ଆରବିଆଇ-ସରକାର ବିବାଦ । ୯ ଘଣ୍ଟା ପରେ ବାହାରିଲା ସମାଧାନର ବାଟ, କ୍ଷୁଦ୍ର ଓ ଲଘୁ ବ୍ୟବସାୟୀଙ୍କୁ ୨୫ କୋଟି ଯାଏଁ ଋଣ

145

କନକ ବ୍ୟୁରୋ : କେନ୍ଦ୍ର ଓ ଆରବିଆଇ ବିବାଦରେ ବାହାରିଲା ସମାଧାନର ବାଟ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକରେ ସମାଧାନର ବାଟ ବାହାରିଥିବା କୁହାଯାଉଛି । ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ଓ ୪ଜଣ ଡେପୁଟି ଗଭର୍ଣ୍ଣରଙ୍କ ସହ ଅର୍ଥ ମନ୍ତ୍ରଣାଳୟର ପ୍ରତିନିଧି ଏଥିରେ ଯୋଗ ଦେଇଥିବା ବେଳେ ୯ ଘଣ୍ଟା ଧରି ବୈଠକ ଚାଲିଥିଲା । ବୈଠକରେ ରିଜର୍ଭ ବ୍ୟାଙ୍କ ନିକଟରେ ଥିବା ସଂରକ୍ଷିତ ପାଣ୍ଠିରେ କେତେ ପରିମାଣର ପାଣ୍ଠି ରହିବ ସେଥିପାଇଁ ଉଚ୍ଚସ୍ତରୀୟ କମିଟି ଗଠନର ନିଷ୍ପତି ନିଆଯାଇଛି ।

ବୈଠକରେ କ୍ଷୁଦ୍ର ବ୍ୟବସାୟୀଙ୍କୁ ୨୫ କୋଟି ଟଙ୍କାର ଋଣ ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଛି । ଆରବିଆଇ ନିକଟରେ ଥିବା ୯ ଲକ୍ଷ ୬୯ ହଜାର କୋଟି ଟଙ୍କାରୁ ୩ ଲକ୍ଷ କୋଟି ଟଙ୍କା ଦେବାକୁ ସରକାର ଚାପ ପକାଉଛନ୍ତି । କିନ୍ତୁ ଏହାକୁ ନେଇ ରିଜର୍ଭ ବ୍ୟାଙ୍କ ଆପତି ଉଠାଇଥିଲା । ତେବେ ସମ୍ଭାବ୍ୟ ଜରୁରୀକାଳିନ ସ୍ଥିତି ପାଇଁ ଟଙ୍କା ଗଛିତ କରି ରଖାଯିବା ଦରକାରବୋଲି ଆରବିଆଇ କହିଛି ।

ସଂରକ୍ଷିତ ପାଣ୍ଠି ପାଇଁ ବିଶେଷଜ୍ଞ କମିଟି ଗଠନର ନିଷ୍ପତି ନିଆଯାଇଥିବା ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କିଛି ଦିନ ପୂର୍ବରୁ ଭାରତୀୟ ରିଜର୍ଭ ବ୍ୟାଙ୍କ ଓ କେନ୍ଦ୍ର ସରକାର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରିଜର୍ଭ ବ୍ୟାଙ୍କ ଡେପୁଟି ଗଭର୍ନର ବିରଲ୍ ଆଚାର୍ଯ୍ୟ କେନ୍ଦ୍ର ବିରୋଧରେ ସ୍ୱାୟତତା ହ୍ରାସର ଅଭିଯୋଗ ଆଣିବା ପରେ ମୁହାଁମୁହିଁ ହୋଇଥିଲେ କେନ୍ଦ୍ର ଓ ଆରବିଆଇ ।