ଆକଳନ ହେବ ମହାପ୍ରଭୂଙ୍କ ରତ୍ନ ଅଳଙ୍କାର: ମିଳୁନି ଶ୍ରୀମନ୍ଦିର ରତ୍ନଭଣ୍ଡାରର ଚାବି,ଭଙ୍ଗା ଯାଇପାରେ ତାଲା

34

କନକ ବ୍ୟୁରୋ: ଆକଳନ ହେବ ମହାପ୍ରଭୁଙ୍କ ରତ୍ନ ଅଳଙ୍କାର । ଶ୍ରୀମନ୍ଦିର ଆଇନରେ ପ୍ରତି ୩ ବର୍ଷରେ ଥରେ ରତ୍ନଭଣ୍ଡାର ଆକଳନ କରିବାର ନିୟମ ଥିବାରୁ ଏହାକୁ ଆକଳନ କରାଯିବ । ଭୁବନେଶ୍ୱରରେ ବସିଥିବା ଶ୍ରୀଜଗନ୍ନାଥ ପରିଚାଳନା କମିଟି ବୈଠକରେ ଏହି ନିଷ୍ପତି ନିଆଯାଇଛି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମିଳୁନି ରତ୍ନଭଣ୍ଡାର ଚାବି । ଚାବି ଅଛି କି ନାହିଁ ତାହା ବି ସ୍ପଷ୍ଟ ହୋଇନାହିଁ । ଚାବି ନ ଥିଲେ ଭଙ୍ଗାଯିବାଲାଗି ମନ୍ଦିର ପରିଚାଳନା କମିଟି ଅନୁମତି ଦେବାକୁ ବୈଠକରେ ନିବେଦନ କରାଯାଇଛି । ଗତ ଏପ୍ରିଲ ୪ ତାରିଖରେ ରତ୍ନଭଣ୍ଡାର ଖୋଲିବା ଦିନ ଚାବି ନମିଳିବାରୁ ରତ୍ନଭଣ୍ଡାର ଖୋଲାଯାଇନଥିବା କଥା ବୈଠକ ବିବରଣୀରେ ସ୍ପଷ୍ଟ କରାଯାଇଛି । ଫଳରେ ଗ୍ରୀଲ ଦ୍ୱାର ବାଟେ ସର୍ଚ ଲାଇଟରେ ଭଣ୍ଡାର ଯାଂଚ ହୋଇଥିଲା । ଚାବି ନ ମିଳିବାରୁ ପରିଚାଳନା କମିଟିର ବିନା ଅନୁମତିରେ ଚାବି ଭାଙ୍ଗିବା ଠିକ୍ ନଥିଲା ବୋଲି ଭଣ୍ଡାର ଖୋଲିବା ସମୟରେ ସମସ୍ତ ସଭ୍ୟ ମତ ରଖି ଫେରିଆସିଥିବା ମନ୍ଦିର ପ୍ରଶାସନ ବୈଠକରେ କହିଥିଲେ ।

ଉଲ୍ଲେଖ ଥାଉ କି, ଚଳିତ ମାସ ଏପ୍ରିଲ ୪ ତାରିଖରେ ଖୋଲାଯାଇଥିଲା ରତ୍ନଭଣ୍ଡାର । ଯାଞ୍ଚ ପରେ ରତ୍ନଭଣ୍ଡାରରେ ଫାଟ ରହିଛି, ଛାତ ଓ କାନ୍ଥ ଓଦା ଥିବା କଥା କହିଥିଲେ ଶ୍ରୀମନ୍ଦିର ପ୍ରଶାସକ । କିନ୍ତୁ ଭିତର ରତ୍ନଭଣ୍ଡାରକୁ ନ ଯାଇ ତାରଜାଲି ବାଟେ ସର୍ଚ୍ଚ ଲାଇଟ ପକାଇ ଭିତର ଭଣ୍ଡାର ଯାଞ୍ଚ କରଯାଇଥିଲା । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଭିତର ଭଣ୍ଡାରକୁ କମିଟି ସଦସ୍ୟ ନ ଯିବା ପଛର କାରଣ କହିଥିଲେ ପୁରୀ ଜିଲ୍ଲାପାଳ । ଯାଂଚ ପ୍ରସଙ୍ଗରେ ଜିଲ୍ଲାପାଳ କହିଥିଲେ ଯେ ଭିତର ରତ୍ନଭଣ୍ଡାର ଚାବି ଜିଲ୍ଲା ଟ୍ରେଜେରିରେ ନାହିଁ । ମନ୍ଦିର ପ୍ରଶାସନ ପକ୍ଷରୁ କେବେ ଟ୍ରେଜେରିରେ ଚାବି ଦିଆଯାଇନି । ମନ୍ଦିର ଅଫିସରେ ଯେଉଁ ଚାବି ଥିଲା ସେହି ଚାବିକୁ ରତ୍ନଭଣ୍ଡାର ଖୋଲିବା ପାଇଁ ନିଆଯାଇଥିଲା ବୋଲି କହିଥିଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ଭିତର ରତ୍ନ ଭଣ୍ଡାର ତାଲା ଗୁଡିକ ସବୁ ସିଲ ହୋଇଥିଲା । ବାହାର ପଟରୁ ଭିତର ରତ୍ନଭଣ୍ଡାର ଦେଖା ଯାଉଥିବାରୁ ତାଲା ଖୋଲିବା ଦରକାର ହେଲାନାହିଁ । ମୋଟ ୫ଟି ଚାବି ନେଇ ଭଣ୍ଡାର ଘରକୁ ଯାଇଥିଲୁ କିନ୍ତୁ ତାର ଜାଲି ପଟରୁ ଭିତର ଦିଶୁଥିବାରୁ କେଉଁ ଚାବିରେ ଖୋଲିବ ସେଥିପାଇଁ ଚେଷ୍ଟା କରିନଥିଲୁ ବୋଲି କହିଥିଲେ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।