ସହିଦ ପରିବାରରେ ଆତଙ୍କବାଦୀ ଓ ପାକିସ୍ତାନକୁ ନେଇ ଆକ୍ରୋଶ ! ସମସ୍ତଙ୍କ ମୁହଁରେ ଗୋଟିଏ କଥା ପ୍ରତିଶୋଧ ନେଉ ଭାରତ, ଇଟାର ଜବାବ ପଥରରେ ଦିଆଯାଉ ।

91

କନକ ବ୍ୟୁରୋ : ପୁଲୱାମା ଆକ୍ରମଣରେ ସହିଦ ଦୁଇ ଓଡିଆଙ୍କୁ ସାରା ଦେଶ ଭୁଲିପାରିବନି । ଦୁଇ ଓଡିଆ ବୀର ପୁଅ ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ଶେଷ ସଲାମ ଦେଇଛି ଜନ୍ମମାଟି । ହେଲେ ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା, ପାକିସ୍ତାନକୁ ପାନେ ଦିଅ, ଇଟାର ଜବାବ ପଥରରେ ଦେଉ ଭାରତ ।

କାଶ୍ମୀର ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶରେ ଆକ୍ରୋଶର ନିଆଁ । ପାକିସ୍ତାନକୁ ଉଚିତ ଜବାବ ଦେବାକୁ  ସବୁଆଡୁ  ଉଠିଛି ଦାବି । ଆକ୍ରମଣରେ ସହିଦ ମନୋଜ ବେହେରାଙ୍କ ପରିବାର ବି କହିଛନ୍ତି, ପାକିସ୍ତାନକୁ ପାନେ ଦିଅ । ସମସ୍ତେ ଯେମିତି ଶପଥ ନେଉଛନ୍ତି ପାକିସ୍ତାନକୁ ଉଚିତ ଜବାବ ଦେବେ । କାରଣ, ଇଏ ଏକ ଏମିତି କାହାଣୀ, ଯାହା ବିନା ପ୍ରତିଶୋଧରେ ଅଧୁରା ରହିଯାଏ ।

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା  ପ୍ରସନ୍ନ ସାହୁଙ୍କ ଗାଁ ଜଗତସିଂହପୁରରେ ମଧ୍ୟ ସେହି ଏକା କାହାଣୀ । ପ୍ରସନ୍ନଙ୍କ ଝିଅ ପାକିସ୍ତାନକୁ କଡା ଜବାବ ଦିଆଯାଉ ବୋଲି ଦାବି କରିଛନ୍ତି । ତାଙ୍କର କହିବା କଥା ହେଲା, ଇଟାର ଜବାବ ପଥରରେ ଦିଆଯାଉ । କୋହଭରା କଣ୍ଠରେ ପ୍ରସନ୍ନଙ୍କ ଭାଇ କହିଛନ୍ତି, ପାକିସ୍ତାନକୁ କଠୋର ଶାସ୍ତି ମିଳୁ । ଇସଲାମାବାଦ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ  । ସହିଦ ପ୍ରସନ୍ନ ସାହୁ ଓ ମନୋଜ ବେହେରାଙ୍କୁ ବିଦାୟ ଦେଇଛି ଜନ୍ମମାଟି । କିନ୍ତୁ ମା ମାଟି ଏବେ ବି କହୁଛି ପାକିସ୍ତାନ ବିରୋଧରେ ଦୃଢ ଶାସ୍ତିବିଧାନ ପାଇଁ ।