ଓଡ଼ିଶା ଛାଡିଲେ ମହାମହିମ ! ୨ ଦିନଆ ଗସ୍ତ ଶେଷ କରି ‘ରାଜକମଲ’ରେ ଦିଲ୍ଲୀ ବାହୁଡିଗଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ

48

କନକ ବ୍ୟୁରୋ : ଓଡ଼ିଶା ଛାଡିଲେ ରାଷ୍ଟ୍ରପତି । ଦୁଇ ଦିନିଆ ଗସ୍ତ ଶେଷ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓଡ଼ିଶା ଛାଡ଼ିଛନ୍ତି। ରାଷ୍ଟ୍ରପତି ରାମନାଥ ବାୟୁସେନାର ସ୍ୱତନ୍ତ୍ର ବିମାନ ‘ରାଜକମଲ’ରେ ରବିବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସନ୍ଧ୍ୟା ୫ଟା ୩୦ରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବିମାନବନ୍ଦର ଛାଡ଼ିବା ପୂର୍ବରୁ ରାଷ୍ଟ୍ରପତି ଉପସ୍ଥିତ ଜନତାଙ୍କୁ ହାତ ହଲାଇ ବିଦାୟ ମାଗିଥିଲେ।

ଦୁଇ ଦିନିଆ ଓଡିଶା ଗସ୍ତ ଅବସରରେ ଆଜି ଶ୍ରୀମନ୍ଦିରକୁ ସପରିବାର ସହ ଗସ୍ତ କରି ଶ୍ରୀଜିଉଙ୍କ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହା ସହ ପୁରୀରେ ଆୟୋଜିତ ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନର ଶହେ ବର୍ଷ ପୂର୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ । ଏଠାରେ ସେ କହିଥିଲେ କଳାର ଉକ୍ରୃଷ୍ଟ ରାଜ୍ୟ ହେଉଛି ଓଡିଶା । ସେଥିପାଇଁ ଓଡିଶାର ନାଁ ଉକ୍ରଳ ରଖାଯାଇଛି । ସେହିପରି ପୁରୀରେ ଜନ୍ମିତ ସୁଯୋଗ୍ୟ ସନ୍ତାନଙ୍କୁ ବି ମନେ ପକାଇଥିଲେ ରାମନାଥ କୋବିନ୍ଦ । ସେ କହିଥିଲେ ସଂସ୍କୃତ ଭାଷାରେ ଅନେକ ପ୍ରସିଦ୍ଧ ପୁସ୍ତକ ରହିଛି ଓ ଏହି ଭାଷାକୁ ନେଇ ଅନୁସନ୍ଧାନ ଚାଲିଛି । ଅପରାହ୍ନରେ ସେ ଭୁବନେଶ୍ୱର ଅରଗୁଳ ସ୍ଥିତ ଆଇଆଇଟିର ସମାବର୍ତନ ଉତ୍ସବରେ ଯୋଗଦେଇଛନ୍ତି । ଏହି ଉତ୍ସବରେ ରାଜ୍ୟପାଳ ଏସସି ଜମିର, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମାନବ ସମ୍ବଳମନ୍ତ୍ରୀ ସତ୍ୟପାଲ ସିଂ ଉପସ୍ଥିିତ ଥିଲେ । ଅପରାହ୍ନ ସାଢେ ୫ଟାରେ ରାଷ୍ଟ୍ରପତି ଦିଲ୍ଲୀ ଫେରିଯାଇଛନ୍ତି । ଗତକାଲି ସେ ନେତାଜୀ ଜନ୍ମସ୍ଥଳୀ ପରିଦର୍ଶନ କରିବା ସହ ବିଜୁ ଜନ୍ମସ୍ଥଳୀ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରିଥିଲେ ।

ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ଅବସରରେ ଉନ୍ମୋଚିତ ହୋଇଛି ନବକଳେବର ସ୍ମାରକୀ ମୁଦ୍ରା । ହଜାରେ ଟଙ୍କିଆ ଓ ୧୦ ଟଙ୍କିଆ ମୁଦ୍ରାର ଶ୍ରୀଜିଉଙ୍କ ନବକଳେବର ଚିତ୍ର ଥାଇ ଏହି ମୁଦ୍ରା ପ୍ରସ୍ତୁତ ହୋଇଛି । ଏଥିରେ ଥିବା ୧୦ ଟଙ୍କିଆ ମୁଦ୍ରା ସାଧାରଣ ବ୍ୟବହାର ପାଇଁ ମଧ୍ୟ ପ୍ରଚଳନ ହେବ ବୋଲି ଜଣାପଡିଛି । ଚଳିତ ଶତାବ୍ଦୀର ପ୍ରଥମ ନବକଳେବର ଅବସର ଏହି ସ୍ମାରକୀ ମୁଦ୍ରା ପାଇଁ ରାଜ୍ୟ ସରକାର ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । ଏନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇ ମୁଦ୍ରାର ରୂପରେଖ ପ୍ରସ୍ତୁତ କରାଯାଇଥିଲା ।