ଗାଉଥିଲା ଓଡି଼ଶା, ଶୁଣୁଥିଲା ଦେଶ: ଗୃହରେ ଗୀତ ଗାଇଲେ, ଗପ କହିଲେ ପ୍ରତାପ ଷଡ଼ଙ୍ଗୀ ।

802

କନକ ବ୍ୟୁରୋ: ଗୀତ ଗାଉଥିଲା ଓଡିଶା, କାନ ଡେରି ଶୁଣୁଥିଲା ଦେଶ । ପବିତ୍ର ଗୃହରୁ ପ୍ରତାପଙ୍କ ଗପ-ଗୀତ ଶୁଣୁଥିଲା ସାରା ଭାରତ । ଓଡିଆ ନେତାଙ୍କ ଓଜସ୍ୱନୀ ଭାଷଣ ଶୁଣି ସ୍ତବ୍ଧ ହୋଇଥିଲେ ସମସ୍ତେ । ପ୍ରାୟ ଘଣ୍ଟାଏ କାଳ ଓଡିଆ ସାଂସଦଙ୍କ ଅନର୍ଗଳ ଭାଷଣ ସମସ୍ତଙ୍କୁ ବାନ୍ଧି ରଖିଥିଲା । ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଆଗତ ହୋଇଥିବା ଧନ୍ୟବାଦ ପ୍ରସ୍ତାବ ବିତର୍କକୁ ଆରମ୍ଭ କରିବା ପାଇଁ ଏନଡିଏ ସରକାର ମତ୍ସ୍ୟ ଓ ପଶୁସମ୍ପଦ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀକୁ ସୁଯୋଗ ଦେଇଥିଲା । ଆଉ ଧନ୍ୟବାଦ ଦେବା ଅବସରରେ ପ୍ରତାପ ପାଞ୍ଚ ପାଞ୍ଚଟି ଭାଷାରେ ଭାଷଣ ଦେଇ ସମସ୍ତଙ୍କୁ ତାଜୁବ କରି ଦେଇଥିଲେ । ହିନ୍ଦୀ, ଇଂରାଜୀ, ଓଡିଆ, ସଂସ୍କୃତ ଓ ବଙ୍ଗାଳୀ ଭାଷାରେ ଓଜସ୍ୱନୀ ଭାଷଣ ଦେଇ ଓଡିଶାର ଗୌରବକୁ ଦ୍ୱିଗୁଣିତ କରିଥିଲେ ପ୍ରତାପ ।

ତେବେ ଭାଷଣ ଆରମ୍ଭରୁ ମୋଦିଙ୍କୁ ଧନ୍ୟବାଦ ଦେଇଥିଲେ । ପ୍ରଥମ ଥର ପାଇଁ ଲୋକସଭା ଆସିଥିବା ନେତାକୁ ଏତେ ବଡ ସୁଯୋଗଟେ ଦେଇଥିବାରୁ ମୋଦିଙ୍କୁ ଧନ୍ୟବାଦ ଦେବା ସହ ଯେଉଁମାନେ ତାଙ୍କୁ ଜିତାଇ ଏଠାକୁ ପଠାଇଛନ୍ତି ସେମାନଙ୍କୁ ଧନ୍ୟବାଦ ଦେବାକୁ ମଧ୍ୟ ଭୁଲିନଥିଲେ ପ୍ରତାପ । ତେବେ ନୂଆ ଭାରତର କଥା କହି ଭାଷଣ ଆରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ନୂଆ ଭାରତରେ ସମସ୍ତଙ୍କ ପାଖରେ ଘର, ସମସ୍ତଙ୍କ ପାଖରେ ପାଇଖାନା ଥିବ । ମହିଳାମାନେ ନିଜକୁ ସୁରକ୍ଷିତ ଭାବୁଥିବେ । ଆଉ ଏସବୁ ବିକାଶର ବିକଳ୍ପ, ମୋ ସର୍ଦ୍ଦାର ହିଁ କରିପାରିବେ ବୋଲି ମୋର ବିଶ୍ୱାସ ଅଛି କହି ଆରମ୍ଭରୁ ମୋଦିଙ୍କ ଗୁଣ ଗାଇଥିଲେ ପ୍ରତାପ ।

ଓଡିଶାର ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ ଓ ଗୋପବନ୍ଧୁଙ୍କ କଥା ଗୃହରେ ଉଠାଇଥିଲେ ପ୍ରତାପ ଷଡଙ୍ଗୀ । ଅତୀତରେ ଦେଶର ବିକାଶ ପାଇଁ, ଜାତିର ବିକାଶ ପାଇଁ ମହାପୁରୁଷମାନେ ନିଜକୁ ସମର୍ପି ଦେଇଥିଲେ । ଠିକ ସେହିଭଳି ମୋଦି ନିଜ ଜୀବନକୁ ସମାଜକୁ ସମର୍ପି ଦେଇଛନ୍ତି । ମୋଦିଙ୍କ ଦେଶସେବା ବଖାଣିବାକୁ ଯାଇ ପ୍ରତାପ ଉକ୍ରଳମଣୀ ଗୋପବନ୍ଧୁ ଦାସଙ୍କ ରଚିତ ଗୀତ ଗାଇଥିଲେ ।

‘ମୋ ପ୍ରାଣ ପ୍ରେମ ଧାରେ ଭାସିବ ଧରା
ଜଗତ ହେଉ ମୋର ପ୍ରେମ ପସରା…’ ।
‘ ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ…’

କବିତା ମଧ୍ୟ ସଂସଦରେ ଗାଇଥିଲେ ସାଂସଦ ।

ତେବେ ମୋଦିଙ୍କ ପ୍ରତି ବିରୋଧୀଙ୍କ ବଢୁଥିବା ଅସହିଷ୍ଣୁତାକୁ ଅଭିଭାଷଣରେ ସ୍ଥାନ ଦେଇଥିଲେ ପ୍ରତାପ । ଦେଶର ବିକାଶ ପାଇଁ ଅହରହ ଭାବୁଥିବା ଲୋକକୁ ବିରୋଧୀ କାହିଁକି ସହି ପାରୁନାହାନ୍ତି । ମୋଦିଙ୍କୁ ସହି ପାରୁନଥିବା ଲୋକଙ୍କୁ ପୁଣି ଥରେ ପ୍ରଧାନମନ୍ତ୍ରୀ କରାଇଥିବାରୁ କଂଗ୍ରେସ ସମେତ ଅନ୍ୟ ବିରୋଧୀଙ୍କୁ ମଧ୍ୟ ଧନ୍ୟବାଦ ଦେଇଥିଲେ । ଏହି ଅବସରରେ ଏକ ଗପ କହି ବିରୋଧୀଙ୍କୁ ବାକ୍ ବାଣ ମାରିଥିଲେ ପ୍ରତାପ । ରାମୟଣ କଥାବସ୍ତୁ ଉପରେ ଏକ ଗପ କହି କଂଗ୍ରେସକୁ କଟାକ୍ଷ କରିଥିଲେ ଶ୍ରୀଯୁକ୍ତ ଷଡଙ୍ଗୀ । ଡ୍ରାମାରେ ଭିଲେନ ବିନା ହିରୋକୁ କିଏ ଜାଣେ ? ରାମାୟଣରେ କୈକେୟୀ ନଥିଲେ ରାମଙ୍କୁ କିଏ ଜାଣିଥାନ୍ତା ? କୈକେୟୀଙ୍କ ପାଇଁ ରାମ ୧୪ ବର୍ଷ ବନବାସ ନଯାଇଥିଲେ ରାମଚନ୍ଦ୍ରଙ୍କୁ ଲୋକେ କେମିତି ଜାଣିଥାନ୍ତେ ? ରାମ ଅଯୋଧ୍ୟାର ରାଜା ହୋଇ ମରି ଯାଇଥାନ୍ତା ସିନା ତାଙ୍କୁ କେହି ଚିହ୍ନି ନଥାନ୍ତେ ବୋଲି କୈକେୟୀଙ୍କୁ ରାମ କହିଥିଲେ । ଠିକ ସେହିଭଳି ବିରୋଧୀ ନଥିଲେ କି କଂଗ୍ରେସ ନଥିଲେ ମୋଦି କେମିତି ଦେଶର ପ୍ରଧାନମନ୍ତ୍ରୀ ହୋଇଥାନ୍ତେ ବୋଲି କହି ସୋନିଆଙ୍କୁ ସମାଲୋଚନାର ଶବ୍ଦ ଶରରେ କ୍ଷତାକ୍ତ କରିଛନ୍ତି ପ୍ରତାପ ।

ସେହିଭଳି ପଶ୍ଚିମବଙ୍ଗ ହିଂସା ପ୍ରସଙ୍ଗରେ ପ୍ରତାପ କହୁକହୁ ମମତାଙ୍କୁ ମିଶାଇଲ ମାରିଥିଲେ । ବଙ୍ଗଳା ଭାଷାରେ ଭାଷଣ ଦେଇ ମମତାଙ୍କୁ ଖତେଇ ହୋଇଥିଲେ ପ୍ରତାପ । ବେଙ୍ଗଲରେ ରାମ ନାମ ନିଷିଦ୍ଧ କଥା ଉଠାଇ ବଙ୍ଗଳାରେ ପଶ୍ଚିମବଙ୍ଗ ସାଂସଦଙ୍କୁ ଥଟ୍ଟା କରିଥିଲେ ଶ୍ରୀଯୁକ୍ତ ଷଡଙ୍ଗୀ । ଯାତ୍ରା ପାର୍ଟିର ଷ୍ଟେଜ ବଦଳିବା ପରି ମମତା ସରକାରଙ୍କ ଷ୍ଟାଣ୍ଡ ବଦଳିଯାଉଛି । ତେବେ ପଶ୍ଚିମବଙ୍ଗ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ପ୍ରତାପ ବଙ୍ଗଳା ଭାଷାରେ ‘ନିରପେକ୍ଷ ମଣିଷ’ ଶୀର୍ଷକ ଏକ ଗପ କହିଥିଲେ । ଟ୍ରେନରେ ପକେଟ ଚୋରଙ୍କ କଥା ଉପରେ ଆଧାରିତ ଏହି ଗପକୁ ଗୃହରେ କହି ପ୍ରତାପ ଦିଲ୍ଲୀରୁ ବେଙ୍ଗଲକୁ ବାକ୍ ବୋମା ଫିଙ୍ଗିଥିଲେ ।

ତେବେ ଦୀର୍ଘ ଘଣ୍ଟାଏ କାଳ ପ୍ରତାପଙ୍କ ଏହି ସବୁ କଥାକୁ ମନଭରି ଶୁଣୁଥିଲେ ସମସ୍ତେ । ଯଦିଓ ବିରୋଧୀ ମୋଦି-ମମତାଙ୍କ ନାଁ ଶୁଣି ଟିକେ ହଙ୍ଗାମା କରିଥିଲେ ହେଲେ ପ୍ରାୟ ସମୟ ଧରି ବିରୋଧୀ ମଧ୍ୟ ପ୍ରତାପଙ୍କ କଥାକୁ ଶାନ୍ତିଶୃଙ୍ଖଳାର ସହ ଶୁଣୁଥିଲେ । ଗୃହର ନିରବତା ମଧ୍ୟରେ ସମସ୍ତେ ନିମଗ୍ନ ହୋଇ ତାଙ୍କ ଅନର୍ଗଳ ଭାଷଣର ଠାଏ ଠାଏ ଶବ୍ଦ ଶୁଣୁଥିଲେ । ସଂସଦର ସେ ଦୃଶ୍ୟରୁ ଏମିତି ଲାଗୁଥିଲା ଯେମିତି ଗୃହରେ ଗପର ପେଡି ଖୋଲିଛନ୍ତି ପ୍ରତାପ ନନା ଆଉ ମନକର୍ଣ୍ଣ ଦେଇ ଶୁଣୁଛନ୍ତି ସମସ୍ତେ ।

ଶୁଣନ୍ତୁ ପ୍ରତାପଙ୍କ ପୂରା ଭାଷଣ…