ଭୁବନେଶ୍ୱର ଓ ଭଦ୍ରକ ସହର ସଟଡାଉନ : ସଟଡାଉନରେ ଲକଡାଉନ୍ ପାସ୍ ବାତିଲ୍ । ଘରୁ ବାହାରିଲେ କ୍ୱାରଣ୍ଟାଇନରେ ରହିବେ ।

567

କନକ ବ୍ୟୁରୋ : କରୋନା ଭୂତାଣରୁ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୪୮ ଘଣ୍ଟା ପାଇଁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର । ଆଜି ରାତି ଆଠଟାରୁ ରବିବାର ରାତି ୮ଟା ପର୍ଯ୍ୟନ୍ତ ସଟଡାଉନ୍ ରହିବ ଭୁବନେଶ୍ୱର ଓ ଭଦ୍ରକ ସହର । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଚିହ୍ନଟ ହୋଇଥିବା କରୋନା ସକ୍ରଂମିତଙ୍କ ମଧ୍ୟରୁ ୮୦ ପ୍ରତିଶତ ଭୁବନେଶ୍ବରରୁ ଓ ଭଦ୍ରକରୁ ୨୦ ପ୍ରତିଶତ ଥିବାରୁ ଏପରି କଡ଼ା ପଦକ୍ଷେପ ନିଆଯାଇଛି । ତେବେ ଏହି ସମୟସୀମା ମଧ୍ୟରେ ଘରୁ ବାହାରିବା ପୁରାପୁରି ବନ୍ଦ କରିଦିଆଯାଇଛି । ପୁଲସି ମହାନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ, ନିୟମ ଭାଙ୍ଗିଲେ ୧୪ ଦିନ ପର୍ଯ୍ୟନ୍ତ କ୍ୱାରେଣ୍ଟାଇନରେ ରହିବେ ।

ଲକଡାଉନ୍ କର୍ଫ୍ୟୁ ଠାରୁ ଟିକିଏ କମ୍ ଥିଲା । ହେଲେ ସଟଡାଉନ୍ ପାଖାପାଖି କର୍ଫ୍ୟୁ ପରି । ଲକଡାଉନ୍ ସିଷ୍ଟମର ନିୟମରେ ଆମୂଳଚୂଳ ପରିବର୍ତ୍ତନ କରାଯାଇଛି । ସଟଡାଉନରେ କୌଣସି ଦୋକାନ ବଜାର ଖୋଲା ରହିବ ନାହିଁ । ଏମିତିକି ପରିବା, କ୍ଷୀର, ରାସନ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ତେବେ ଏହି ସମୟ ମଧ୍ୟରେ ଜାତୀୟ ରାଜପଥ ଉପରେ ମାଲବାହୀ ଗାଡି ଚଳାଚଳରେ କୌଣସି କଟକଣା ରହିବ ନାହିଁ ।

ଏହାବ୍ୟତୀତ ମେଡ଼ିକାଲ ସେବାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ସଟଡାଉନ ସମୟରେ ମେଡ଼ିକାଲ ସେବା ସମ୍ପୂର୍ଣ୍ଣ ଖୋଲା ଥିଲା । ହେଲେ ଏହି ୪୮ ଘଣ୍ଟାରେ ମେଡ଼ିକାଲ ସେବାକୁ ଆଂଶିକ ସଙ୍କୁଚିତ କରାଯିବ । ଔଷଧ ଦୋକାନ ସଂଖ୍ୟା କମିଯିବ । ପ୍ରଶାସନର ନିଷ୍ପତ୍ତି ଅନୁସାରେ ଖୋଲିବ ଔଷଧ ଦୋକାନ । ଛୋଟମୋଟ ରୋଗ ପାଇଁ ଘରୁ ନାବାହାରିବାକୁ ପରାମର୍ଶ ଦିଆଯାଇଛ । ପରିସ୍ଥିତିର ଗମ୍ଭୀରତାକୁ ଦୃଷ୍ଟିରୁ ରଖି ଭୁବନେଶ୍ୱରରେ ଆମ୍ବୁଲାନ୍ସ ସେବା ବଢ଼ାଇ ଦିଆଯାଇଛି । ଅତି ଜରୁରୀ ଥିଲେ ଆପଣ ଫୋନ୍ କଲେ ଆମ୍ବୁଲାନ୍ସ ଆପଣଙ୍କ ଘର ଆଗରେ ଛିଡ଼ାହୋଇଯିବ ବୋଲି କହିଛନ୍ତି ପୋଲିସ୍ ଡିଜି ।

ଏହି ସମୟରେ କୌଣସି ପାସ୍ କାମ କରିବ ନାହିଁ । ଲକଡାଉନ ସମୟରେ ଅତ୍ୟାବଶ୍ୟକ ସେବା ପାଇଁ ଅନେକ ଲୋକଙ୍କୁ ପାସ୍ ଦିଆଯାଇଛି । ହେଲେ ସଟଡାଉନରେ ସେହି ପାସକୁ ବାତିଲ୍ କରିଦିଆଯାଇଛି । ଲକଡାଉନ୍ ପାସ୍ ଦେଖାଇ ସଟଡାଉନରେ ଘରୁ ବାହାରି ପାରିବେ ନାହିଁ । ଏହି ସମୟ ପାଇଁ ନୂଆ ସଟଡାଉନ୍ ପାସ୍ ଉପଲବ୍ଧ କରାଯିବ । ଅତ୍ୟାବଶ୍ୟକ ସେବାରେ ଥିଲେ ପାସ୍ ଯୋଗାଇ ଦିଆଯିବ ବୋଲି କହିଛନ୍ତି ପୋଲିସ୍ ମହାନିର୍ଦ୍ଦେଶକ ।