ବହୁ ଚର୍ଚ୍ଚିତ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗରେ ମୋଦିଙ୍କ ବଡ ବୟାନ: କହିଲେ, ରାମ ମନ୍ଦିର ଅଧ୍ୟାଦେଶ ଏବେ ନୁହେଁ, ବିଚାରପ୍ରକ୍ରିୟା ଶେଷ ହେବା ପରେ ଯାଇ ନିଆଯିବ ନିଷ୍ପତି

89

କନକ ବ୍ୟୁରୋ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ କୋର୍ଟ କ’ଣ ରାୟ ଦେଉଛନ୍ତି, ତାହାକୁ ଅପେକ୍ଷା କରାଯିବ। ଏହାପୂର୍ବରୁ ଅଧ୍ୟାଦେଶ ଜାରି କରାଯିବ ନାହିଁ। ଏହି ପ୍ରସଙ୍ଗରେ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ଚାପ ପଡ଼ୁଥିବାବେଳେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଅଯୋଧ୍ୟା ଜମି ବିବାଦ ମାମଲା ଏବେ ସୁପ୍ରିମ୍ କୋର୍ଟରେ ରହିଛି। ସୁପ୍ରିମ୍ କୋର୍ଟରେ ବିଚାର ଶେଷ ନ ହେବା ପର‌୍ୟ୍ୟନ୍ତ ଏଥିପାଇଁ ଅଧ୍ୟାଦେଶ ଅଣାଯାଇ ପାରିବ ନାହିଁ। ରାମ ମନ୍ଦିର ନିର୍ମାଣ ବାଟରେ କଂଗ୍ରେସ ବାଧକ ସାଜୁଥିବାରୁ ବିଚାର ପ୍ରକ୍ରିୟା ବିଳମ୍ବ ହେଉଛି। ତଥାପି ଏଥିପାଇଁ ଧୈର‌୍ୟ୍ୟର ସହ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଏଏନଆଇକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ଅଧ୍ୟାଦେଶ ବାବଦରେ ସ୍ପଷ୍ଟ କରାଯାଇଛି। ବିଚାରପ୍ରକ୍ରିୟା ଶେଷ ନ ହେବା ପର‌୍ୟ୍ୟନ୍ତ ଅଧ୍ୟାଦେଶ ଆସିବ ନାହିଁ। ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ନିର୍ମାଣ ପାଇଁ ହିନ୍ଦୁ ସଂଗଠନଗୁଡ଼ିକ ପ୍ରବଳ ଚାପ ପକାଉଛନ୍ତି। ଏମିତି କି ଏନ୍ଡିଏ ସହଯୋଗୀ ଶିବସେନା ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଅଧ୍ୟାଦେଶ ଆଣିବା ପାଇଁ ଚାପ ପକାଇଥିଲା। ରାମ ମନ୍ଦିର ନିର୍ମାଣ ନହେଲେ ଏନଡିଏ ସହ ମେଣ୍ଟ ହେବା କଷ୍ଟକର ହେବ ବୋଲି ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କହିଥିଲେ।

ସେପଟେ, ରାମମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପୂର୍ବରୁ ଅଧ୍ୟାଦେଶ ଅଣାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିବା ପରେ ଆରଏସଏସ ପ୍ରତିକ୍ରିୟା ରଖିଛ ିା ପ୍ରଧାନମନ୍ତ୍ରୀଙ୍କ ବୟାନକୁ ସ୍ୱାଗତ କରିଛି ଆରଏଏସ । ସଂଘ ତରଫରୁ ଟ୍ୱିଟ କରି କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀଙ୍କ ବୟାନ ଏକ ସରକାତ୍ମକ ପଦକ୍ଷେପ । ସଂଘ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ବୟାନ ବିଜେପିର ପାଲମପୁର ଅଧିବେଶନରେ ପାରିତ ପ୍ରସ୍ତାବର ଅନୁରୂପ । ଏହି ପ୍ରସ୍ତାବ ୧୯୮୯ ମସିହାରେ ପାରିତ ହୋଇଥିଲା । ସଂଘ କହିଛି, ମୋଦିଙ୍କ ଉପରେ ଭରସା କରି ଲୋକେ ସରକାରଙ୍କୁ ବହୁମତ ଦେଇଛନ୍ତି । ତେଣୁ ସରକାର ଶୀଘ୍ର ନିଜ ପ୍ରତିଶ୍ରୃତି ପାଳନ କରନ୍ତୁ । ଦେଶର ଲୋକ ଏହି ଅପେକ୍ଷା କରିଛନ୍ତି ।

ଏହି ସାକ୍ଷାତକାରରେ ମୋଦୀ ସର୍ଜିକାଲ୍ ଷ୍ଟ୍ରାଇକ୍ କଥା ମଧ୍ୟ ଉଠାଇଛନ୍ତି। ଭାରତୀୟ ସେନାଙ୍କ ଉରି ଘାଟି ଉପରେ ପାକିସ୍ତାନୀ୍ ଆତଙ୍କବାଦୀଙ୍କ ଆକ୍ରମଣର ଜବାବ ସ୍ବରୂପ ୨୦୧୬ରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରାଯାଇଥିଲା। ତେବେ ଯବାନଙ୍କ କଥା ଚିନ୍ତା କରିବାକୁ ପଡ଼ିଥିଲା। ତାଙ୍କ କହିବାନୁଯାୟୀ ସର୍ଜିକାଲ୍ ଷ୍ଟ୍ରାଇକରେ ସାମିଲ ହୋଇଥିବା ଯବାନଙ୍କୁ ଆକ୍ରମଣରେ ସଫଳ କିମ୍ବା ବିଫଳ ହେବା ପରେ ଏ ନେଇ ଅଧିକ ଚିନ୍ତା ନକରି ସୂଯ୍ୟୋଦୟ ପୂର୍ବରୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଏକ ବଡ଼ ଆହ୍ବାନ ଥିଲା। ଯାହା ହେଲେ ବି ଆମ ଯବାନଙ୍କ ସୁରକ୍ଷା ନେଇ ଆମେ ବେଶି ଚିନ୍ତିତ ଥିଲୁ। ପରଦିନ ସକାଳେ ପ୍ରାୟ ଘଣ୍ଟାଏ ପର‌୍ୟ୍ୟନ୍ତ କୌଣସି ସୂଚନା ମିଳିନଥିଲା। ଏହାପରେ ଆମର ଚିନ୍ତା ବଢ଼ିଯାଇଥିଲା। ଏହି ସମୟ ମୋ ପାଇଁ ବେଶ୍ କଷ୍ଟକର ଥିଲା।

ତିନି ତଲାକ୍ ବାବଦରେ ମୋଦୀ କହିଛନ୍ତି, ଅଧିକାଂଶ ଇସ୍ଲାମିକ୍ ରାଷ୍ଟ୍ର ଏହାକୁ ନିଷେଧ କରିସାରିଲେଣି। ଏମିତି କି ପାକିସ୍ତାନ ମଧ୍ୟ ଏହି ପ୍ରଥା ବନ୍ଦ କରିସାରିଲାଣି। ତେଣୁ ଏହା କୌଣସି ଧର୍ମ କିମ୍ବା ବିଶ୍ବାସ ସହ ଜଡ଼ିତ ନୁହେଁ, ବରଂ ଲିଙ୍ଗଗତ ସମାନତା ଉପରେ ନିର୍ଭର କରୁଛି। ଏଥିସହ ତିନି ତଲାକ୍ ବିଲ୍କୁ ସବରିମାଳା ମନ୍ଦିର ସହ ନଯୋଡ଼ିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସବରିମାଳା ମନ୍ଦିର ପ୍ରସଙ୍ଗରେ ସେ କହିଛନ୍ତି, ଦେଶରେ ଅନେକ ମନ୍ଦିର ରହିଛି, ଯେଉଁଠି ସେମାନଙ୍କର ନିଜସ୍ବ ପରମ୍ପରା ରହିଛି। ଏ ପ୍ରସଙ୍ଗରେ ଜଣେ ମହିଳା ବିଚାରପତି ମଧ୍ୟ ତାଙ୍କ ମତ ଦେଇସାରିଛନ୍ତି। ଏହା ଉପରେ ଭଲ ଭାବେ ବିଚାର କରାଯିବା ଆବଶ୍ୟକ। ଏହା ଉପରେ ବିତର୍କ ହେବା ଜରୁରୀ ବୋଲି ମୋଦୀ କହିଛନ୍ତି।

modi_
https://aajtak.intoday.in/

ଲୋକସଭା ନିର୍ବାଚନ ସଂପର୍କରେ ମୋଦୀ କହିଛନ୍ତି, ଏହି ଲଢ଼େଇ ନାଗରିକ ଓ ମେଣ୍ଟ ମଧ୍ୟରେ ହେବ। ମୋଦୀ ଏଥିରେ କିଛି ନୁହନ୍ତି, କେବଳ ଲୋକଙ୍କ ସ୍ନେହ ଓ ଆଶୀର୍ବାଦର ଏକ ଅଭିବ୍ୟକ୍ତି ବୋଲି ସେ କହିଛନ୍ତି। କଂଗ୍ରେସମୁକ୍ତ ଭାରତ ସଂକ୍ରାନ୍ତରେ ସେ କହିଛନ୍ତି, ମୋର କଂଗ୍ରେସମୁକ୍ତ ଭାରତ ବିବୃତିକୁ ଭୁଲ ଭାବେ ଚିତ୍ରଣ କରାଯାଇଛି। କଂଗ୍ରେସ ସଂସ୍କୃତିକୁ ମୁଁ ବିରୋଧ କରୁଛି। ତେଣୁ କଂଗ୍ରେସ ଏହାର ସଂସ୍କୃତିକୁ ବଦଳାଇ ରାଜନୀତି କରିବା ଆବଶ୍ୟକ।