ପୁଲୱାମାରେ ଆତଙ୍କବାଦୀ-ସୁରକ୍ଷାକର୍ମୀ ମଧ୍ୟରେ ଗୁଳିବିନିମୟ: ଆଦିଲର ୨ରୁ ୩ ଜଣ ସହଯୋଗୀ ଲୁଚି ରହିଥିବା ସନ୍ଦେହ, ମେଜରଙ୍କ ସମେତ ୩ ଯବାନ ଆହତ

199

କନକ ବ୍ୟୁରୋ: ପୁଲୱାମାରେ ପୁଣି ଥରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ଗୁଳିବିନିମୟ ଚାଲିଛି । ପିଙ୍ଗଲିନା ଅଂଚଳରେ ଜୈଶ-ଏ-ମହମ୍ମଦର କିଛି ଆତଙ୍କବାଦୀ ଲୁଚିରହିିଥିବା ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସଂପୃକ୍ତ ଅଂଚଳକୁ ଘେରି ରହି ଅପରେସନ ଚଳାଇଛନ୍ତି । ସଂପୃକ୍ତ ଅଂଚଳରେ ୨ରୁ ୩ ଜଣ ଆତଙ୍କବାଦୀ ଲୁଚିରହିଥିବା ସନ୍ଦେହ କରାଯାଉଛି । ଏମାନେ ସବୁ ପୁଲୱାମା ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଆଦିଲର ସହଯୋଗୀ ବୋଲି ଅନୁମାନ କରାଯାଇଛି ।

ଗୁରୁବାର ଦିନ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣାସ୍ଥଳଠାରୁ ୬ରୁ ୮ କିଲୋମିଟର ଦୂରରେ ଏହି ଗୁଳିବିନିମୟ ଚାଲିଛି । ସୁରରକ୍ଷା କର୍ମୀ ସଂପୃକ୍ତ ଅଚଂଳକୁ ଘେରି ସର୍ଚ ଅପରେସନ ଜାରି ରଖିଛନ୍ତି । ସୂଚନା ଅନୁସାରେ, ଗୁଳିବିନିମୟରେ କିଛି ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ମେଜର ର‌୍ୟାଙ୍କର ଅଫିସର ଅଛନ୍ତି ।

ସେପଟେ, ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ଆତ୍ମଘାତୀ ଆକ୍ରମଣର ତିନି ଦିନ ପରେ ରବିବାର ପାକିସ୍ତାନର ବାଲୁଚିସ୍ତାନ ନିକଟରେ ପାକ୍ ସେନା ଉପରେ ଆତ୍ମଘାତୀ ଆକ୍ରମଣ ହୋଇଛି। ବାଲୁଚିସ୍ତାନ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣରେ ଅତି କମରେ ୯ ଜଣ ସୈନିକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ରୁ ଅଧିକ ଆହତ ହୋଇଛନ୍ତି।

ଚୀନ୍-ପାକିସ୍ତାନ ଅର୍ଥନୈତିକ ଅଳିନ୍ଦ(ସିପିଇସି) ରାସ୍ତାର ତରବାତ୍ ସହର ଏବଂ ପଞ୍ଜଘର ମଝିରେ ହୋଇଥିବା ଏହି ଆକ୍ରମଣ ପାଇଁ ବାଲୁଚ୍ ରାଜି ଅଜୟ ସଙ୍ଗାର(ବ୍ରାସ) ସଂଗଠନ ନିଜକୁ ଦାୟୀ କରିଛି। ବାଲୁଚସ୍ତାନ ପ୍ରଦେଶର ମୁକ୍ତି ପାଇଁ ଦାବି କରି ଆସୁଥିବା ବ୍ରାସର ମୁଖପାତ୍ର ବାଲୁଚ୍ ଖାଁଙ୍କ କହିବା ଅନୁଯାୟୀ, ପେଟ୍ରୋଲିଂ କରୁଥିବା ପାକିସ୍ତାନୀ ସୁରକ୍ଷା ବଳ ଏବଂ ଏକ ସେନା ଶିବିର ଉପରେ ତାଙ୍କ ଯୋଦ୍ଧାମାନେ ଏପରି ଆତ୍ମଘାତୀ ଆକ୍ରମଣ କରିବାରେ ସଫଳ ହୋଇଛନ୍ତି।