ହାତୀ ପାଇଁ ବିଜୁଳି କାଟ୍ : ହାତୀ ମଲାପରେ ୧୫ଟି ଗାଁର ଲୋକଙ୍କୁ ମିଳୁନି ବିଜୁଳି

27

କନକ ବ୍ୟୁରୋ : ଢ଼େଙ୍କାନାଳ ଜିଲ୍ଲା ବୋରପଦା ଜଙ୍ଗଲରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଏହି ୩ଟି ହାତୀ ମରିବା ଘଟଣା ଏବେ ୧୫ ଖଣ୍ଡ ଗାଁ ପାଇଁ ସତେ ଯେମିତି ଅଭିଶାପ ପାଲଟି ଯାଇଛି । ହାତୀଙ୍କୁ ସୁରକ୍ଷିତ ରଖିବାରେ ସିଧାସଳଖ କୌଣସି ଭୂମିକା ନଥିବା ୧୫ଟି ଗାଁ ଲୋକ ଏବେ ଗରମ ଓ ଗୁଳିଗୁଳି ଭିତରେ ହାତ ଫଙ୍କାକୁ ସାହାରା କରି ଚଳୁଛନ୍ତି । ଆଉ ରାତି ହେଲେ କିଟି କଟି ଅନ୍ଧାର । ବିଜୁଳି ସଂସ୍ପର୍ଶରେ ଆସି ୩ଟି ହାତୀ ମରିଯିବା ପରେ ମରାମତି ଆଳ କରି ୩ଦିନ ହେଲା ଏହି ଅଂଚଳରେ ଲାଇନ୍ କାଟି ଦିଆଯାଇଛି ।

ବନ୍ୟଜନ୍ତୁଙ୍କୁ ସୁରକ୍ଷା ଦେବାର ଦାୟିତ୍ୱ ହେଉଛି ବନବିଭାଗର ଆଉ ବିଜୁଳି ଯୋଗାଇବା ଦାୟିତ୍ୱ ହେଉଛି ବିଦ୍ୟୁତ୍ ବିଭାଗର । ଏହି ଦୁଇ ବିଭାଗ ଭିତରେ ତାଳମେଳ ରହୁନଥିବାରୁ କେତେବେଳେ ତାର ଝୁଲି ଯାଉଛି ତ ଆଉ କେତେବେଳେ ବନ୍ୟଜନ୍ତୁ ଜନବସତିକୁ ପଶି ଆଉଛନ୍ତି । ଆଉ ଯାହାବି ହେଲେ ସମସ୍ୟାରେ ପଡୁଛନ୍ତି-ଏହି ଅଂଚଳରେ ବସବାସ କରୁଥିବା ଲୋକେ । ଏପଟେ ଏହି ବିଭ୍ରାଟ୍ ପାଇଁ ଠିକା ସଂସ୍ଥା ଏନଜେଏନକୁ ଦାୟି କରିଛି ବନ ବିଭାଗ ।