ଯୋଗୀଙ୍କ ରାଜ୍ୟରେ ଭୋଗୀଙ୍କ ଉପଦ୍ରବ ! ଦିନ ଦ୍ୱିପହରରେ ଯୁବତୀଙ୍କୁ ଅସଦାଚରଣ

25

ଉତ୍ତରପ୍ରଦେଶର ରାମପୁର ଅଞ୍ଚଳରେ ଲଜ୍ଜା । ଯୋଗୀଙ୍କ ରାଜ୍ୟରେ ଭୋଗୀଙ୍କ ଉପଦ୍ରବ । କିଛି ଉନ୍ମତ୍ତ ତଥା ଅସାମାଜିକ ଯୁବକ ଦୁଇଜଣ ଝିଅଙ୍କୁ ଦିନ ଦ୍ୱିପହରରେ କରିଛନ୍ତି ଅସଦାଚରଣ । କେବଳ ସେତିକି ନୁହେଁ ସଂପୂର୍ଣ୍ଣ ଘଟଣାର ଭିଡ଼ିଓ ମଧ୍ୟ ତିଆରି କରିଛନ୍ତି । ଯାହା ଏବେ ଭାଇରାଲ ହେବା ପରେ ସେଠାକାର ପୋଲିସ୍‌ ୧୪ ଜଣଙ୍କ ବିରୁଦ୍ଧରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି।

ଭିଡ଼ିଓରେ ଦେଖିବାକୁ ମିଳିଛି , ଏକ ଶୁନଶାନ୍‌ ରାସ୍ତାରେ ଦୁଇଜଣ ଝିଅ ଚାଲିଚାଲି ଯାଉଥିବା ସମୟରେ କିଛି ଯୁବକ ସେମାନଙ୍କୁ ଘେରିଯାଇଥିଲେ । ଝିଅମାନେ ସେମାନଙ୍କୁ ଛାଡ଼ିଦେବାପାଇଁ ଗୁହାରୀ ମଧ୍ୟ କରୁଥିଲେ । ମାତ୍ର ସେସବୁକୁ ଭ୍ରୁକ୍ଷେପ ନକରି ସେମାନେ ଅସଦାଚରଣ କରି ଚାଲିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଏହାର ଭିଡ଼ିଓ କରି ଫେସବୁକରେ ଛାଡିବାକୁ କହୁଥିବା ଶୁଣାଯାଉଛି । ତେବେ ଝିଅମାନେ ସେମାନଙ୍କ ପାଖରୁ ଖସିଆସିବା ବେଳେ ସେମାନେ ପୁଣି ତାଙ୍କୁ ଧରି ଟେକି ନେଇ ଅସଦାଚରଣ କରୁଥିବା ଦେଖାଯାଉଛି । ଏପରିକି କିଛି ଯୁବକ ଏହାର ଭିଡ଼ିଓ କରି ସୋସିଆଲ ମିଡ଼ିଆରେ ମଧ୍ୟ ଛାଡ଼ିଥିଲେ।

ତେବେ ଭିଡିଓ ପ୍ରମାଣ କରୁଛି ଏହି ଯୁବକ ମାନଙ୍କର ନା ପୋଲିସ୍‌କୁ ଡ଼ର ଅଛି ନା ଆଇନ୍‌କୁ ଏବଂ ସରକାରଙ୍କୁ । ଘଟଣାଟି ସାମ୍ନାକୁ ଆସିବା ପରେ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରିଛି । ତେବେ ଏବେ ମଧ୍ୟ ସେମାନଙ୍କ ମଧ୍ୟରୁ ଅନେକ ଫେରାର ଥିବା ବେଳେ ସେମାନଙ୍କୁ ଖୋଜାଯାଉଛି।