ପାକିସ୍ତାନର ଲଢୁଆ ବୁଡାଜାହାଜ କହିବ ଭାରତୀୟ ନୌସେନାର ବିଜୟ ଗାଥା! ୪୭ ବର୍ଷ ପରେ ବିଶାଖାପାଟଣା ସମୁଦ୍ରରୁ ମିଳିଲା ପିଏନଏସ୍ ଗାଜିର ଧ୍ୱଂସାବଶେଷ

129

କନକ ବ୍ୟୁରୋ : ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧର ଦୀର୍ଘବର୍ଷ ପରେ ଭାରତୀୟ ନୌସେନାକୁ ଏକ ବଡ ସଫଳତା ମିଳିଛି । ୧୯୭୧ ଭାରତ ପାକିସ୍ତାନ ଯୁଦ୍ଧରେ ଭାରତୀୟ ନୌସେନାର ଆଇଏନଏସ ରାଜପୁତ ଦ୍ୱାରା ଧ୍ୱଂସ ପ୍ରାପ୍ତ ହୋଇଥିବା ପାକିସ୍ତାନର ପ୍ରଥମ ଲଢୁଆ ବୁଡ଼ାଜାହଜ ପିଏନଏସ ଗାଜିର ଧ୍ୱଂସାବଶେଷର ସନ୍ଧାନ ମିଳିଛି । ବିଶାଖାପାଟଣା ଉପକୂଳରେ ଏହି ଧ୍ୱାଂସାବଶେଷ ମିଳିଛି । ବିଶାଖାପାଟଣା ବନ୍ଦରଠାରୁ କିଛି ଦୂରରେ ୨୮ ମିଟର ଗଭୀର ସମୁଦ୍ରରେ ଏହି ଧ୍ୱଂସାବଶେଷ ମିଳିଥିବା ସୂଚନା ମିଳିଛି । ଭାରତୀୟ ନୌସେନା ପକ୍ଷରୁ ଏହାର ସଂଧାନ କରାଯାଇଛି । ତେବେ ଏ ସଂପର୍କରେ ଅଧିକ ତଥ୍ୟ ଦେବାକୁ ନୌସେନା ମନା କରିଦେଇଛି । କିନ୍ତୁ ଏହା ସ୍ପଷ୍ଟ ଯେ ଏହି ବୁଡ଼ାଜାହଜକୁ ବାହାରକୁ ଆଣିଲେ ଅନେକ ରହସ୍ୟର ସମାଧାନ ହୋଇପାରିବ ।

ସୂଚନାଯୋଗ୍ୟ ଯେ ୧୯୭୧ ଯୁଦ୍ଧରେ ଭାରତର ପୂର୍ବ ଉପକୂଳ ଉପରେ ଆକ୍ରମଣ କରିବାକୁ ପିଏନଏସ ଗାଜିକୁ ପାକିସ୍ତାନ ପଠାଇଥିଲା । କିନ୍ତୁ ରହସ୍ୟଜନକ ଭାବେ ଏଥିରେ ବିସ୍ଫୋରଣ ହୋଇ ବୁଡ଼ିଯାଇଥିଲା । ସେତେବେଳେ ଏଥିରେ ପ୍ରାୟ ୯୦ ଜଣ ପାକିସ୍ତାନି ସୈନିକ ଥିଲେ । ଭାରତୀୟ ନୌସେନାର ଆଇଏନଏସ ବିକ୍ରାନ୍ତର ଟୋର୍ପେଡୋ ମାଡରେ ଏହା ଧ୍ୱଂସ ହୋଇଥିବା ବିଶ୍ୱାସ କରାଯାଏ । କିନ୍ତୁ ପାକିସ୍ତାନ ଏପର୍ୟ୍ୟନ୍ତ ଏହାକୁ ମାନିବାକୁ ନାରାଜ । ଇଲେକ୍ଟ୍ରିକ ସର୍ଟ ସର୍କିଟ ଦ୍ୱାରା ଅଗ୍ନିକାଣ୍ଡ ଯୋଗୁଁ ବିସ୍ଫୋରଣ ଯୋଗୁଁ ଏହା ବୁଡ଼ିଯାଇଥିଲା ବୋଲି ପାକିସ୍ତାନ କହୁଛି । ଏହି ବୁଡ଼ାଜାହଜକୁ ପାକିସ୍ତାନ ଆମେରିକାଠାରୁ ଭଡ଼ାରେ ଆଣିଥିଲା । ଏହାର ମୂଳ ଆମେରିକୀୟ ନାଁ ୟୁଏସଏସ ଡାୟାବ୍ଲୋ । ଏହା ୧୯୪୫ରୁ ୧୯୬୫ ପର୍ୟ୍ୟନ୍ତ ଆମେରିକା ନୌସେନାରେ ସାମିଲ ଥିଲା ।