ସର୍ବବୃହତ ଗଣତନ୍ତ୍ରର ସର୍ବୋଚ୍ଚ ଆସନରେ ରାମନାଥ କୋବିନ୍ଦ : ଦେଶର ୧୪ତମ ରାଷ୍ଟ୍ରପତି ଭାବେ ନେଲେ ଶପଥ

26

କନକ ବ୍ୟୁରୋ : ସଂସଦ ଭବନରେ ଏହି ଶପଥ ସହ ଦେଶର ଚତୁର୍ଦ୍ଦଶ ରାଷ୍ଟ୍ରପତି ବନିଯାଇଛନ୍ତି ରାମନାଥ କୋବିନ୍ଦ । ଅଭିଷିକ୍ତ ହୋଇଛନ୍ତି ବିଶ୍ୱର ସବୁଠାରୁ ବଡ ଗଣତନ୍ତ୍ରର ସର୍ବୋଚ୍ଚ ସାମ୍ବିଧାନିକ ପଦରେ । ଦେଶର ପ୍ରଥମ ନାଗରିକ । ନବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜେଏସ୍ ଖେହର ।

ରାଇସିନାରେ ରାମନାଥ ଯୁଗର ଆରମ୍ଭ । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦରେ ଆରଏସଏସ ସ୍ୱୟଂସେବକ । ଶପଥ ଗ୍ରହଣ ପରେ ନୂଆ ରାଷ୍ଟ୍ରପତିଙ୍କ ମୁହଁରେ ଥିଲା ଭାବବିହ୍ୱଳ ଅଭିଭାଷଣ । ଦେଶବାସୀଙ୍କୁ ସମ୍ବୋଧନ କରି ରାମନାଥ କହିଥିଲେ, ବିନମ୍ରତାର ସହ ମୁଁ ଏହି ପଦକୁ ଗ୍ରହଣ କରୁଛି । ମୋତେ ଦେଶର ରାଷ୍ଟ୍ରପତି ଦାୟିତ୍ୱ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ । ଦେଶର ରାଷ୍ଟ୍ରପତି ଭାବେ ସମସ୍ତେ ଯେମିତି ସୁଖି ରହିବେ ସେଥିପାଇଁ ନିରନ୍ତର ସେବା କରିବି ।

ରାଷ୍ଟ୍ରପତି ଭବନରେ ରାମନାଥ । ପ୍ରଥମ ନାଗରିକ ଭାବେ ଦାୟିତ୍ୱ ନେବା ପରେ କୋବିନ୍ଦ କହିଛନ୍ତି, ଦେଶର ସମସ୍ତ ନାଗରିକ ରାଷ୍ଟ୍ରର ନିର୍ମାତା । ବୈଜ୍ଞାନିକ ଓ ଛୋଟ କାମ କରୁଥିବା ଲୋକ ବି ଜଣେ ଜଣେ ରାଷ୍ଟ୍ର ନିର୍ମାତା । କେବଳ ସରକାର ଦ୍ୱାରା ରାଷ୍ଟ୍ର ନିର୍ମାଣ ହୋଇପାରିବ ନାହିଁ ।

ପତ୍ନୀଙ୍କ ସହ ୧୦ ଆକବର ରୋଡରୁ ରାଜଘାଟ ଯାଇ ମହାତ୍ମାଗାନ୍ଧିଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ପରେ ରାଷ୍ଟ୍ରପତି ଭବନ ଅଭିମୁଖେ ବାହାରିଥିଲେ ରାମନାଥ । ରାଷ୍ଟ୍ରପତି ଭବନ ଲାଇବ୍ରେରୀରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁର୍ଖାଜୀ ନବ ନିର୍ବାଚିତ ରାମନାଥ କୋବିନ୍ଦ ଓ ତାଙ୍କ ପତ୍ନୀଙ୍କୁ ସ୍ୱାଗତ କରିଥିଲେ । ପରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଗୋଟିଏ କାରରେ ପାର୍ଲାମେଂଟ ଅଭିମୁଖେ ବାହାରିଥିଲେ । ଏବେ ରାଇସିନାର ରାଜା ହେଉଛନ୍ତି ରାମନାଥ କୋବିନ୍ଦ । ଦେଶର ନୂଆ ରାଷ୍ଟ୍ରପତି ।