ଥଣ୍ଡା ପାଣିରେ ଏହି ଚାଉଳରୁ ପ୍ରସ୍ତୁତ ହେଉଛି ଭାତ ! ଏହି ଚାଉଳର ଚମତ୍କାରୀ ଗୁଣ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ ।

1,023

ପ୍ରତିଦିନ ଖାଦ୍ୟରେ ଆପଣ ଭାତ ଖାଉଥିବେ । ଆଉ ଭାତ ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ଆପଣଙ୍କୁ ଜଣାଥିବ । ପ୍ରଥମେ ପାଣି ଗରମ କରି ସେଥିରେ ଚାଉଳ ପକାଇବାର ଦାର୍ଘ ସମୟ ପରେ ଭାତ ପ୍ରସ୍ତୁତ ହୋଇଥାଏ । ତେବେ, ଆପଣ ଏମିତି କେବେ ଭାବିଛନ୍ତି କି, ଥଣ୍ଡା ପାଣିରେ ଚାଉଳ ପକେଇଦେବେ, ଆଉ ତାହା ଅଳ୍ପ ସମୟ ମଧ୍ୟରେ ହିଁ ଭାତ ହୋଇଯିବ । ଆପଣଙ୍କ ଏହି ଭାବନା ଏବେ ସତ ହେବାକୁ ଯାଉଛି ।

ଚାଷୀ ହାତରେ ଏମିତି ଏକ ଯାଦୁ ସମ୍ଭବ ହୋଇପାରିଛି, ଯେଉଁ ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ପଶ୍ଚିମବଙ୍ଗରେ ଚାଷୀମାନେ ଏପରି ଏକ ଧାନ ଚାଷ କରୁଛନ୍ତି, ଯେଉଁ ଚାଉଳକୁ ରାନ୍ଧିବା ପାଇଁ ଗରମ ପାଣିର ଆବଶ୍ୟକତା ନାହିଁ । ଏହା ହୁଏତ ଆପଣଙ୍କୁ ବିଶ୍ୱାସ ହେଉନଥିବ, କିନ୍ତୁ ଏହା ସତ ଅଟେ । ଆଉ ଏହି ସ୍ୱତନ୍ତ୍ର ପ୍ରକାର ଚାଉଳକୁ ‘କମଲ’ ବୋଲି କୁହାଯାଇଥାଏ । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାମାନ୍ୟ ଥଣ୍ଡା ପାଣିରେ ଏହି ଚାଉଳକୁ ପକାଇବା ଦ୍ୱାରା କିଛି ସମୟ ମଧ୍ୟରେ ହିଁ ଏଥିରୁ ଭାତ ହୋଇଯାଇଥାଏ । ଆଉ ବିଗତ ଦିନ ମାନଙ୍କରେ ପଶ୍ଚିମବଙ୍ଗର ବର୍ଦ୍ଧମାନ, ନଦିୟା ସମେତ ଅନ୍ୟ କେତେକ ଜିଲ୍ଲାରେ ଏଭଳି ଚାଉଳର ଚାଷ କରାଯାଉଛି ।

ତେବେ ଏହି ପ୍ରସଙ୍ଗରେ ସହାୟକ କୃଷି ନିର୍ଦ୍ଦେଶକ ଅନୁପମ ପାଲ କହିଛନ୍ତି, ଏହି ଧାନ ବିଶେଷ କରି, ବ୍ରହ୍ମପୁର ନଦୀ କୂଳରେ ମାଜୁଲୀ ଦ୍ୱିପରେ ହୋଇଥାଏ । ଆଉ କୁହାଯାଉଛି ଯେ, କିଛି ଚାଷୀ ଏହାକୁ ପଶ୍ଚିମବଙ୍ଗକୁ ଆଣିଥିଲେ । ଆଉ ସବୁଠାରୁ ବଡ କଥା ହେଉଛି, ପଶ୍ଚିମବଙ୍ଗ ମାଟିରେ ମଧ୍ୟ ଏହି ଚାଷ ସମ୍ଭବ ହୋଇପାରିଛି । ଏହା ସହ ପଶ୍ଚିମବଙ୍ଗ ସରକାର ଏହାର ବ୍ୟବସାୟିକ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ପାଇଁ ଘୋଷଣା କରିଛନ୍ତି ।

ତେବେ ଆସନ୍ତୁ ଜାଣିବା ଏହି ସ୍ୱତନ୍ତ୍ର ଚାଉଳ ବାବଦରେ ଆଉ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କମଲ ଚାଉଳର ବିଶେଷତ୍ୱ ହେଉଛି ଯେ, ଏହାକୁ ଉତ୍ପାଦନ କରିବା ପାଇଁ କେବଳ ଜୈବିକ ସାର ବ୍ୟବହାର କରାଯାଇଥାଏ । ଏବଂ ନଦିୟା ଜିଲ୍ଲାରେ ଏହାର ପ୍ରୟୋଗ ୧୦ ହେକ୍ଟର ଜମିରେ କରାଯାଉଛି । ଆଉ ଏହାର ଭଲ ପରିଣାମ ମଧ୍ୟ ମିଳିଛି ।

କମଲ ଧାନ ଚାଷ କରୁଥିବା କିଛି କୃଷକ କହିଛନ୍ତି ଯେ, ଏହି ଚାଉଳର ବ୍ୟବହାର ଶହ ଶହ ବର୍ଷ ପୂର୍ବେ ସୈନିକମାନେ କରୁଥିଲେ । ସୀମାରେ ଶତ୍ରୁପକ୍ଷଙ୍କ ସହ ଯେତେବେଳେ ଯୁଦ୍ଧ ଚାଲିଥାଏ, ସେତେବେଳେ ଖାଦ୍ୟ ରୋଷେଇ ପାଇଁ ଅନେକ ଅସୁବିଧା ସୃଷ୍ଟି ହୋଇଥାଏ । ଏପରିକି ସୈନିକମାନେ ଅନେକ ଦିନ ଧରି ଅଖିଆ ଅପିଆ ଯୁଦ୍ଧ କରିଥାନ୍ତି । ଆଉ ସେହି ସମୟରେ କମଲ ଚାଉଳ ସୈନିକମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥିଲା । ସୈନିକମାନେ ଏହି ଚାଉଳକୁ ଥଣ୍ଡା ପାଣିରେ ପକାଉଥିଲେ । ଆଉ କିଛି ସମୟ ମଧ୍ୟରେ ହିଁ ଏଥିରୁ ଭାତ ହୋଇଯାଉଥିଲା ।

ସହାୟକ କୃଷି ନିର୍ଦ୍ଦେଶକ ଅନୁପମ ପାଲ କହିଛନ୍ତି, ଆପଣମାନେ ଖାଉଥିବା ଅନ୍ୟ ଚାଉଳ ଭଳି, ଏହି କମଲ ଚାଉଳରେ ମଧ୍ୟ କାର୍ବୋହାଇଡ୍ରେଡ୍ ଏବଂ ପ୍ରୋଟିନ୍ ଭଳି ପୁଷ୍ଟିକର ତତ୍ୱ ରହିଛି । ତେବେ ଆପଣ ଭାବୁଥିବେ, ଏହି ଚାଉଳର ମୂଲ୍ୟ ଅତ୍ୟନ୍ତ ଅଧିକ ହୋଇଥିବ । ତେବେ ଆପଣଙ୍କ ଚିନ୍ତା ପୁରା ଭୁଲ୍ ଅଟେ । କମଲ ଧାନ ଚାଷ କରୁଥିବା ଚାଷୀମାନେ କହିଛନ୍ତି ଯେ, ଏହି ଚାଷ ଅତ୍ୟନ୍ତ ଲାଭଦାୟକ ଅଟେ । ଆଉ ବଜାରରେ ଏହି ଚାଉଳ ୬୦ ଟଙ୍କାରୁ ୮୦ ଟଙ୍କା ମଧ୍ୟରେ ଉପଲବ୍ଧ ହେବ ।