ପାକ୍ ବର୍ବରତାର କଡା ଜବାବ ଦେଲା ଭାରତୀୟ ସେନା : ପ୍ରତି ଆକ୍ରମଣରେ ୩ ପାକ୍ ସେନା ନିହତ

20

କନକ ବ୍ୟୁରୋ : ପାକିସ୍ତାନର ବର୍ବରତାର କଡା ଜବାବ ଦେଇଛି ଭାରତୀୟ ସେନା । ସେନା ଆକ୍ରମଣରେ ପାକ୍ ପୋଷ୍ଟ ଗୁଡିକରେ ବ୍ୟାପକ କ୍ଷତି ହୋଇଛି । ଏଲଓସି ନିକଟ ୧୫ରୁ ୧୬ଟି ପାକିସ୍ତାନୀ ପୋଷ୍ଟକୁ ଟାର୍ଗେଟ କରିଛି ଭାରତୀୟ ସେନା । ସେପଟେ ଭାରତ ଅଘୋଷିତ ଯୁଦ୍ଧ ଆରମ୍ଭ କରିସାରିଛି ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଅସିଫ କହିଛନ୍ତି । ଏହାସହ କୌଣସି ମୁହୂୁର୍ତରେ ଏଲଓସିରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ସେ ସତର୍କ କରାଇଛନ୍ତି  ।

ଭାରତୀୟ ସେନାର ଆକ୍ରମଣରେ ପାକିସ୍ତାନର ଜଣେ ଅଫିସର ଓ ୩ ଜଣ ଯବାନଙ୍କ ସମେତ ପିଓକେର ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଗତକାଲି ପାକିସ୍ତାନ ଡିଜିଏମଓ ଭାରତୀୟ ସମକକ୍ଷ ଲେଫ୍ଟନାଂଟ ଜେନେରାଲ ରଣବୀର ସିଂହଙ୍କ ସହ ଫୋନରେ କଥା ହୋଇଛନ୍ତି । ଏଲଓସିର ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବା ସହ ଉଚ୍ଚସ୍ତରୀୟ ବୈଠକର ପ୍ରସ୍ତାବ ଦେଇଥିବା ଖବର ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ପାକିସ୍ତାନ ଅଧିକୃତ କାଶ୍ମୀରରେ ୪ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ନେଇ ପାକ୍ ଡିଜିଏମଓ କହିଥିବାବେଳେ ପାକ୍ ଅସ୍ତ୍ରବିରତୀ ଉଲ୍ଲଙ୍ଘନ କରିଥିବା ପୋଷ୍ଟ ଗୁଡିକରେ ଭାରତୀୟ ସେନା ଆକ୍ରମଣ କରିଥିବା ସହ ଏହା ପାକିସ୍ତାନର ବର୍ବରତାର ଜବାବ ଥିଲା ବୋଲି ଜେନେରାଲ ରଣବୀର ସିଂହ କହିଛନ୍ତି  । ବୁଧବାର ସଂଧ୍ୟାରୁ ଭାରତ-ପାକ୍ ସୀମାରେ ଫାୟାରିଂ ବନ୍ଦ ରହିଛି । ଜମ୍ମୁ ଓ କଶ୍ମୀର ପୁଂଛ ଜିଲ୍ଲାର ବିମବେର, କୃଷ୍ଣା ଘାଟି ଓ ନୌସେରା ସେକ୍ଟରରେ ବୁଧବାର ଦିନ ତମାମ ଗୁଳିଚାଳନା ଓ ମୋର୍ଟାର ମାଡ କରାଯାଇଥିଲା  । ଏହାର କଡା ଜବାବ ଦେଇଥିଲା ଭାରତୀୟ ସେନା  ।