ଭାରତର ଫର୍ମୁଲା ଏବଂ ଚୀନର ମଡେଲରେ ତିଆରି ହେବ ନୂତନ ପାକିସ୍ଥାନ ! ଯାହାକୁ ପ୍ରସ୍ତୁତ କରିବେ ନୂତନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ।

61

ପାକିସ୍ତାନ ନିର୍ବାଚନରେ ସବୁଠାରୁ ବଡ ଦଳ ଭାବେ ଉଭା ହୋଇଛି ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ପାର୍ଟି ତେହେରିକ ଏ ଇନସାଫ । ପ୍ରଥମ ଥର ପାଇଁ ପାରମ୍ପରିକ ଇସଲାମିକ ପାର୍ଟିଗୁଡିକୁ ପ୍ରତ୍ୟାଖାନ କରି ଇମ୍ରାନଙ୍କ ଦଳ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପାକିସ୍ତାନବାସୀ । ମୋଟ ୨୭୨ ଆସନରୁ ସର୍ବାଧିକ ୧୨୨ଟିରେ ଜିତି ସଂଖ୍ୟା ଗରିଷ୍ଠ ଦଳର ନେତା ଭାବେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି ଇମ୍ରାନ ଖାନ । ଆଉ ଦେଶର ଭାବି ପ୍ରଧାନମନ୍ତ୍ରୀ ଭାବେ ସାମ୍ବାଦିକ ସମ୍ମିଳନୀ କରି ତାଙ୍କର ଆଭିମୁଖ୍ୟ ରଖିଛନ୍ତି । କହିଛନ୍ତି ଭାରତ ସହ ଶାନ୍ତି ଆଲୋଚନା ପାଇଁ ସେ ଆଗ୍ରହୀ । ତେବେ ଏଥିପାଇଁ ଦୁଇଦେଶ ମଧ୍ୟରେ ଆଲୋଚନା ଆରମ୍ଭ କରିବାକୁ ପଡିବ ବୋଲି ସେ ମତ ରଖିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ଆସନ ସମ୍ଭାଳିବା ପୂର୍ବରୁ ସେ ନୂତନ ପାକିସ୍ଥାନର ପରିକଳ୍ପନା କରିଛନ୍ତି । ପୂର୍ବରୁ ପାକିସ୍ଥାନ କିଭଳି ଥିଲା ଏବଂ ଶାସନଭାର ସମ୍ବାଳିବା ପରେ ଇମରାନ୍ କିଭଳି ନୂତନ ପାକିସ୍ଥାନ ଗଢିିବେ ଏନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଶାସନଭାର ସମ୍ଭାଳିବା ପରେ ଇମରାନ୍ କହିଛନ୍ତି ଯେ ୭୦ ବର୍ଷ ଧରି ପାକିସ୍ଥାନ ସହ ହେଉଥିବା ଛଳନାକୁ ବନ୍ଦ କରିବା ନେଇ ସେ ପଦକ୍ଷେପ ନେବେ । ପୂର୍ବରୁ ଶାସନ ଏବଂ ଲୋକଙ୍କ ହିତ ନାଁରେ ଶାସନକୁ ହାତେଇଥିବା ଲୋକଙ୍କ ହିତ ହେଉଥିଲା,ଯେଉଁଥିପାଇଁ ପାକିସ୍ତାନରେ ଦୂର୍ବଳ ସ୍ୱାସ୍ଥ୍ୟସେବା ଏବଂ ଶିକ୍ଷାସେବା ଦେଖାଯାଉଥିଲା । ତେବେ ବର୍ତ୍ତମାନ ସେ ଭିନ୍ନ ପ୍ରକ୍ରିୟାରେ ପାକିସ୍ଥାନକୁ ସୁଧାରିବାକୁ ପ୍ରୟାସ କରିବେ ଏବଂ ଏହାର ଆରମ୍ଭ ସେଠାକାର ଗରିବ ଲୋକଙ୍କ ଠାରୁ ହେବ ବୋଲି ସେ କହିଛନ୍ତି । ତେବେ ଭାରତ ନିର୍ବାଚନରେ ଗରିବଙ୍କୁ ରାଜନୀତିର କେନ୍ଦ୍ରକୁ ଆଣିବାର ଚିନ୍ତା ୧୯୭୦ ମସିହାରୁ ହିଁ ଆରମ୍ଭ ହୋଇଯାଇଥିଲା,ଯାହା ୨୦୧୪ ପର୍ଯ୍ୟନ୍ତ ମଧ୍ୟ ଚାଲୁ ରହିଛି ।

ଇମରାନ୍ ଚୀନର କୌଶଳକୁ ଆପଣାଇବାକୁ ମଧ୍ୟ ଆଗଭର ହେଉଛନ୍ତି । ତାଙ୍କ କହିବାନୁସାରେ ଚୀନ୍ ଭଳି ପାକିସ୍ଥାନରେ ମଧ୍ୟ ଗରିବଙ୍କ ବିକାଶ ପାଇଁ ଗୁରୁତ୍ୱ ଦିଆଯିବ । ଯେଉଁଥିରେ ପାକିସ୍ଥାନର କୁକୁର ମଧ୍ୟ ଖାଦ୍ୟ ଅଭାବରୁ ଯେମିତି ଭୋକଉପାସରେ ପନ ଶୁଅନ୍ତି ଏହାର ଧ୍ୟାନ ରଖାଯିବ ।

ଦୁର୍ନୀତି ଏବଂ ଭ୍ରଷ୍ଟାଚାରକୁ ରୋକିବା ପାଇଁ ପାକିସ୍ତାନରେ ଏକ କେନ୍ଦ୍ରୀୟ ଏଜେନ୍ସିକୁ ଆଲର୍ଟ କରାଯିବାକୁ ସେ କହିଛନ୍ତି ଏବଂ ଏଜେନ୍ସିର ଆଖି ଆଗରେ ଦେଶର ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଅଧିନସ୍ଥ ମନ୍ତ୍ରୀ ରହିବେ ।

ଶାସନକୁ ଆସିବା ପରେ ସେ ନିଜର ଏକ ଦଳକୁ ଚୀନ୍ ଗସ୍ତରେ ପଠାଇବେ ଯେଉଁଠାରେ ଏହି ଦଳ ଦୁର୍ନୀତି ମୁକ୍ତ ପାକିସ୍ଥାନ କରିବା ପାଇଁ ଚୀନ୍ ଠାରୁ ଏହାର କୌଶଳ ଶିଖି ଆସିବେ । ତେବେ ସମସ୍ତଙ୍କ ନଜର ଏବେ ପାକିସ୍ଥାନର ନୂତନ ପ୍ରଧାନମନ୍ତ୍ରୀଙ୍କ କାମ ଉପରେ ରହିଛି । ଭାରତର ଫର୍ମୁଲା ଏବଂ ଚୀନର ମଡେଲ୍ ଉପରେ ପାକିସ୍ଥାନ କିଭଳି ଭାବେ ନିଜକୁ ନୂତନ ଦିଗରେ ନେଉଛି ତାହା ଏବେ ଦେଖିବାକୁ ବାକି ରହିଲା ।