ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି ! ପ୍ରଶାନ୍ତ କିଶୋରଙ୍କ ଭବିଷ୍ୟବାଣୀ

591

କନକ ବ୍ୟୁରୋ : ପୁଣି ଥରେ ଚାଲିବ ମୋଦିଙ୍କ ଶାସନ । ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ ନରେନ୍ଦ୍ର ମୋଦି । ବିହାରର ଶାସକ ଜେଡ଼ିୟୁର ଉପାଧ୍ୟକ୍ଷ ପ୍ରଶାନ୍ତ କିଶୋର ସୋମବାର ଦିନ ଏକ ଇଭଣ୍ଡେରେ ସାକ୍ଷାତକାର ସମୟରେ କହିଛନ୍ତି ଆଗାମୀ ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବେ  । ନୀତିଶ କୁମାର ଏଡ଼ଡିଏର ସବୁଠାରୁ ବଡ଼ ନେତା ଭାବେ ସାମ୍ନାକୁ ଆସିବେ । ପ୍ରଶାନ୍ତ, କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ ଭାବନ୍ତି ନାହିଁ । ସେ କହିଛନ୍ତି କାହା ପାଖରେ କୌଣସି ଯାଦୁର ବାଡ଼ି ନାହିଁ । ଅତି ଅଳ୍ପ ସମୟରେ ଆସିଥିବାରୁ ତାଙ୍କୁ ଲୋକସଭା ନିର୍ବାଚନରେ ଚ୍ୟାଲେଞ୍ଜ ଭାବୁନାହାନ୍ତି ପ୍ରଶାନ୍ତ କିଶୋର । ଏହାସହ ସେ କହିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତିଦ୍ୱନ୍ଦି ହେବେନି ପ୍ରିୟଙ୍କା । କିନ୍ତୁ ରାଜନୀତିରେ ତାଙ୍କର ପ୍ରବେଶ ପରେ ଭବିଷ୍ୟତରେ ନିଶ୍ଚୟ ପ୍ରଭାବ ପଡ଼ିବ ।

ପ୍ରଶାନ୍ତ କିଶୋର ସ୍ପଷ୍ଟ କରିଛନ୍ତି , ଚଳିତ ଥର ମୋଦି ହିଁ ଏନଡିଏର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଏବଂ ପୁଣି ଥରେ ଦେଶରେ ଚାଲିବ ମୋଦିଙ୍କ ଶାସନ । ଭାଜପା ଓ ଶିବସେନା ପରେ ଜେଡ଼ିୟୁ ସବୁଠାରୁ ବଡ ପାର୍ଟି ଭାବେ ଉଭା ହେବ । ନିକଟରେ କିଶୋର ମହାରାଷ୍ଟ୍ରରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକେରଙ୍କୁ ସାକ୍ଷାତ କରିଥିଲେ।

ସୂଚନାଯୋଗ୍ୟ ୨୦୧୪ରେ ବିଜେପିର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ପ୍ରଶାନ୍ତ କିଶୋର । ୨୦୧୪ରେ ଲୋକସଭା ନିର୍ବାଚନ ପୂର୍ବରୁ ୨୦୧୨ରେ ଗୁଜରାଟ ନିର୍ବାଚନ ସମୟରେ ମଧ୍ୟ ପ୍ରଶାନ୍ତ କିଶୋର, ନରେନ୍ଦ୍ର ମୋଦିଙ୍କ ନିର୍ବାଚନୀ ରଣନୀତିଜ୍ଞ ଭାବେ କାମ କରିଥିଲେ । ତେବେ ପରେ ଅମିତ ଶାହଙ୍କ ସହ ମନୋମାଳିନ୍ୟ ଯୋଗୁଁ ପ୍ରଶାନ୍ତ କିଶୋର ବିହାର ନିର୍ବାଚନ ସମୟରେ ନୀତିଶ କୁମାରଙ୍କ ସହ ଯୋଡ଼ି ହୋଇଥିଲେ । ଜେଡ଼ିୟୁରେ ସାମିଲ ହେବାପୂର୍ବରୁ ନିର୍ବାଚନୀ ପରାମର୍ଶଦାତା ବା ରଣନୀତିକାର ଭାବେ ଉତ୍ତରପ୍ରଦେଶ ବିଧାନସଭା ନର୍ବାଚନରେ କଂଗ୍ରେସକୁ ସାହାଯ୍ୟ କରିଥିଲେ ପ୍ରଶାନ୍ତ କିଶୋର ।