ପଞ୍ଜାବରୁ ପାକିସ୍ତାନ ଗୁପ୍ତଚର ଗିରଫ : ଲୁଚି ଲୁଚି ଉଠାଉଥିଲା ଫଟୋ

489

କନକ ବ୍ୟୁରୋ : ଗୋଟିଏ ପଟେ ଭାରତ ଓ ପାକ୍ ସୀମାରେ ଉତ୍ତେଜନା ଜାରି ରହିଛି । ଅନ୍ୟପଟେ ପଞ୍ଜାବର ଫିରୋଜପୁରରେ ପାକିସ୍ତାନ ପାଇଁ କାମ କରୁଥିବା ଜଣେ ଗୁପ୍ତଚରକୁ ଗିରଫ କରାଯାଇଛି । ପଞ୍ଜାବର ଫିରୋଜପୁର ନିକଟରେ ପାକିସ୍ତାନୀ ସୀମାରେ ଥିବା ମାବୁ ବିଏସଏଫ ଆଉଟପୋଷ୍ଟରୁ ଜଣେ ପାକିସ୍ତାନୀ ଗୁପ୍ତଚର ଧରା ପଡିଛି । ତା’ର ନାଁ ମହମ୍ମଦ ଶାହରୁଖ ବୋଲି ଜଣାପଡିଛି । ୨୧ ବର୍ଷୀୟ ଶାହରୁଖ ଉତ୍ତରପ୍ରଦେଶର ମୋରାଦାବାଦ ଅଞ୍ଚଳର ବୋଲି ଜଣାପଡିଛି । ସେ ଏକ ଚାଦର ଘୋଡେଇ ହୋଇ ଲୁଚି ଲୁଚି ବିଏସଏଫ ଯବାନଙ୍କ ଗତିବିଧିର ଫଟୋ ଉଠାଉଥିଲା ।

ତାହାର ମୋବାଇଲ ଫୋନ ଯାଞ୍ଚ କରିବାପରେ ଜଣାପଡିଛି ଯେ ସେ ବିଭିନ୍ନ ସଂଦେହଜନକ ପାକିସ୍ତାନୀ ହ୍ବାଟ୍ସଆପ ଗ୍ରୁପର ସଦସ୍ୟ । ତାକୁ ଏବେ ଅଧିକ ପଚରାଉଚୁରା କରାଯାଉଛି । ଭାରତ ବିରୋଧୀ ପ୍ରଚାର ପାଇଁ ଆଇଏସଆଇ ଦ୍ବାରା ପ୍ରାୟ୬ଟି ହ୍ବାଟ୍ସଆପ ଗ୍ରୁପ ଗଠନ କରାଯାଇଥିବା ଗୁଇନ୍ଦା ବିଭାଗ ସଂଦେହ କରୁଛି । ପାକିସ୍ତାନ ଓ ଭାରତ ମଧ୍ୟରେ ସୀମାରେ ଏବେ ବି ଉତ୍ତେଜନା ଜାରି ରହିଥିବାବେଳେ ଏହି ଘଟଣାକୁ ନେଇ ବିଏସଏଫ ସତର୍କ ହୋଇଯାଇଛି । ଏହା ସହିତ ସୀମାରେ ପ୍ରହରା ବଢାଇଦିଆଯାଇଛି ।