ସାଧାରଣ ନିର୍ବାଚନ ପୂର୍ବରୁ ମୋଦିଙ୍କ ବଡ ସଙ୍କେତ । ଏନଡିଏ-୩ର ଚିତ୍ର ଦେଖାଇ କହିଲେ, ପୁରୁଣା ସହଯୋଗୀଙ୍କ ପାଇଁ ଦ୍ୱାର ଖୋଲା

198

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବଡସଂକେତ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କହିଲେ ପୁରୁଣା ଏନଡିଏ ସହଯୋଗୀଙ୍କ ଦ୍ୱାର ଖୋଲା ଅଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିରୋଧୀଙ୍କ ମହାମେଂଟର ରାସ୍ତା ରୋକିବା ପାଇଁ ନିଜେ ପ୍ରଧାନମନ୍ତ୍ରୀ ଏନଡିଏ-୩ର ଚିତ୍ର ଦେଖାଇଛନ୍ତି । ଏନଡିଏ-୧ ଏବଂ ଏନଡିଏ-୨ ସରକାରରେ ଯେଭଳି ମେଂଟଧର୍ମ ପାଳନ ହୋଇଥିଲା ତାହାକୁ ମୋଦି ସ୍ମରଣ କରିଛନ୍ତି । ଏବଂ ପୁରୁଣା ମେଂଟ ସହଯୋଗୀଙ୍କ ପାଇଁ ବିଜେପିର ଦ୍ୱାର ସର୍ବଦା ଖୋଲା ବୋଲି କହିଛନ୍ତି ।

ଏକ ଶକ୍ତିିଶାଳୀ ଏନଡିଏ କେବଳ ବିଶ୍ୱାସ ଉପରେ ଆଧାରିତ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାଁ ନେଇ ମୋଦି ତାମିଲନାଡୁର ରାଜନୈତିକ ଦଳଙ୍କ ଆଡକୁ ବନ୍ଧୁତାର ହାତ ବଢ଼ାଇଛନ୍ତି । ଚେନାଇର କାର୍ଯ୍ୟକର୍ତାଙ୍କୁ ସମ୍ବୋଦ୍ଧିତ କରି ଗତକାଲି ମୋଦି କହିଥିଲେ ପୁରୁଣା ସହଯୋଗୀଙ୍କୁ ସ୍ୱାଗତ କରିବାକୁ ବିଜେପି ପ୍ରସ୍ତୁତ ରହିଛି । ୨୦ ବର୍ଷ ତଳେ ବାଜପେୟୀ ମେଂଟ ରାଜନୀତିର ସଂସ୍କୃତି ଆଣିଥିଲେ ଏବଂ ବିଜେପି ସର୍ବଦା ଏହି ନୀତିରେ ବିଶ୍ୱାସ ରଖୁଛି । ଲୋକସଭା ନିର୍ବାଚନ ପାଇଁ ବିଜେପି ଏବେ ପ୍ରସ୍ତୁତି ଜୋରଦାର କରିବା ସହ ପୂର୍ବ ରଣନୀତିରେ ମଧ୍ୟ ଅନେକ ପରିବର୍ତନ ଆଣିବାକୁ ଆଗଭର ହେଉଥିବା ପ୍ରଧାନମନ୍ତ୍ରୀଙ୍କ ଏହି ବୟାନ ଏକ ଦୃଢ଼ ମେଂଟର ସଂକେତ ଦେଉଛିି ।

କଂଗ୍ରେସକୁ ସମାଲୋଚନା କରି ମୋଦି କହିଛନ୍ତି, କଂଗ୍ରେସ କେବଳ ଦୁର୍ନୀତି ଏବଂ ଆର୍ଥିକ କୁପରିଚାଳନା ପାଇଁ ବିଫଳ ହୋଇନାହିଁ, ଏହା ଦେଶର ସେନା ପ୍ରତି ମଧ୍ୟ ବଡ଼ କ୍ଷତି ପହଞ୍ଚାଇଛି। ଦୀର୍ଘ ବର୍ଷ ଧରି କଂଗ୍ରେସ ପ୍ରତିରକ୍ଷା କ୍ଷେତ୍ରରେ ଦଲାଲଙ୍କ ମାଧ୍ୟମରେ କାମ କରୁଥିଲା ଏବଂ ଏଥିରେ ଦୁର୍ନୀତି ଭରି ରହୁଥିଲା। କଂଗ୍ରେସର ପ୍ରଥମ ପରିବାର ସହିତ ଘନିଷ୍ଠ ଜଣେ ଦଲାଲଙ୍କୁ ଏବେ ଗିରଫ କରି ଭାରତ ଅଣାଯାଇଛି ଏବଂ ଅନେକ ଚାଂଚଲ୍ୟକର ତଥ୍ୟ ସାମ୍ନାକୁ ଆସୁଛି ବୋଲି ମୋଦି କହିଛନ୍ତି।