ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ନେଲା ଜୀବନ ! ବଲାଙ୍ଗୀର ବେଲପଡ଼ାରେ ମହିଳାଙ୍କ ଅନ୍ତନଳି କାଟିଦେଲେ ଡାକ୍ତର

55

କନକ ବ୍ୟୁରୋ: ଭୁଲ୍ ଅସ୍ତ୍ରୋପଚାର ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗୀର ଜିଲ୍ଲା ବେଲପଡ଼ାରେ ଜଣେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅପରେସନ ବେଳେ ଅନ୍ତନଳି କାଟିଦେଇଥିବା ଅଭିଯୋଗ ହୋଇଛି । ଫଳରେ ମହିଳାଙ୍କ ମୃତ୍ୟୁ ହୋଇଛି । ଏବେ ପରସ୍ପରକୁ ଦୋଷ ଦେଉଛନ୍ତି ଅପରେସନ କରିଥିବା ଦୁଇ ଡାକ୍ତର । ଘଟଣାର ତଦନ୍ତ କରୁଛନ୍ତି ବଲାଙ୍ଗିର ସିଡିଏମଓ ।

‘ଜାପାଇଗୋ’ ନାମକ ସଂସ୍ଥା ଦ୍ୱାରା ବେଲପଡ଼ାରେ ଲାଗିଥିବା କ୍ୟାମ୍ପରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଜିଲ୍ଲା ସିଡିଏମଓଙ୍କ ନିର୍ଦ୍ଦେଶରେ ସିଏସିରୁ ଡାକ୍ତର ସୁଜ୍ଞାଇନ୍ଦ୍ର ମେହେର ଓ ବେଲପଡ଼ା ଡାକ୍ତରଖାନାର ଡାକ୍ତର ବ୍ରହ୍ମାନନ୍ଦ ଷଡଙ୍ଗୀ ଏହି କ୍ୟାମ୍ପରେ ଅସ୍ତ୍ରୋପଚାର କରିଥିଲେ ।

ଗତ ୨୩ତାରିଖରେ ଏହି କ୍ୟାମ୍ପରେ ବେଲପଡ଼ା ବ୍ଲକ ପଣ୍ଡୋରିଯୋର ଗାଁର ମହେଶ୍ୱର ଧରୁଆଙ୍କ ପତ୍ନୀ ଯଶୋବନ୍ତି ଧରୁଆ ପରିବାର ନିୟନ୍ତ୍ରଣ ଅପରେସନ କରାଇଥିଲେ । ତେବେ ପରିବାର ନିୟନ୍ତ୍ରଣ ଅପରେସନ ବଦଳରେ ଡାକ୍ତର ତାଙ୍କର ଅନ୍ତନଳି କାଟିଦେଇଥିବା ଅଭିଯୋଗ ହୋଇଛି । ଏନେଇ ଉଭୟ ଡାକ୍ତର ଜାଣିଥିଲେ ସୁଦ୍ଧା ଘଟଣାଟିକୁ ଚପାଇ ଦେବାକୁ ଉଦ୍ୟମ କରିଥିଲେ ।

ତେବେ ‘ଜାପାଇଗୋ’ ସଂସ୍ଥାର ଡାକ୍ତର ମହିଳାଙ୍କ ରିପୋର୍ଟକୁ ଦିଲ୍ଲୀ ପଠାଇଥିଲେ । ଏହି ଘଟଣା ପ୍ରଘଟ ହେବା ପରେ ସମ୍ପୃକ୍ତ ଦୁଇ ଡାକ୍ତର ମହିଳାଙ୍କୁ ବେଲପଡ଼ା ଡାକ୍ତରଖାନାରେ ଭର୍ତ୍ତି ହେବା ପାଇଁ କହିଥିଲେ । ୩ଦିନ ସେଠାରେ ଚିକିତ୍ସିତ ହେବା ପରେ ମହିଳାଙ୍କୁ ଘରକୁ ପଠାଇ ଦିଆଯାଇଥିଲା । ପରେ ସେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ବେଲପଡ଼ା ଡାକ୍ତରଖାନାକୁ ନିଆଯିବା ବାଟରେ ତାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ଅପରେସନ କରିଥିବା ଉଭୟ ଡାକ୍ତର ପରସ୍ପର ଉପରେ ଦୋଷ ଲଦିବାରେ ଲାଗିଛନ୍ତି ।