ମୋଦିଙ୍କ ପାକିସ୍ତାନୀ ଭଉଣୀ ! ସ୍ନେହ ବନ୍ଧନ ଆଗରେ ହାର ମାନିଲା ସୀମାର ଅଙ୍କୁଶ

33

ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମୋଦିଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ପାକିସ୍ତାନୀ ଭଉଣୀ କମର ମୋହସିନ୍ ଶେଖ୍ । ମୋଦି ଯେତେବେଳେ ଆରଏସଏସର କାର୍ଯ୍ୟକର୍ତା ଥିଲେ ସେହି ସମୟରୁ ହିଁ କମରଙ୍କ ଠାରୁ ରାକ୍ଷୀ ବନ୍ଧାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରିଥିବା କହିଛନ୍ତି ସେ । ବିବାହ ପରେ ପାକିସ୍ତାନରୁ ଭାରତ ଆସି ସ୍ଥାୟୀ ବାସିନ୍ଦା ଭାବେ ରହୁଥିବା କମର ସେବେଠାରୁ ପ୍ରତି ରକ୍ଷାବନ୍ଧନରେ ମୋଦିଙ୍କୁ ରାକ୍ଷୀ ବାନ୍ଧୁଛନ୍ତି । ୨୦ ବର୍ଷରୁ ଅଧିକ ସମୟ ହେଲା ସେ ମୋଦିଙ୍କୁ ରାକ୍ଷୀ ବାନ୍ଧି ଆସୁଥିବା ଜଣାପଡ଼ିଛି ।

କମର ରହନ୍ତି ଅହମ୍ମଦାବାଦରେ । ତେଣୁ ମୋଦି ଦିଲ୍ଲୀରେ ବ୍ୟସ୍ତ ରହୁଥିବାରୁ ସେ ଆଶା କରିନଥିଲେ ଏଥରକ ରାକ୍ଷୀ ବାନ୍ଧିବାର ସୁଯୋଗ ମିଳିବ ବୋଲି । ତେବେ ପୂର୍ବ ଭଳି ନିର୍ଦ୍ଧାରିତ ସମୟରେ ମୋଦିଙ୍କ ନିକଟରୁ ଫୋନ୍ ଆସିଥିଲା । କଲ୍ ଆସିବା ପରେ ଦ୍ୱିଗୁଣିତ ହୋଇଥିଲା କମରଙ୍କ ଖୁସି । ସେ ରକ୍ଷା ବନ୍ଧନରେ ଦିଲ୍ଲୀ ଯିବାକୁ ପ୍ରସ୍ତୁତି କରିଥିଲେ । ରକ୍ଷା ବନ୍ଧନରେ ମୋଦିଙ୍କୁ ବାନ୍ଧିଥିଲେ ରାକ୍ଷୀ । ତେବେ ପାକିସ୍ତାନରେ ବି ମୋଦିଙ୍କୁ ଭଲ ପାଉଥିବା ଅନେକ ଲୋକ ଅଛନ୍ତି ଓ ଯଦି ସେଠାରେ ମୋଦି ନିର୍ବାଚନ ଲଢିବେ ନିଶ୍ଚୟ ଜିତିବେ ବୋଲି ଭାବ ବିହ୍ୱଳ ହୋଇ କୁହନ୍ତି କମର ମୋହସିନ୍ ।

କେବଳ କମର ମୋହସିନ ନୁହନ୍ତି ଅନେକ ସ୍କୁଲ ଛାତ୍ରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ବାନ୍ଧିଛନ୍ତି । ସେହିପରି ବୃନ୍ଦାବନ ବିଧବା ଆଶ୍ରମରୁ ଆସିଥିବା ମହିଳା ମାନେ ମଧ୍ୟ ରାକ୍ଷୀ ବାନ୍ଧିଥିଲେ ମୋଦିଙ୍କୁ । ତାଙ୍କ ପାଇଁ ବୃନ୍ଦାବନର ମୀରା ସହଭାଗିନୀ ଆଶ୍ରମରେ ୧୭୦୦ ରାକ୍ଷୀ ତିଆରି ହୋଇଥିବା ଜଣାପଡ଼ିଛି । ଏହା ବ୍ୟତୀତ ବ୍ରହ୍ମକୁମାରୀ ବିଶ୍ୱବିଦ୍ୟାଳୟ ପରି ଅନେକ ସଂଗଠନର କାର୍ଯ୍ୟକର୍ତା ପ୍ରଧାନମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଛନ୍ତି ।