ସଚିନ ତେନ୍ଦୁଲକରଙ୍କ ଗୁରୁ ରମାକାନ୍ତ ଆଚରେକରଙ୍କ ନିଧନ ! ୮୭ ବର୍ଷ ବୟସରେ ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କଲେ

321

କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ କୋଚ୍ ରମାକାନ୍ତ ଆଚରେକରଙ୍କ ନିଧନ । ୮୭ ବର୍ଷ ବୟସରେ ବୁଧବାର ମୁମ୍ବାଇରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ସଚିନଙ୍କ ଗୁରୁ । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କ୍ରିକେଟର ଭଗବାନ ଭାବେ ଗଢି ତୋଳିବା ପଛରେ ଆଚରେକରଙ୍କ ସବୁଠୁ ବଡ ଯୋଗଦାନ ରହିଥିଲା । ଆଚରେକର ଛୋଟବେଳୁ ହିଁ ସଚିନଙ୍କୁ କ୍ରିକେଟ ଖେଳିବା ଶିଖାଇଛନ୍ତି ।

କ୍ରିକେଟ ମୈଦାନରେ ଛକା ଓ ଚୌକାର ବର୍ଷା କରୁଥିବା ସଚିନ ସଫଳତାର ଶୀର୍ଷରେ ପହଞ୍ଚିବା ପଛରେ ଆଚରେକରଙ୍କର ହାତ ରହିଛି । ଆଉ ଏକଥାକୁ ସଚିନ ମଧ୍ୟ ସବୁବେଳେ ମାନିଥାନ୍ତି । ଆଚରେକର କେବଳ ସଚିନଙ୍କୁ ନୁହେଁ ବରଂ ବିନୋଦ କାମ୍ବଲି, ଅଜିତ ଅଗରକର, ଚନ୍ଦ୍ରକାନ୍ତ ପଣ୍ଡିତ ଓ ପ୍ରବୀଣ ଆମ୍ରେଙ୍କ ଭଳି ଖେଳାଳିଙ୍କୁ ଗଢି ତୋଳିଛନ୍ତି । ଆଉ ଆଚରେକରଙ୍କ ମୃତ୍ୟୁ ଖବର ଶୁଣି ଭାରତୀୟ କ୍ରିକେଟ ଜଗତରେ ଶୋକର ଲହରୀ ଖେଳି ଯାଇଛି ।

୧୯୩୨ ମସିହାରେ ଆଚରେକରଙ୍କର ଜନ୍ମ ଗ୍ରହଣ କରିଥିଲେ । ପରେ କ୍ରିକେଟ ପାଇଁ ତାଙ୍କର ମହତ୍ୱପୂର୍ଣ୍ଣ ଯୋଗଦାନକୁ ଦୃଷ୍ଟିରେ ରଖି ୧୯୯୦ରେ ତାଙ୍କୁ ଦ୍ରୋଣାଚାର୍ଯ୍ୟ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପରେ ୨୦୧୦ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏପରିକି ୨୦୧୦ରେ ମଧ୍ୟ ଭାରତୀୟ କ୍ରିକେଟ ଦଳର ପୂର୍ବତନ କୋଚ ଗ୍ୟାରୀ କର୍ଷ୍ଟେନଙ୍କ ଦ୍ୱାରା ଲାଇଫ୍ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ ହୋଇଥିଲେ ।