ମୁକ୍ତିକାନ୍ତଙ୍କୁ ସମର୍ଥନ କଲେ ରାହୁଲ ଗାନ୍ଧୀ ! ରାଉରକେଲାବାସୀଙ୍କୁ ମୋଦି ଦେଇଥିବା ପ୍ରତିଶ୍ରୁତିରେ ରାହୁଲ ଦେଲେ ରାଜନୀତି ତଡକା ।

23

ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ରାଉରକେଲାରୁ ଦିଲ୍ଲୀକୁ ପଦଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସମର୍ଥନ ଜଣାଇଲେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ । ଗତ ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଉରକେଲା ଗସ୍ତ କରି ସୁପର-ସ୍ପେଶାଲିଷ୍ଟ ହସ୍ପିଟାଲ, ବ୍ରାହ୍ମଣୀ ସେତୁ ପ୍ରକଳ୍ପକୁ ନେଇ ପ୍ରତିଶ୍ରୁତି ଦେଇଥିଲେ ମୋଦି । ହେଲେ ଗତ ୩ ବର୍ଷ ବିତିଯାଇଥିଲେ ମଧ୍ୟ ମୋଦିଙ୍କ ପ୍ରତିଶ୍ରୁତି କେବଳ ଫାଇଲ ଭିତରେ ରହିଯାଇଛି ବୋଲି ମୁକ୍ତିକାନ୍ତ ଅନୁଭବ କଲେ । ତେଣୁ ମୋଦିଙ୍କ ପ୍ରତିଶ୍ରୁତିକୁ ମନେ ପକାଇବା ପାଇଁ ପାଦରେ ଚାଲି ଚାଲି ୧୩୫୦ କିଲୋମିଟର ଯାଇ ମୋଦିଙ୍କୁ ଭେଟିବାକୁ ଦୃଢ଼ ସଂକଳ୍ପ କରିଥିଲେ ମୁକ୍ତିକାନ୍ତ । ତେବେ ଗତକାଲି ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବାପରେ ମୁକ୍ତିକାନ୍ତକୁ ନେଇ ମଧ୍ୟ ରାଜନୀତି ଆରମ୍ଭ ହେବାରେ ଲାଗିଛି ।

 

ଲକ୍ଷ୍ୟସ୍ଥଳ ଠାରୁ ୨୫୦ କିଲୋମିଟରୁ ପୂର୍ବରୁ ଅସୁସ୍ଥ ହୋଇ ପଡିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ସହାନୁଭୂତି ଏବଂ ସମର୍ଥନ ଜଣାଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଗତକାଲି ଅସୁସ୍ଥ ମୁକ୍ତିକାନ୍ତ ନିକଟସ୍ଥ ଆଗ୍ରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବଂ ମୁକ୍ତିକାନ୍ତଙ୍କ ଏହି ନିଷ୍ଠାପରତାକୁ ଦେଖି ରାହୁଲ ଗାନ୍ଧୀ ଟ୍ୱିଟ କରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦି ୩ ବର୍ଷ ତଳେ ରାଉରକେଲାରେ ସୁପର-ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ପ୍ରଧାନମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ପାଳନ ନ କରିବା ଯୋଗୁଁ ବର୍ତ୍ତମାନ ଲୋକମାନେ ମୃତ୍ୟୁମୁଖରେ ପଡୁଛନ୍ତି । ତେବେ ମୁକ୍ତିକାନ୍ତଙ୍କୁ ଆଶ୍ୱାସନା ଦେଇ ରାହୁଲ କହିଛନ୍ତି ଭାରତବାସୀ ଏବଂ କଂଗ୍ରେସ ଦଳ ମୁକ୍ତିକାନ୍ତଙ୍କ ସହିତ ଅଛି । ମୋଦିଙ୍କୁ ତାଙ୍କର ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବା ପାଇଁ କଂଗ୍ରେସ ମୋଦିଙ୍କୁ ସ୍ମରଣ କରାଇବ ବୋଲି କହିଛନ୍ତି ରାହୁଲ । ତେବେ ଏଭଳି ଟ୍ୱିଟ କରି ରାହୁଲ ମୋଦିଙ୍କ ବିଫଳତାକୁ ପରୋକ୍ଷରେ ଦେଶବାସୀଙ୍କୁ ଅବଗତ କରାଇଥିବା ସ୍ପଷ୍ଟ ବାରି ହୋଇ ପଡୁଛି ।

ଗତ ଏପ୍ରିିଲ ୧୬ ତାରିଖରୁ ମୁକ୍ତିକାନ୍ତ ରାଉରକେଲାରୁ ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିଥିଲେ । ପାଖାପାଖି ୧୩୫୦ କିଲୋମିଟର ପାଦରେ ଚାଲି ଚାଲି ଅତିକ୍ରମ କରିଲା ପରେ ୩୦ ବର୍ଷୀୟ ମୁକ୍ତିକାନ୍ତ ଆଗ୍ରାଠାରେ ଅସୁସ୍ଥ ହୋଇପଡିଥିଲେ । ତେବେ ସୁସ୍ଥ ହେବାପରେ ମୁକ୍ତିକାନ୍ତଙ୍କ ନିଜ ପ୍ରତିକ୍ରିୟାରେ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ତାଙ୍କୁ ଆଉ ୬ରୁ ୭ ଦିନ ଲାଗିପାରେ କିନ୍ତୁ ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ୨୦୧୫ରେ ରାଉରକେଲାକୁ ଗସ୍ତରେ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଦାବି କରିବା ସହ ତୁରନ୍ତ ପୂରଣ କରିବା ପାଇଁ ମଧ୍ୟ ଦାବି ଜଣାଇବେ ବୋଲି କହିଛନ୍ତି ମୁକ୍ତିକାନ୍ତ ।