ମୋଦିଙ୍କ ଅଧ୍ୟକ୍ଷତାରେ ବସିବ ସୁରକ୍ଷା ସମ୍ପର୍କିତ ବୈଠକ ! ଶ୍ରୀନଗର ଯିବେ ଗୃହମନ୍ତ୍ରୀ ରାଜନାଥ ସିଂହ, କରିବେ ସମୀକ୍ଷା

86

କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ୱପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ । ବିଶେଷ କରି ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷା ଅପରେସନ ନେଇ ବୈଠକରେ ସମୀକ୍ଷା ହେବ । ଏପଟେ ଆଜି ସକାଳ ୯ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ସୁରକ୍ଷା ସମିତି ବୈଠକ ବସିବ । ଏହାପରେ ଗୃହମନ୍ତ୍ରୀ ରାଜନାଥ ସିଂହ ଶ୍ରୀନଗର ଯିବେ । ଆତଙ୍କବାଦୀ ଆକ୍ରମଣ ପରେ ସିଆରପିଏଫ୍ ଡିଜିଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ରାଜନାଥ ସିଂହ । ଜମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ମଧ୍ୟ ଆଜି ଶ୍ରୀନଗର ଯିବେ । ସେପଟେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆତଙ୍କବାଦୀ ଆକ୍ରମଣ ପରେ ଦକ୍ଷିଣ କାଶ୍ମୀରରେ ମୋବାଇଲ୍ ଇଂଟରନେଟ୍ ସେବା ବନ୍ଦ ହୋଇଛି । ଶ୍ରୀନଗରରେ ମୋବାଇଲ ଡାଟାକୁ ୨ଜି ବେଗରେ ହ୍ରାସ କରାଯାଇଛି ।

ଗତକାଲି କଶ୍ମୀରର ଆତଙ୍କବାଦୀ ଆକ୍ରମଣରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି । ସିଆରପିଏଫ୍ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା ।ଏହି ଆକ୍ରମଣ ଘଟଣାକୁ ନିନ୍ଦା କରି ସମଗ୍ର ଦେଶ ଏକଜୁଟ୍ ହୋଇଛି । ସବୁ ରାଜନୈତିକ ଦଳ ସମସ୍ୱରରେ ନିନ୍ଦା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଜବାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଡା ନିନ୍ଦା କରିବା ସହ ସେମାନଙ୍କ ବଳିଦାନ ଖାଲିଯିବ ନାହିଁ ବୋଲି କହିଛନ୍ତି ।

ବରିଷ୍ଠ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଜୈସ-ଇ-ମହମ୍ମଦକୁ ଏକ ଏଭଳି ଶିକ୍ଷା ଦିଆଯିବ ଯାହା ସେମାନେ କେବେ ବି ଭୁଲିପାରିବେ ନାହିଁ । ଏହା କାପୁରୁଷଙ୍କ କାମ ବୋଲି ଜେଟଲୀ କହିଛନ୍ତି । ସହିଦ ଜବାନମାନଙ୍କୁ ଆମେ ସାଲ୍ୟୁଟ କରୁଛୁ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆ ହୋଇଛୁ ବୋଲି ଜେଟଲୀ କହିଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଗୃହ ମନ୍ତ୍ରାଳୟ ପୁରା ଘଟଣା ଉପରେ ନଜର ରଖିଛି । ଆକ୍ରମଣ ପରେ ଜମ୍ମୁ କାଶ୍ମୀର ରାଜ୍ୟପାଳ, ସିଆରପିଏଫ ଡିଜି ଓ ଗୃହ ସଚିବଙ୍କ ସହ ରାଜନାଥ କଥା ହୋଇଛନ୍ତି । ସେପଟେ ବିଜେପି ରାଷ୍ଟୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ଏହା କାପୁରୁଷଙ୍କ କାମ ଏବଂ ତାଙ୍କ ପରିବାରବର୍ଗଙ୍କ ସହ ଆମେ ଠିଆହୋଇଛୁ । ସେପଟେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଛି । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଦୁଃଖ ପ୍ରକାଶ କରିବା ସହ ତାଙ୍କ ପ୍ରେସମିଟ୍କୁ ବାତିଲ କରି ଦୁଇ ମିନିଟ୍ ପାଇଁ ନିରବ ପ୍ରାର୍ଥନା କରିଥିଲେ ।

ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କରିଛନ୍ତି ଜାତିସଂଘ ମୁଖ୍ୟ ଆଂଟୋନିଓ ଗୁଟେରସ୍ । ଜାତିସଂଘ ମୁଖ୍ୟ କହିଛନ୍ତି, ଆକ୍ରମଣ ପଛରେ ଥିବା ଆତଙ୍କବାଦୀଙ୍କୁ ଆଇନ୍ ଅନୁଯାୟୀ କଡା ଦଣ୍ଡ ମିଳିବା ଦରକାର । ପୁଲୱାମା ଆକ୍ରମଣକୁ ନିନ୍ଦା କରି ଭାରତ ସହ ସାରା ବିଶ୍ୱ ଠିଆ ହୋଇଛି । ଋଷିଆ ଏବଂ ଆମେରିକା, କହିଛନ୍ତି, ଆତଙ୍କବାଦ ବିପକ୍ଷରେ କଡା ପଦକ୍ଷେପ ଜରୁରୀ ହୋଇପଡିଛି । ଇସ୍ରାଏଲ, ବାଂଲାଦେଶ, ଭୂଟାନ, ଶ୍ରୀଲଙ୍କା, ନେପାଳ, ମାଲଡିଭ୍ସ ଭଳି ଦେଶ ଆତଙ୍କବାଦ ବିପକ୍ଷରେ ଲଢେଇ ପାଇଁ ଭାରତକୁ ସମର୍ଥନ ଜଣାଇଛନ୍ତି ।