ଛାଡପତ୍ର ପାଇବାର ୨୩ ବର୍ଷ ପରେ ମାଆର ବିବାହ କରାଉଛି ପୁଅ : ସୋସିଆଲ ମିଡିଆରେ ବନିଲେ ‘ସନ୍ ଅଫ୍ ଦ ଇୟର’

296

୨୩ ବର୍ଷ ତଳେ ଛାଡ଼ପତ୍ର ପାଇଥିବା ମାଆଙ୍କ ବିବାହ କରାଉଛନ୍ତି ବୋଲି ଟ୍ୱିଟରରେ ଘୋଷଣା କରିବା ପରେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇ ଚାଲିଛନ୍ତି ଜଣେ ପାକିସ୍ତାନୀ ଲୋକ। ୟୁଜରନେମ୍ @GM491 ଭାବେ ଜଣା ସେ ବ୍ୟକ୍ତିଙ୍କ ଉପରେ ଏବେ ଟ୍ୱିଟର ଜରିଆରେ ଅଜାଡ଼ି ହୋଇ ପଡୁଛି ସ୍ନେହ ଓ ଶୁଭେଚ୍ଛା।

ଟ୍ୱିଟରରେ ସେ ବ୍ୟକ୍ତି ଜଣାଇଛନ୍ତି ଯେ ଏବେ ସେ ପ୍ରାପ୍ତବୟସ୍କ ଏବଂ ତାଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥିବାରୁ ସେ ତାଙ୍କ ମାଆଙ୍କ ପାଇଁ ଏମିତି କରିବାକୁ ଚାହିଁଲେ। ତାଙ୍କ ମାଆଙ୍କୁ ଆଶୀର୍ବାଦ ଦେବାକୁ ମଧ୍ୟ ସେ ଟ୍ୱିଟର ବ୍ୟବହାରକାରୀଙ୍କୁ କହିଛନ୍ତି। “ଗତ ୨୩ ବର୍ଷ ହେବ ମୋ ମାଆ ଛାଡ଼ପତ୍ର ପାଇଛନ୍ତି। ମୁଁ ପ୍ରାପ୍ତବୟସ୍କ ଏବଂ ମୋର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥିବାରୁ ଏଇ ଶୁକ୍ରବାର ଦିନ ମୁଁ ତାଙ୍କର ବିବାହ କରାଉଛି। ଆପଣମାନଙ୍କ ପ୍ରାର୍ଥନା ସମୟରେ ଦୟାକରି ତାଙ୍କୁ ମନେ ପକାଇବେ।“ ଏ କଥା ପୋଷ୍ଟ୍ ହେବା ପରେ ବହୁ ଟ୍ୱିଟର ବ୍ୟବହାରକାରୀ ଉଭୟ ମାଆ ଓ ପୁଅଙ୍କୁ ଶୁଭେଚ୍ଛା ଜଣାଇବା ସହ ଏଭଳି ସୁନ୍ଦର ନିଷ୍ପତ୍ତି ପାଳନ କରିବାକୁ ସହାୟତା କରିବାକୁ କହୁଛନ୍ତି।