ନିସ୍ତାର ପାଇବେ ନାହିଁ ଜଣେ ବି ଆତଙ୍କୀ ! ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସୁଚିନ୍ତିତ ଯୋଜନା କରିଛନ୍ତି ସରକାର

85

କନକ ବ୍ୟୁରୋ : ଜମ୍ମୁ କଶ୍ମୀରରେ ଆତଙ୍କର ମେରୁଦଣ୍ଡ ଭାଙ୍ଗିବା ପାଇଁ ସରକାର ସୁଚିନ୍ତିତ ଯୋଜନା କରିଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ପରେ ଆତଙ୍କବାଦ ଦମନ ରଣନୀତିରେ ବଡ଼ ପରିବର୍ତ୍ତନ ଆସିଛି ଏବଂ ଭାରତ ଏ ଦିଗରେ କିଭଳି ପଦକ୍ଷେପ ନେଇପାରେ ତାହା ବିଶ୍ବ ଅବଗତ ହୋଇଛି । କୌଣସି ଜଣେ ବି ଆତଙ୍କବାଦୀ ଯେଭଳି ନିସ୍ତାର ପାଇବେ ନାହିଁ ସେ ଦିଗରେ ସୁରକ୍ଷା ବାହିନୀ ତା’ର କାର୍ଯ୍ୟ କରୁଛି ବୋଲି ପ୍ରଧାନମନ୍ତ୍ରୀ ମୋଦି ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । କଶ୍ମୀର ପଣ୍ଡିତଙ୍କ ସମସ୍ୟା ସମାଧାନ ପାଇଁ କେନ୍ଦ୍ର ସରକାର ଯୋଜନାବଦ୍ଧ ନୀତିରେ ଆଗକୁ ବଢ଼ୁଛନ୍ତି ଏବଂ ଏହାର ସୁଫଳ ମିଳିବ ବୋଲି ମୋଦି କହିଛନ୍ତି ।

କଶ୍ମୀରରେ ‘ଅଚ୍ଛେ ଦିନ’ ଫେରିବ ବୋଲି ପ୍ରତିଶ୍ରୁତି ଦେଇ ମୋଦି କହିଥିଲେ ଯେ ଯେଉଁମାନେ ଅନ୍ୟର ସ୍ବପ୍ନକୁ ମାରିଦିଅନ୍ତି ସେମାନେ ସବୁଠାରୁ ବଡ଼ କାପୁରୁଷ । କଶ୍ମୀରରେ ଯୁବ ଗୋଷ୍ଠୀ ଶାନ୍ତିର ମାର୍ଗକୁ ଚୟନ କଲେ କୌଣସି ବାହ୍ୟ ଶକ୍ତି ଏଠାରେ ହିଂସା ସୃଷ୍ଟି କରିପାରିବ ନାହିଁ ବୋଲି ସେ କହିଛନ୍ତି  । ଜମ୍ମୁ ଏବଂ ଶ୍ରୀନଗର ଡିଭିଜନରେ ଆଜି ୨ଟି ଏମ୍ସକୁ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଆଜି ପ୍ରଥମେ ଲେହ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଏବଂ ସେଠାରେ ମଧ୍ୟ ଏକ ଜନସଭାରେ ଉଦବୋଧନ ଦେଇଥିଲେ ।