବ ।

ତେବେ ଏହି ମୋ ବସ ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଛି । ଏହି ମୋ ସେବା ଆରମ୍ଭ ସହିତ ରାଜଧାନରେ ଏହି ବର୍ଗର ଶହେଟି ବସ ଆଜି ଠାରୁ ସେବା ପ୍ରଦାନ ଆରମ୍ଭ କରିଛନ୍ତି । ଆଉ ୩ଶହ ବସ୍ ଖୁବ୍ ଶୀଘ୍ର ରାଜଧାନୀ ରାଜରାସ୍ତାରେ ଗଡ଼ିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।