ପୁଣି ସରକାରଙ୍କୁ ଧମକ ଦେଲେ ଘରୋଇ ବସ୍ ମାଲିକ ସଂଘ ! ୧୪ ପୂର୍ବରୁ ଦାବି ପୂରଣ ନ ହେଲେ ସାରା ରାଜ୍ୟରେ ବସ୍ ଚଳାଚଳ ବନ୍ଦ

47

କନକ ବ୍ୟୁରୋ :  ଘରୋଇ ବସ୍‌ ମାଲିକମାନେ ସରକାରଙ୍କୁ ପୁଣି ଧମକ ଦେଇଛନ୍ତି । ଦୀର୍ଘ ଦିନ ଧରି ହେଉଥିବା ଦାବିଗୁଡ଼ିକ ପୂରଣ ପାଇଁ ମାର୍ଚ୍ଚ ୧୪ ତାରିଖ କଣ୍ଟ ରଖିଛନ୍ତି । ଏହି ତାରିଖ ପୂର୍ବରୁ ଦାବି ପୂରଣ ନ ହେଲେ ୧୪ ତାରିଖ ପୂର୍ବାହ୍ନରୁ ସାରା ରାଜ୍ୟରେ ୧୭ ହଜାର ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦେଇଛନ୍ତି ।

ରାଜ୍ୟ ବସ୍‌ ମାଲିକ ସଂଘର ଏକ ଜରୁରୀ ସାଧାରଣ ପରିଷଦ ବୈଠକ ଆଜି ସଭାପତି ପ୍ରକାଶ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସଂଘର ୧୧ ଦଫା ଦାବି ନେଇ ଆଲୋଚନା ହୋଇଥିଲା । ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରି ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା କରାଯାଇଛି । କିନ୍ତୁ ଦାବି ପୂରଣ ନେଇ ସରକାର ପଦକ୍ଷେପ ନେଉ ନ ଥିବାରୁ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା । ୧୪ ତାରିଖ ପୂର୍ବରୁ ସରକାର ଦାବି ମାନି ନ ନେଲେ ବସ୍‌ ଚଳାଚଳ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରଖାଯିବା ନେଇ ବୈଠକରେ ନିଷ୍ପତ୍ତି ହୋଇଛି ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ ସୂଚନା ଦେଇଛନ୍ତି । ବୈଠକରେ ସଂଘର ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଲୋକନାଥ ପାଣିଙ୍କ ସମେତ ସମସ୍ତ ଆଞ୍ଚଳିକ ସଂଘର ପ୍ରତିନିଧି ଉପସ୍ଥିତ ଥିଲେ ।