ରାଜ୍ୟସଭାରେ ଉପସ୍ଥାପିତ ହେଲା ‘ରାଫେଲ’ ରିପୋର୍ଟ । ମୋଦିଙ୍କୁ କ୍ଲିନଚିଟ୍ ଦେଲେ ସିଏଜି, କହିଲେ ଏନଡିଏ ସରକାରରେ ଶସ୍ତାରେ କିଣିଛନ୍ତି ବିମାନ

ସେପଟେ ଜେପିସି ତଦନ୍ତ ଦାବିରେ ପାର୍ଲାମେଂଟ ପରିସରରେ କଂଗ୍ରେସର ବିକ୍ଷୋଭ

370

କନକ ବ୍ୟୁରୋ: ରାଜ୍ୟସଭାରେ ଉପସ୍ଥାପିତ ହେଲା ରାଫେଲ ସମ୍ପର୍କିତ ସିଏଜି ରିପୋର୍ଟ । ସିଏଜି ରିପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କ୍ଲିନଚିଟ୍ ଦିଆଯାଇଛି । ରିପୋର୍ଟରେ କୁହାଯାଇଛି କି, ଏନଡିଏ ସରକାର ପୂର୍ବ ଅପେକ୍ଷା ଶସ୍ତାରେ ବିମାନ କିଣିଛନ୍ତି । ରାଫେଲର ମୂଲ୍ୟ ୨ଦଶମିକ୍ ଆଠ ୬ ପ୍ରତିଶତ ଶସ୍ତା ହୋଇଛି । ତେବେ ରାଫେଲ ବମାନର ମୂଲ୍ୟ ସମ୍ପର୍କୀତ ତଥ୍ୟ ଦିଆଯାଏନାହିଁ । ତେବେ କେନ୍ଦ୍ର ସରକାର ୯ ପ୍ରତିଶତ ଶସ୍ତାରେ କିଣିଥିବା ନେଇ ଦାବିକୁ ସିଏଜି ରିପୋର୍ଟରେ ଖାରଜ କରାଯାଇଥିବା ଜଣାପଡିଛି । ୧୪୧ ପୃଷ୍ଠା ସମ୍ବଳିତ ସିଏଜି ରିପୋର୍ଟ ଉପସ୍ଥାପନ ହୋଇଛି ।

ଅନ୍ୟପଟେ ଏହି ପ୍ରସଙ୍ଗରେ ସଂସଦରେ ହଙ୍ଗାମା କରିଛନ୍ତି ବିରୋଧୀ । ଜେପିସି ତଦନ୍ତ ଦାବି କରି ଲୋକସଭାରେ ବିକ୍ଷୋଭ କରିଛନ୍ତି ବିରୋଧୀ । ଫଳରେ ଲୋକସଭା ଓ ରାଜ୍ୟସଭାକୁ ଅନିଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ କରାଯାଇଛି । ସେପଟେ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ସତ୍ୟର ଜୟ ହୋଇଛି । ଦେଶକୁ ଯେଉଁମାନେ ସବୁବେଳେ ମିଛ କହୁଛନ୍ତି, ଗଣତନ୍ତ୍ରରେ ସେମାନଙ୍କୁ କି ଦଣ୍ଡ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ଜେଟଲୀ । ଟୁଇଟରେ ସତ୍ୟ ମେବ ଜୟତେ ବୋଲି ଲେଖିଛନ୍ତି ଜେଟଲୀ ।

image courtesy – www.businesstoday.in

ସେପଟେ ରାଫେଲ ପ୍ରସଙ୍ଗରେ ସଂସଦ ପରିସରରେ ଥିବା ଗାନ୍ଧି ମୂର୍ତି ତଳେ ବିକ୍ଷୋଭ ଜାରି ରଖିଛି କଂଗ୍ରେସ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ବହୁ ବରିଷ୍ଠ ନେତା ରାଫେଲ ଡିଲକୁ ନେଇ ହଙ୍ଗାମା କରୁଛନ୍ତି । ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନାରାବାଜି କରୁଛନ୍ତି ।

 

ରାଫେଲ ସମ୍ପର୍କରେ ରାଜ୍ୟସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟରେ କଣ ରହିଛି ?

– ଏନଡିଏ ସରକାରଙ୍କ ରାଫେଲ ଡିଲ୍ ପୂର୍ବ ସରକାରଙ୍କ ଅପେକ୍ଷା ୨.୮୬ % ଶସ୍ତା

– ଉଡାଣ ଯୋଗ୍ୟ ରାଫେଲ ବିମାନର ଦାମ୍ ୟୁପିଏ ସରକାରଙ୍କ ଚୁକ୍ତି ଦର ସହ ସମାନ

– ରିପୋର୍ଟରେ ରାଫେଲ ବିମାନର ଦାମ ଦିଆଯାଇନାହିଁ

– ପୂର୍ବ ଚୁକ୍ତି ଅପେକ୍ଷା ୯ପ୍ରତିଶତ ଶସ୍ତାରେ ଡିଲ ହୋଇଥିବା ମୋଦି ସରକାରଙ୍କୁ ଦାବିକୁ ରିପୋର୍ଟରେ ଖଣ୍ଡନ

– ପୂର୍ବ ଚୁକ୍ତି ତୁଳନାରେ ଏହି ଡିଲରେ ୩୬ଟି ବିମାନ କିଣିବା ପାଇଁ ୧୭.ଶୂନ ଆଠ ପ୍ରତିଶତ ଅର୍ଥ ସଂଚୟ ହୋଇଛି

– ପ୍ରତିରକ୍ଷା ମନ୍ତ୍ରାଳୟକୁ ଏହି ଚୁକ୍ତିକୁ ଚୂଡାନ୍ତ କରିବା ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି

– ୭୨ ମାସ ବଦଳରେ ୭୧ମାସରେ ବିମାନ ଦେଶକୁ ଆସିବ ।