ମହାନବମୀକୁ ମାନ୍ଦା କଲା ବର୍ଷା : ଭିଜି ଭିଜି ମାଆଙ୍କୁ ଦର୍ଶନ କଲେ ଭକ୍ତ

31

କନକ ବ୍ୟୁରୋ : ବର୍ଷା ଧୋଇନେଲା ପୂଜାର ମଜା । ଫିକା ପଡିଲା ପାର୍ବଣର ମାହୋଲ୍ । ନବମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ବେଳେ ବର୍ଷା ନିରାଶ କରିଛି । ତଥାପି ଉତ୍ସାହ କମିନି ଭକ୍ତଙ୍କର । ରାଜଧାନୀ ଭୁବନେଶ୍ୱରରେ ଛତା ଧରି, ମୁଣ୍ଡରେ ହେଲମେଟ୍ ପିନ୍ଧି ବିଭିନ୍ନ ପୂଜା ମଣ୍ଡପରେ ଭକ୍ତମାନେ ଲମ୍ବା ଲାଇନ ଲଗାଇଥିବା ଦେଖିବାକୁ ମିଳିଛି।

ଖାଲି ଭୁବନେଶ୍ୱର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ଫଳରେ ବିଭିନ୍ନ ପୂଜା ମଣ୍ଡପରେ ଦର୍ଶନ ପାଇଁ ଆସିଥିବା ଶ୍ରଦ୍ଧାଳୁମାନେ ବର୍ଷାରେ ଭିଜିବା ସତ୍ୱେ ମାଆଙ୍କୁ ଦର୍ଶନ କରି ଆଶିର୍ବାଦ ଭିକ୍ଷା କରିଛନ୍ତି । ସକାଳ ବେଳା ପାଗ ମେଘୁଆ ଥିଲେ ମଧ୍ୟ ବର୍ଷା ହୋଇ ନଥିଲା । ତେବେ ଅପରାହ୍ନ ୪ଟା ପରେ ହଠାତ୍ ବର୍ଷା ଆରମ୍ଭ ହୋଇଥିଲା । ପ୍ରବଳ ମାତ୍ରାରେ ବର୍ଷିଥିଲା । ଫଳରେ ନବମୀ ପୂଜା ପାଇଁ ବ୍ରତ ରଖିଥିବା ଅନେକ ଶ୍ରଦ୍ଧାଳୁ ପୂଜା ମଣ୍ଡପକୁ ଆସିଥିବା ବେଳେ ବର୍ଷାରେ ଭିଜିଥିଲେ ।

ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ପୁଣି ଏକ ଘୂର୍ଣି ବଳୟ ସୃଷ୍ଟି ହୋଇଛି । ଯାହାର ପ୍ରଭାବରେ ଏହି ବର୍ଷା ହୋଇଥିବା ବେଳେ ପୂଜା ବଜାର ଏକ ପ୍ରକାର ଫିକା ପଡିଯାଇଛି । ସନ୍ଧ୍ୟା ସମୟରେ ପୂଜା ମଣ୍ଡପ ଗୁଡିକରେ ପ୍ରବଳ ଗହଳି ଆଶା କରାଯାଉଥିବା ବେଳେ ବର୍ଷା ଯୋଗୁ ଗହଳି କିଛି ମାତ୍ରାରେ କମିବ ବୋଲି ଅନୁମାନ କରାଯାଉଛି ।