ଆଜି ରାଜୀବ ଗାନ୍ଧୀଙ୍କ ୭୩ତମ ଜନ୍ମବାର୍ଷିକୀ ! ନଜର ପକାନ୍ତୁ ଦେଶ ପାଇଁ ତାଙ୍କର ୫ଟି ବଡ଼ ଯୋଗଦାନ ଉପରେ

147

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କର ୭୩ତମ ଜନ୍ମବାର୍ଷିକୀ । ଏ ଅବସରରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶିଲା ଦିକ୍ଷିତ, ସୋନିଆ ଗାନ୍ଧୀ, ରାହୁଳ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ରବର୍ଟ ଭଦ୍ରା ଏବଂ ତାଙ୍କ ଝିଅ ମୀରାୟା ଆଦି ନୂଆଦିଲ୍ଲୀସ୍ଥିତ ବୀରଭୂମିରେ ଥିବା ତାଙ୍କ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଅଗଷ୍ଟ ୨୦, ୧୯୪୪ରେ ଜନ୍ମିତ ରାଜୀବ ଗାନ୍ଧୀ ୧୯୮୪ ରୁ ୧୯୮୯ ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଥିଲେ । ୧୯୯୧ ମସିହା ମେ ୨୧ ତାରିଖରେ ତାଙ୍କୁ ଏଲଟିଟିଇର ଏକ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ତାମିଲନାଡୁ ଅନ୍ତର୍ଗତ ଶ୍ରୀପେରୁମ୍ବୁଦୁରଠାରେ ହତ୍ୟା କରିଥିଲା ।

ତେବେ ଆସ୍ତନ୍ତୁ ଜାଣିବା ଦେଶ ପାଇଁ ରାଜୀବ ଗାନ୍ଧୀଙ୍କ ୫ଟି ଯୋଗଦାନ ବିଷୟରେ

–   ରାଜୀବ ଗାନ୍ଧୀ ଅର୍ଥବ୍ୟବସ୍ଥାକୁ ବଢ଼ାଇବା ପାଇଁ ନିବେଶକଙ୍କୁ ସୁଯୋଗ ଦେଇଥିଲେ

–   ୧୯୮୮ରେ ତାଙ୍କର ଚୀନ ଯାତ୍ରା ଐତିହାସିକ ଥିଲା

–   ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ପାଇଁ ସ୍ୱତନ୍ତ୍ର ଚେଷ୍ଟା କରିଥିଲେ

–   ଆଗାମୀ ଦିନରେ ହେବାକୁ ଥିବା ଆଇଟି କ୍ରାନ୍ତିର ମୂଳଦୁଆ ରାଜୀବ ଗାନ୍ଧୀ ହିଁ ରଖିଥିଲେ

–   ମତଦାନର ବସୟ ସୀମା ୧୮ ବର୍ଷ ଓ ଇଭିଏମ ଯନ୍ତ୍ରର ବ୍ୟବହାର ଆରମ୍ଭ କରିଥିଲେ

୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରେ ଦେଶରେ ନିରାଶା ଖେଳିଯାଇଥିଲା । ଲୋକମାନେ ଏପରି ପରିସ୍ଥିତିରୁ ବାହାରିବା ପାଇଁ ଚେଷ୍ଟା କରୁଥିଲେ ଏବଂ ସେ ସମୟରେ ଲୋକସଭା ନିର୍ବାଚନର ଫଳାଫଳ କଂଗ୍ରେସ ପକ୍ଷରେ ଆସିଥିଲା । ଦେଶର ଲୋକମାନେ ରାଜୀବ ଗାନ୍ଧୀଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଉତ୍ତରାଧୀକାରୀ ଓ ନିଜର ପ୍ରଧାନମନ୍ତ୍ରୀ ରୂପେ ବାଛିଥିଲେ । ରାଜୀବ ଗାନ୍ଧୀ ପ୍ରଧାନମନ୍ତ୍ରୀ ହେବା ପରେ ୫ ବର୍ଷରେ ଦେଶ ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ । ଯାହା ଦେଶ ପାଇଁ ଅନେକ ପରିବର୍ତ୍ତନ ଆଣିଥିଲା । ରାଜୀବ ଗାନ୍ଧୀ ଇନକମ ଓ କର୍ପୋରଟ ଟ୍ୟାକ୍ସ ହଟାଇଥିଲେ । ଲାଇସେନ୍ସ ସିଷ୍ଟମକୁ ସରଳ କରିଥିଲେ । କମ୍ପ୍ୟୁଟର, ଡ୍ରଗ୍ସ ଓ ଟେକ୍ସଟାଇଲ କ୍ଷେତ୍ରରେ ସରକାରୀ ନିୟନ୍ତ୍ରଣ ଶେଷ କରିଥିଲେ । ନିବେଶକଙ୍କୁ ମଧ୍ୟ ଉତ୍ସାହିତ କରିଥିଲେ । ବନ୍ଦ ହୋଇପଡ଼ିଥିବା ଅର୍ଥବ୍ୟବସ୍ଥାକୁ ବାହାର ଦୁନିଆ ସହ ପରିଚିତ କରାଇବାର ଏହା ପ୍ରଥମ ସୁଯୋଗ ଥିଲା ।

ରାଜୀବ ଗାନ୍ଧୀ ଡିସେମ୍ବର ୧୯୮୮ରେ ଚୀନ ଯାତ୍ର କରିଥିଲେ । ଏହା ଥିଲା ଏକ ଐତିହାସିକ ପଦକ୍ଷେପ । ରାଜୀବ ଗାନ୍ଧୀଙ୍କ ଚୀନ ଯାତ୍ରା ଦ୍ୱାରା ସେ ସମୟରେ ଚୀନ ସହ ଭାରତର ତିକ୍ତ ସମ୍ପର୍କରେ ସାମାନ୍ୟ ପରିବର୍ତ୍ତନ ଆସିଥିଲା । ୧୯୫୪ ପରେ ଏହା ଥିଲା ପ୍ରଥମ ଯାତ୍ରା । ସୀମା ବିବାଦ ଉପରେ ଚୀନ ସହ ମିଳିତ ରୂପେ ତିଆରି ହୋଇଥିବା ଜଏଂଟ ୱାର୍କିଂ କମିଟି ଶାନ୍ତି ଦିଗରେ ଏକ ଉତ୍ତମ ପଦକ୍ଷେପ ଥିଲା ।

ରାଜୀବ ଗାନ୍ଧୀ ଚାହୁଁଥିଲେ ଲୋକଙ୍କ ହାତରେ କ୍ଷମତା ରହୁ । ସେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଲାଗୁ କରିବା ଦିଗରେ ପଦକ୍ଷେପ ନେଇଥିଲେ ଓ ଲାଗୁ ମଧ୍ୟ କରିଥିଲେ । କଂଗ୍ରେସ ୧୯୮୯ରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ସାମ୍ବିଧାନିକ ଅଧିକାର ଦେବା ପାଇଁ ଚେଷ୍ଟା କରିଥିଲା । ୧୯୯୦ରେ ପଞ୍ଚାୟତିରାଜର ବାସ୍ତବିକତା ଜନତାଙ୍କ ସାମ୍ନାକୁ ଆସିଥିଲ । ଏହା ବ୍ୟତୀତ ରାଜୀବ ଗାନ୍ଧୀ ସରକାରୀ କର୍ମଚାରୀଙ୍କ ପାଇଁ ୧୯୮୯ରେ ୫ ଦିନ କାମ ପାଇଁ ପ୍ରସ୍ତାବ ମଧ୍ୟ ରଖିଥିଲେ । ଗ୍ରାମୀଣ ଶିଶୁଙ୍କ ପାଇଁ ପ୍ରସିଦ୍ଧ ନବଦୋୟ ବିଦ୍ୟାଳୟର ଶୁଭାରମ୍ଭ କରିଥିଲେ ରାଜୀବ ଗାନ୍ଧୀ ।

ରାଜୀବ ଗାନ୍ଧୀ, ଭାଷଣରେ ସବୁବେଳେ ଏକ ବିଂଶ ଶତାବ୍ଦୀର ପ୍ରଗତିର କଥା ଉଠାଇଥିଲେ । ସେ ବିଶ୍ୱାସ କରୁଥିଲେ ଦେଶର ପରିବର୍ତ୍ତନ ଓ ପ୍ରଗତି ପାଇଁ ଆଧୁନିକ ଜ୍ଞାନକୌଶଳ ବହୁତ ଜରୁରୀ । ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଆଗାମୀ ଦଶକରେ ହେବାକୁ ଥିବା ଜ୍ଞାନକୌଣଳ କ୍ରାନ୍ତିର ବୀଜ ରୋପଣ କରିଥିଲେ ରାଜୀବ ଗାନ୍ଧୀ । ଏଥିଯୋଗୁଁ କମ୍ପ୍ୟୁଟର ଶସ୍ତା ହୋଇଥିଲା । ଏପରି ସୁଧାର ଦ୍ୱାରା ନାରାୟଣ ମୂର୍ତ୍ତି ଓ ଅଜୀମ ପ୍ରେଜୀଙ୍କୁ ବିଶ୍ୱସ୍ତରୀୟ ଆଇଟି କମ୍ପାନୀ ଖୋଲିବା ପାଇଁ ପ୍ରେରଣା ମିଳିଥିଲା ।

ଏହାବ୍ୟତୀତ ମତଦାନ କରିବାର ବୟସ ସୀମା ୨୧ ରୁ କମାଇ ୧୮ ବର୍ଷ କରିଥିଲେ ରାଜୀବ । ତାଙ୍କର ଏହି ନିିଷ୍ପତ୍ତି  ଯୋଗୁଁ  ସେ ସମୟରେ ୫ କୋଟି ଯୁବ ମତଦାତା ଅଧିକ ବଢ଼ିଗଲେ । ଏହି ନିଷ୍ପତ୍ତିକୁ ଅନେକ ବିରୋଧ ଓ ସମାଲୋଚନନା ମଧ୍ୟ କରିଥିଲେ । କିନ୍ତୁ ରାଜୀବଙ୍କ ବିଶ୍ୱାସ ଥିଲା ଦେଶ ନିର୍ମାଣ ପାଇଁ ଯୁବପୀଢ଼ିଙ୍କ ଯୋଗଦାନ ଅତି ଜରୁରୀ । ଏହାସହ ଇଭିଏମ ମେସିନକୁ ନିର୍ବାଚନରେ ସାମଲି କରିବା ସମେତ ନିର୍ବାଚନ ଉପରେ ସୁଧାର ଆଣିବା ପାଇଁ ଚେଷ୍ଟା କରିଥିଲେ ରାଜୀବ । ଆଜିକା ଦିନରେ ନିରପେକ୍ଷ ନିର୍ବାଚନ ହେବାର ସମସ୍ତ ଯୋଗଦାନ ଇଭିଏଡମ ମେସିନ ଦ୍ୱାରା ସମ୍ଭବ ହୋଇପାରିଛି । ଯାହାର ସମସ୍ତ ଶ୍ରେୟ ଯାଉଛି ରାଜୀବ ଗାନ୍ଧୀଙ୍କୁ ।

ରାଜୀବ ଗାନ୍ଧୀଙ୍କ ବ୍ୟକ୍ତିଗତ ଜୀବନରେ କିଛି କଥା . . . . .

ସୂଚନା ଅନୁସାରେ ସୋନିଆ ଗାନ୍ଧୀଙ୍କୁ ପ୍ରଥମ ଦେଖାରେ ହିଁ ପସନ୍ଦ କରିଥିଲେ ରାଜୀବ। ପ୍ରଥମ ଥର ପାଇଁ ସୋନିଆଙ୍କୁ ଏକ ରେସ୍ତୁରାଁରେ ସାକ୍ଷାତ କରିଥିଲେ ରାଜୀବ । ରାଜୀବ ପ୍ରଥମ ଦେଖାରେ ହିଁ ଟିସୁପେପରରେ ଏକ କବିତା ଲେଖି ମ୍ୟାନେଜରକୁ ଦେଇଥିଲେ । ଉକ୍ତ ଟିସୁ ପେପର ଓ ଏକ ସାମ୍ପେନ ବୋଟଲ ସୋନିଆ ଗାନ୍ଧୀଙ୍କ ଦେବା ପାଇଁ ମ୍ୟାନେଜରଙ୍କୁ କହିଥିଲେ । କୁହାଯାଏ ସୋନିଆଙ୍କ ପାଇଁ ସେ ଖୋଲିକି ନିଜର ଭାବନା ବ୍ୟକ୍ତ କରୁଥିଲେ । ତାଙ୍କ ପାଇଁ ସୋନିଆ ସବୁଠାରୁ ସୁନ୍ଦର ମହିଳା ଥିଲେ । ସୋନିଆ ଗାନ୍ଧୀଙ୍କ ବାପା ଷ୍ଟିଫନୋ ମାଇନୋ ଚାହୁଁନଥିଲେ ସୋନିଆଙ୍କ ବିବାହ ରାଜୀବଙ୍କ ସହ ହେଉ । ୧୯୬୮ରେ ସୋନିଆଙ୍କୁ ବିବାହ କରିଥିଲେ ରାଜୀବ । ୧୯୭୦ରେ ଉଭୟଙ୍କର ଏକ ପୁଅ ରାହୁଲ ଗାନ୍ଧୀ ଜନ୍ମ ହୋଇଥିଲା । ଏହାପରେ ୧୯୭୨ରେ ଉଭୟଙ୍କ ଏକ ଝିଅ, ପ୍ରିୟଙ୍କା ଗାନ୍ଧୀ ଜନ୍ମ ନେଇଥିଲେ । ରାଜୀବ ଗାନ୍ଧୀ ନିଜର ଛୋଟ ଭାଈ ସଂଜୟ ଗାନ୍ଧୀଙ୍କ ମୃତ୍ୟୁ ପରେ ରାଜନୀତିରେ ପ୍ରବେଶ କରିଥିଲେ ।