ଟଳିଲା ସୁପ୍ରିମକୋର୍ଟ ବିଚାରପତି ବିବାଦ । କାର୍ଯ୍ୟରେ ଯୋଗ ଦେଲେ ଅଭିଯୋଗ ଆଣିଥିବା ଚାରି ବିଚାରପତି

41

କନକ ବ୍ୟୁରୋ : ଟଳିଲା ସୁପ୍ରିମକୋର୍ଟ ବିବାଦ । ଏନେଇ ସୂଚନା ଦେଇଛନ୍ତି ଆଟର୍ଣ୍ଣି ଜେନେରାଲ ବେଣୁଗୋପାଳ । ରବିବାର ବାର କାଉଁସିଲ୍ ଅଫ୍ ଇଣ୍ଡିଆର ପ୍ରତିନିଧି ବିଚାରପତିମାନଙ୍କୁ ଭେଟିବା ପରେ ଏହି ଦାବି କରିଛନ୍ତି ବେଣୁଗୋପାଳ । ସେ କହିଛନ୍ତି ବିଚାରପତିମାନଙ୍କ ଭିତରେ ଥିବା ବିବାଦ ଏବେ ଶେଷ ହୋଇଛି । ଏବେ ସବୁ କିଛି ଠିକଠାକ ଅଛି ।

ଅନ୍ୟପଟେ ବିବାଦ ପରେ ଆଜି ପୁଣି କାର୍ଯ୍ୟରେ ଯୋଗ ଦେଇଛନ୍ତି ଅସନ୍ତୁଷ୍ଟ ଚାରି ଜଣ ବିଚାରପତି । ବିବାଦ ପରେ ସୁପ୍ରିମକୋର୍ଟରେ ଆଜି ପ୍ରଥମ କାର୍ଯ୍ୟ ଦିବସ ଥିଲା ତେଣୁ ଆଜିର କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଥିଲା । ଗତ ଶୁକ୍ରବାର ଦିନ ୪ଜଣ ବିଚାରପତି ଗଣମାଧ୍ୟମରେ ସୁପ୍ରିମକୋର୍ଟଙ୍କ ବିଭିନ୍ନ ଖଣ୍ଡପୀଠକୁ କେସ ବଂଟନର ସ୍ୱଛତା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାକୁ ସମାଧାନ କରିବା ପାଇଁ ବାର କାଉଁସିଲ ଗତକାଲି ବିଚାରପତିମାନଙ୍କୁ ଭେଟି ସମାଧାନ ପାଇଁ ଆଲୋଚନା କରିଥିଲେ ।

ସୁପ୍ରିମକୋର୍ଟ ବିଚାରପତିଙ୍କ ବିବାଦର ସମାଧାନ ପାଇଁ ଅଂଟା ଭିଡିଥିଲା ବାର କାଉନସିଲ ଅଫ ଇଣ୍ଡିଆ । ବିଚାରପତି ଜଷ୍ଟିସ ଚେଲାମେଶ୍ୱରଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ ବାର କାଉନସିଲର ପ୍ରତିନିଧି ମଣ୍ଡଳୀ । ବାର କାଉନସିଲ ଅଫ ଇଣ୍ଡିଆର ପ୍ରତିନିଧି ଜଷ୍ଟିସ ଚେଲମେଶ୍ୱରଙ୍କ ସହ ସବିଶେଷ ଆଲୋଚନା କରିଥିଲେ । ବିସିଆଇ ଅଧ୍ୟକ୍ଷ ମନନ କୁମାର ମିଶ୍ର କହିଥିଲେ, କିଛି ସଂକଟ ନାହିଁ, ଏହା ସୁପ୍ରିମକୋର୍ଟଙ୍କ ଆଭ୍ୟନ୍ତରୀଣ ବ୍ୟାପାର । ଦୁଇ ତିନି ଦିନ ମଧ୍ୟରେ ସମସ୍ୟାର ସମାଧାନ ହୋଇଯିବ ।

ସୁପ୍ରିମକୋର୍ଟର କାର୍ୟ୍ୟଶୈଳୀ ଓ ପ୍ରଶାସନିକ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଥିଲେ । ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡିକ ଠିକ୍ ଭାବେ ବଂଟନ ହେଉନାହିଁ ବୋଲି ସେମାନେ ଅଭିଯୋଗ କରିଥିଲେ । ଦେଶରେ ନ୍ୟାୟିକ ପ୍ରକ୍ରିୟାରେ ଏଭଳି ଘଟଣା ପୂର୍ବରୁ କେବେ ଘଟିନଥିଲା ।

ଏସବୁ ଭିତରେ ସିବିଆଇ ବିଚାରପତି ବିଏଚ ଲୋୟାଙ୍କ ମୃତ୍ୟୁ ମାମଲାରେ ନୁଆ ମୋଡ ଆସିଛି । ବିଏଚ ଲୋୟାଙ୍କ ପୁଅ ଅନୁଜ ଲୋୟା ପ୍ରେସମିଟ କରି କହିଥିଲେ ତାଙ୍କ ପିତାଙ୍କ ମୃତ୍ୟୁ ସନ୍ଦିଗ୍ଧ ନୁହେଁ, ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଛି । ଏଥିସହ ଅନୁଜ ଲୋୟା ଅନୁରୋଧ କହିଛନ୍ତି ପିତାଙ୍କ ମୃତ୍ୟୁ ପରେ ଆମେ ଦୁଃଖିତ ଅଛୁ, ଆଉ ତାଙ୍କ ପରିବାରକୁ ହଇରାଣ କରା ନଯାଉ ।

ଗତକିଛି ଦିନ ହେଲା ବିଏଚ ଲୋୟାଙ୍କ ମୃତ୍ୟୁକୁ ସନ୍ଦିଗ୍ଧ କହି ତାଙ୍କ ପରିବାରକୁ ହଇରାଣ କରାଯାଉଥିବା କହିଥିଲେ ଅନୁଜ । ଶୁକ୍ରବାର ସୁପ୍ରିମକୋର୍ଟର ୪ ବିଚାରପତି ମଧ୍ୟ ପ୍ରେସମିଟରେ ମଧ୍ୟ ବିଏଚ ଲୋୟାଙ୍କ ମୃତ୍ୟୁ ପ୍ରସଙ୍ଗ ଉଠାଇଥିଲେ । ସେହିପରି ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ କରି ଏହାର ନିରପେକ୍ଷ ତଦନ୍ତ ଦାବି କରିଥିଲେ, ହେଲେ ଅନୁଜଙ୍କ ଖଣ୍ଡନ ପରେ ଏହି ମୃତ୍ୟୁ ମାମଲା ନୂଆ ମୋଡ ନେଇଥିଲା ।