ଆପଣଙ୍କ କନଫର୍ମ ଟ୍ରେନ ଟିକେଟରେ ଆଉ ଜଣେ ଯାତ୍ରା କରିପାରିବେ ! ଜାଣନ୍ତୁ କଣ ରହିଛି ପୁରା ପ୍ରକ୍ରିୟା ।

33

ଯଦି ଆପଣଙ୍କ ପାଖରେ ରେଳବାଇର କନଫର୍ମ ଟିକେଟ ରହିଛି, ହେଲେ କୌଣସି କାରଣରୁ ଆପଣ ଯାତ୍ରା କରିବାକୁ ଚାହୁଁନାହାନ୍ତି, ତେବେ ଆପଣ ନିଜର କନଫର୍ମ ଟିକେଟକୁ ଅନ୍ୟ ଜଣଙ୍କୁ ଦେଇପାରିବେ । ଯାହାଫଳରେ ଟିକେଟ ବ୍ୟର୍ଥ ହେବନାହିଁ ବରଂ ଅନ୍ୟଜଣେ ସୁବିଧାରେ ଟ୍ରେନରେ ଯାତ୍ରା କରିପାରିବେ । ଖାସ୍ ଏହାକୁ ଆଖି ଆଗରେ ରଖି ରେଳବାଇ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି । ଶୁକ୍ରବାର ଜାରି ହୋଇଥିବା ଘୋଷଣାରେ କୁହାଯାଇଛି, ରେଲୱେ ପ୍ରଶାସନ ଦ୍ୱାରା ଅଧିକୃତ ମହତ୍ୱପୂର୍ଣ୍ଣ ଷ୍ଟେସନର ମୁଖ୍ୟ ରିଜର୍ଭେସନ ସୁପର ଭାଇଜର୍, ଗୋଟିଏ ଯାତ୍ରୀ ଦ୍ୱାରା କିଣାଯାଇଥିବା ଟିକେଟରେ ଆଉ ଜଣେ ଯାତ୍ରୀଙ୍କୁ ଆବଂଟନ କରିପାରିବେ । ଅର୍ଥାତ୍ ଟିକେଟରେ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ନାଁ, ବର୍ଥ ଆଉ ସିଟ ନମ୍ବର ଉଲ୍ଲେଖ କରିପାରିବେ । ଏବେ ନଜର ପକାନ୍ତୁ କଣ କହୁଛି ପୁରା ଗାଇଡଲାଇନ୍ ।

– କନଫର୍ମ ଟିକେଟକୁ ଯାତ୍ରୀ ଜଣକ ନିଜ ବାପା, ମା’, ଭାଇ, ଭଉଣୀ, ପୁଅ, ଝିଅ ଓ ପତି, ପତ୍ନୀଙ୍କୁ ଦେଇପାରିବ । ଏଥିପାଇଁ ଉକ୍ତ ବ୍ୟକ୍ତି ଜଣକୁ ଟ୍ରେନ ଛାଡିବାର ୨୪ ଘଂଟା ଆଗରୁ ଆବେଦନ କରିବାକୁ ପଡିବ ।

– ଯଦି କୌଣସି ସରକାରୀ କର୍ମଚାରୀ ନିଜ କନଫର୍ମ ଟିକେଟକୁ ଆଉ ଜଣଙ୍କୁ ଦେବାକୁ ଚାହୁଁଛି ତେବେ ଟ୍ରେନ ଛାଡିବାର ୨୪ ଘଂଟା ପୂର୍ବରୁ ମଧ୍ୟ ତାକୁ ଆବେଦନ କରିବାକୁ ପଡିବ ।

– ଯଦି କୌଣସି ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ଛାତ୍ର ନିଜ କନଫର୍ମ ଟିକେଟକୁ ଆଉ କାହାକୁ ହସ୍ତାନ୍ତର କରିବାକୁ ଚାହୁଁଛି, ତେବେ ଏଥିପାଇଁ ଛାତ୍ର ଜଣଙ୍କୁ ନିଜ ସଂସ୍ଥା ପ୍ରମୁଖଙ୍କ ଠାରୁ ଅନୁମତି ନେବାକୁ ପଡିବ । ଏହାରି ମାଧ୍ୟମରେ ଟିକେଟକୁ ଉକ୍ତ ସଂସ୍ଥାର ଅନ୍ୟ ଛାତ୍ରଙ୍କୁ ହସ୍ତାନ୍ତର କରାଯାଇ ପାରିବ ।

– ଟିକେଟ ହସ୍ତାନ୍ତରର ଏହି ଲାଭ ଏନସିସି ଛାତ୍ର ଛାତ୍ରୀଙ୍କୁ ମଧ୍ୟ ମିଳିବ । ଏଥିପାଇଁ କ୍ୟାଡେଟଙ୍କୁ ନିଜ ପ୍ରମୁଖଙ୍କ ଠାରୁ ଅନୁମତି ନେବାକୁ ପଡିବ ।

– ଟିକେଟ ଟ୍ରାନସଫରର ଏହି ସୁବିଧା କେବଳ ଥରୁଟିଏ ମିଳିବ । ବାହାଘର ପାର୍ଟି, ଏନସିସି କ୍ୟାଡେଟ୍ ଓ ଛାତ୍ର ଛାତ୍ରୀଙ୍କର ମାମଲାରେ ଯଦି ଟିକେଟ ଟ୍ରାନସଫର ପାଇଁ ପୁରା ଗ୍ରୁପର ୧୦ ପ୍ରତିଶତରୁ ଅଧିକ ଲୋକ ଆବେଦନ କରିବେ ତେବେ ଏଥିପାଇଁ ଅନୁମତି ମିଳିବ ନାହିଁ ।