ପୋଲିସ ଚାକିରିକୁ ବାଏ ବାଏ କଲେ , ଚାଷକୁ ଆପଣାଇଲେ । ଏବେ ବାର୍ଷିକ ୩.୫ କୋଟି ଟଙ୍କା କରୁଛନ୍ତି ରୋଜଗାର, ପଢନ୍ତୁ ପୋଲିସରୁ ଚାଷୀ ବନିଥିବା ପାର୍ଥିଭାଇଙ୍କ କାହାଣୀ

76

ପୋଲିସ ଚାକିରି କାହାକୁ ବା ପସନ୍ଦ ନୁହେଁ । ପୋଲିସ ଚାକିରିରେ ଯେଉଁ ସମ୍ମାନ ମିଳିଥାଏ ତାହା ବୋଧହୁଏ ଅନ୍ୟ ଚାକିରିରେ ମିଳିନଥାଏ । କିନ୍ତୁ ଜଣେ ପୋଲିସ ଅଫିସର ଚାଷ କରିବା ପାଇଁ ଚାକିରି ଛାଡି ଦେବା ହୁଏତ ଅନେକଙ୍କୁ ଆଶ୍ଚଯ୍ୟ କରିବ । ସେହିଭଳି ଜଣେ ବ୍ୟକ୍ତି ହେଉଛନ୍ତି ପାର୍ଥିଭାଇ ଜେଠାଭାଈ ଚୌଧୁରୀ । ଯିଏ ପୋଲିସ ବିଭାଗରେ ଅଫିସର ଚାକିରିକୁ ବାଏ ବାଏ କରି ଓହ୍ଲାଇଛନ୍ତି କ୍ଷେତକୁ । କେବଳ ଏତିକି ନୁହେଁ ପାର୍ଥିଭାଈ ଆଳୁ ଚାଷ କରି ବାର୍ଷିକ ୩.୫ କୋଟି ଟଙ୍କା ଆୟ କରିବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।

ଗୁଜରାଟର ପାର୍ଥିଭାଇ ଜେଠାଭାଈ ଚୌଧୁରୀ । ବୟସ ୬୦ ଛୁଇଁଲାଣି । ପୂରା ଅଞ୍ଚଳରେ ଜଣେ ସଫଳ ଚାଷୀ ଭାବେ ନାଁ କମାଇଛନ୍ତି ପାର୍ଥିଭାଈ । କିନ୍ତୁ ଏହି ସଫଳତା ତାଙ୍କୁ ଏତେ ସହଜରେ ମିଳିନାହିଁ । ସଫଳତାର ସିଢି ଚଢିବା ପାଇଁ ସେ ଅନେକ ତ୍ୟାଗ କରିଛନ୍ତି । ଖାସକରି ଯେତେବେଳେ ସେ ଚାଷ କରିବା ପାଇଁ ପୋଲିସ ଅଫିସର ଚାକିରିକୁ ବାଏ ବାଏ କରିଥିଲେ ସେତେବେଳେ ଅନେକ ଲୋକ ଆଶ୍ଚଯ୍ୟ ହୋଇଯାଇଥିଲେ । ୨୦୦୦ ମସିହାରେ ପୋଲିସ ଚାକରିରୁ ସ୍ୱେଚ୍ଛାକୃତ ଭାବେ ଅବସର ନେଇ ଚାଷକୁ ଆଦରି ନେଇଥିଲେ । ପାର୍ଥିଭାଇଙ୍କ ପାଇଁ ଚାଷ ସମ୍ପୂର୍ଣ୍ଣ ନୂଆ ଥିଲା । କିନ୍ତୁ କିଛି ଦିନ ବିଦେଶରେ ଆଧୁନିକ ଚାଷ ପ୍ରଣାଳୀ ବିଷୟରେ ଟ୍ରେନିଂ ନେଇ ଗାଁ ଫେରିଥିଲେ ପାର୍ଥିଭାଇ । ଆଳୁ ଚାଷ କରିବା ସହ ଆରମ୍ଭ କରିଥିଲେ ନିଜ ଜୀବନର ଆଉ ଏକ ଇନିଂସ । ଆଉ ଏଥିରେ ଜବରଦସ୍ତ ସଫଳତା ପାଇଥିଲେ ସେ ।

ମାତ୍ର ଦିନ କେଇଟା ଭିତରେ ଗୁଜରାଟରେ ଚାଷ ଉତ୍ପଦାନରେ ରେକର୍ଡ ଭାଙ୍ଗିଥିଲେ ପାର୍ଥିଭାଈ । ସେ ବନାସକାଣ୍ଠା ଅଞ୍ଚଳରେ ଏତେ ମାତ୍ରାରେ ଆଳୁ ଉତ୍ପାଦନ କଲେ ଯେ ଲୋକ ତାଙ୍କୁ ପଟାଟୋମ୍ୟାନର ଆଖ୍ୟା ଦେବାକୁ ମଧ୍ୟ ପଛାଇନଥିଲେ । ଏବେ ମୋଟ ୮୭ ଏକର ଜମିରେ ଆଳୁ ଚାଷ କରୁଛନ୍ତି ପାର୍ଥିଭାଈ । ଗୋଟିଏ ହେକ୍ଟରରୁ ପ୍ରାୟ ୧୨୦୦ କିଲୋ ଉତ୍ପାଦନ କରିଥାନ୍ତି ପାର୍ଥିଭାଇ । ସବୁଠାରୁ ଆଶ୍ଚଯ୍ୟକର କଥା ହେଲା, ତାଙ୍କ ଜମିରୁ ଉତ୍ପାଦିତ ଗୋଟିଏ ଗୋଟିଏ ଆଳୁର ଓଜନ ୨ କିଲୋରୁ ଅଧିକ ହୋଇଥାଏ । ଏତେ ପରିମାଣର ଆଳୁ ଉତ୍ପାଦନ କରୁଥିବାରୁ ଏହାକୁ ରଖିବା ପାଇଁ ପାର୍ଥିଭାଇ ନିଜେ ଏକ ଶୀତଳଭଣ୍ଡାର ଖୋଲିଛନ୍ତି ।

ପାର୍ଥିଭାଇଙ୍କ କହିବା ଅନୁଯାୟୀ, ଆଳୁ ଚାଷ କରିବା ପାଇଁ ମାତ୍ର ତିନି ମାସ ସମୟ ଆବଶ୍ୟକ । ଅକ୍ଟୋବରରେ ଚାଷ ଆରମ୍ଭ କଲେ ଡିସେମ୍ବରରେ ଆଳୁ ଉତ୍ପାଦନ ହୋଇଥାଏ । ଆଉ ଏହି ତିନି ମାସରେ ଯେତିକି ପରିମାଣର ଆଳୁ ଉତ୍ପାଦିତ ହୋଇଥାଏ ତାହାର ବଜାର ମୂଲ୍ୟ ୩.୫ କୋଟି ଟଙ୍କାରୁ ମଧ୍ୟ ଅଧିକ । ଏବେ ତାଙ୍କୁ ଚାଷରେ ୧୬ ଜଣ ସାହାର୍ଯ୍ୟ କରୁଛନ୍ତି । ପାର୍ଥିଭାଇ ନିଜ ଚାଷ ସହ ସ୍ଥାନୀୟ ଅଞ୍ଚଳର ଚାଷୀ କିପରି କମ ଖର୍ଚ୍ଚରେ ଅଧିକ ଫସଲ ଉତ୍ପାଦନ କରିବା ସହ ଅଧିକ ଲାଭ ପାଇ ପାରିବେ ସେନେଇ ଜ୍ଞାନ ବାଣ୍ଟୁଛନ୍ତି ପାର୍ଥିଭାଇ ।