ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା : ଜବତ ହୋଇଥିବା ୧୦୦୦ ଲିଟର ମଦ ପିଇଗଲେ ମୂଷା 

161

କନକ ବ୍ୟୁରୋ : ଉତ୍ତରପ୍ରଦେଶରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପୋଲିସ ଦ୍ୱାରା ଜବତ କରାଯାଇଥିବା ଏକ ହଜାର ଲିଟର ମଦ ମୂଷା ପିଇନେଇଥିବା ଘଟଣା ସାମ୍ନାକୁ ଆସିଛି ।  ଉତ୍ତର ପ୍ରଦେଶର ବରେଲି କ୍ୟାଣ୍ଟନମେଣ୍ଟ୍ ପୁଲିସ ଥାନାରେ ଥିବା ଷ୍ଟୋର ରୁମରେ ଥିବା ଏକ ହଜାର ଲିଟର ମଦ ଉଭାନ୍ ହୋଇଯାଇଛି । ସେହି ଥାନାର କର୍ମଚାରୀମାନେ କହୁଛନ୍ତି ଯେ ମୂଷାମାନେ ଏକ ହଜାର ଲିଟର ମଦ ପିଇ ଦେଇଛନ୍ତି । ଆଗରୁ ମୂଷାମାନେ ଏଭଳି ମଦ ପିଇ ଦେଇଥିବାର ଅଭିଯୋଗ ବିହାର ଓ ଝାଡଖଣ୍ଡରେ ଆସିଥିଲା । ପୁଲିସ ଅଧୀକ୍ଷକ ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ।

କ୍ୟାଣ୍ଟନମେଣ୍ଟ ଥାନାକୁ ନୂଆକରି ମୁଖ୍ୟ କିରାଣୀ ଭାବେ ନିଯୁକ୍ତ ହୋଇଥିବା ନରେଶ ପାଲ୍ ମାଲ୍ଖାନାର କବାଟ ଖୋଲିବା ପରେ କେତେକ ମୂଷା ବୁଲୁଥିବାର ଦେଖିଲେ । ଜଣେ ପ୍ରାଣୀ ବିଜ୍ଞାନ ପ୍ରଫେସର କହିଛନ୍ତି ଯେ ପାଣି ନ ମିଳିଲେ ମୂଷା ମଦ ପିଇ ପାରନ୍ତି, କିନ୍ତୁ ଏକ ହଜାର ଲିଟର ମଦ ପିଇବା ସମ୍ଭବ ନୁହେଁ । ଆଗରୁ ବିହାରରେ ପୁଲିସ ଜବତ କରିଥିବା ନଅ ଲକ୍ଷ ଲିଟରରୁ ଅଧିକ ପରିମାଣର ମଦ ମୂଷାମାନେ ନଷ୍ଟ କରିଥିବାର ମଧ୍ୟ ଅଭିଯୋଗ କରିଛନ୍ତି ।