କିଏ ନେଇଗଲା କୋଣାର୍କର କାରୁକାର୍ଯ୍ୟ ଭରା ପଥର ଖୋଦିତ ମୂର୍ତ୍ତି ? ଭାସ୍କର୍ଯ୍ୟ ବଦଳରେ ଲାଗିଛି ସାଧା ପଥର, ମରାମତି ଆଳରେ ଶହ ଶହ ମୂର୍ତ୍ତି ଗାଏବ୍

କେନ୍ଦ୍ର ପ୍ରତ୍ନତାତ୍ୱିକ ସଂସ୍ଥା ବିରୋଧରେ କୋଣାର୍କ ଥାନାରେ ଏତଲା

120

କନକ ବ୍ୟୁରୋ : କିଏ ନେଇଗଲା ବିଶ୍ୱପ୍ରସିଦ୍ଧ କୋଣାର୍କର କଳାକୃତି? ସୂର୍ଯ୍ୟମନ୍ଦିର କାନ୍ଥରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଗାଏବ ହୋଇଯିବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି । କୋଣାର୍କର ରକ୍ଷଣାବେକ୍ଷଣ କରୁଥିବା ଏଏସ୍ଆଇ ଯୁକ୍ତି ବାଢିଛି, ଯେଉଁ ପଥର କ୍ଷତିଗ୍ରସ୍ତ ହୋଇଛି, ସେହି ସ୍ଥାନରେ ଅନ୍ୟ ପଥର ଲଗାଯାଇଛି । ତେବେ ପ୍ରଶ୍ନ ଉଠୁଛି, କୁଆଡେ ଗଲା ନଷ୍ଟ ହୋଇଥିବା ପଥରର ଭଗ୍ନାବଶେଷ? ହଜାର ହଜାର ବର୍ଷର ପଥରକୁ ସୁରକ୍ଷିତ ରଖାଯାଇଛି ତ?

ଦିନ ଥିଲା, ଏଠି ଶୋଭା ପାଉଥିଲା ଓଡ଼ିଆ ଶିଳ୍ପୀ ହାତର ଯାଦୁକରୀ । ସୂକ୍ଷ୍ମ କାରୁକାର୍ଯ୍ୟରେ ସଜାଇ ହୋଇ ରହିଥିଲା ବିଶ୍ୱ ବିଖ୍ୟାତ ବ୍ଲାକ୍ ପାଗୋଡା । ଯାହାକୁ ଦେଖିବାକୁ ଦେଶ ବିଦେଶରୁ ଛୁଟି ଆସୁଥିଲେ ହଜାର ହଜାର ପର୍ଯ୍ୟଟକ । କୋଣାର୍କର କାରୁକାର୍ଯ୍ୟ ହିଁ ବିଦେଶ ମାଟିରେ ସୃଷ୍ଟି କରିଛି ଓଡ଼ିଆ ଜାତିର ଭିନ୍ନ ପରିଚୟ । ହେଲେ ଆଜି ଏହାର ଅନେକ ସ୍ଥାନରେ ଦେଖିବାକୁ ମିଳୁଛି ଏହି ସାଧାପଥର । ଶହ ଶହ ସଂଖ୍ୟାରେ କାରୁକାର୍ଯ୍ୟରେ ଭରପୁର ପଥର ଗାଏବ ହୋଇଯାଇଛି । ଆର୍କୋଲଜିକାଲ ସର୍ଭେ ଅଫ୍ ଇଣ୍ଡିଆ ଯୁକ୍ତି ବାଢୁଛି ଯେଉଁ ପଥର କ୍ଷତିଗ୍ରସ୍ତ ହୋଇଛି, ସେହି ସ୍ଥାନରେ ଲାଗିଛି ଅନ୍ୟ ପଥର । ତେବେ ପ୍ରଶ୍ନ ଉଠୁଛି, ନଷ୍ଟ ହୋଇଥିବା ପଥରର ଭଗ୍ନାବଶେଷ ରହିଛି କେଉଁଠି ?

ସେପଟେ କୋଣାର୍କ ମନ୍ଦିର ବିରୋଧରେ ବଡ ଷଡଯନ୍ତ୍ର ଅଭିଯୋଗ ଆଣିଛି କୋଣାର୍କ ସୁରକ୍ଷା ସମିତି । ଶୋଭା ପାଉଥିବା ସୂକ୍ଷ୍ମ କାରୁକାର୍ଯ୍ୟ ପୂର୍ଣ୍ଣ ମୂର୍ତ୍ତି ଓ ପଥର ଗୁଡିକୁ କେନ୍ଦ୍ର ପ୍ରତ୍ନତାତି୍ୱକ ବିଭାଗ ଲୁଟ୍ କରିଥିବା ଅଭିଯୋଗ କରି କୋଣାର୍କ ଥାନାରେ ଏତଲା ଦେଇଛି କୋଣାର୍କ ସୁରକ୍ଷା ସମିତି । ବିଶ୍ୱ ଦରବାରରେ କଳା କାରୁକାର୍ଯ୍ୟ ପାଇଁ ସ୍ୱତନ୍ତ୍ର ସ୍ଥାନ ପାଇଥିବା କୋଣାର୍କକୁ ବରବାଦ କରିଦେବା ପାଇଁ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ହୋଇଛି ।

ବିଶ୍ୱ ଐତିହ୍ୟ ସ୍ଥଳୀର ମୁଖଶାଳାର ପ୍ରାୟ ୪୦ ପ୍ରତିଶତ କାରୁକାର୍ଯ୍ୟ ସ୍ଥାନରେ ସାଧା ପଥରଖଣ୍ଡ ଲଗାଯାଇଥିବା ଅଭିଯୋଗ ହୋଇଛି । କେବଳ ଏତିକି ନୁହେଁ, ଟିକଟ ବାବଦକୁ ଆସୁଥିବା ହଜାର ହଜାର ଟଙ୍କାକୁ ବି କେନ୍ଦ୍ର ପ୍ରତ୍ନତାତି୍ୱକ ବିଭାଗ ହେରଫେର କରୁଥିବା ଅଭିଯୋଗ ହୋଇଛି ।