ଆଇଏସଆଇ ହନିଟ୍ରାପରେ ଡିଆରଡିଓ’ର ଇଞ୍ଜିନିୟର । ବ୍ରହ୍ମୋସ ମିସାଇଲ ସଂପର୍କିତ ତଥ୍ୟ ପାକିସ୍ତାନୀ ଏଜେନ୍ସିକୁ ଦେଇଥିବା ଅଭିଯୋଗ

67

କନକ ବ୍ୟୁରୋ: ଆଇଏସଆଇ ହନିଟ୍ରାପରେ ଡିଆରଡିଓ’ର ଇଞ୍ଜିନିୟର । ପାକିସ୍ତାନକୁ ଗୁପ୍ତ ତଥ୍ୟ ହସ୍ତାନ୍ତର ଅଭିଯୋଗରେ ଡିଆରଡିଓ’ର ବ୍ରହ୍ମୋସ୍ ୟୁନିଟରେ କାର୍ଯ୍ୟରତ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲ ଗିରଫ ।ମହାରାଷ୍ଟ୍ର ନାଗପୁର ସ୍ଥିତ ବ୍ରହ୍ମୋସ୍ ମିସାଇଲ୍ ୟୁନିଟରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଥିବା ନିଶାନ୍ତ ଅଗ୍ରୱାଲଙ୍କୁ ଉତରପ୍ରଦେଶ ଏଟିଏସ ଓ ସେନା ଗୁଇନ୍ଦା ବିଭାଗ ମିଳିତ ଭାବେ ଗିରଫ କରିଛନ୍ତି । ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଦୁଇ ମହିଳା ଏଜେଂଟଙ୍କ ସହ ଡିଆରଡିଓର ଏହି ଇଞ୍ଜିନିୟର ଜଣକ ସଂପର୍କରେ ଥିବା କୁହାଯାଉଛି ।

ଫେସବୁକ୍ ଚାଟିଂ ଦ୍ୱାରା ନିଶାନ୍ତ ପାକିସ୍ତାନକୁ ବହୁ ଗୁପ୍ତ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି । ପାକିସ୍ତାନର ଆଇପି ଆଡ୍ରେସ୍ ଦ୍ୱାରା ସଂଚାଳିତ ଫେସବୁକ୍ ଆଇଡି ସହ ସଂପର୍କରେ ଥିବା ନିଶାନ୍ତ ଅଗ୍ରୱାଲଙ୍କ କମ୍ପ୍ୟୁଟରରୁ ପ୍ରମାଣ ମିଳିଥିବା ସୂଚନା ଦେଇଛନ୍ତି ଉତରପ୍ରଦେଶ ଏସିଏସ ଆଇଜି ଅସୀମ ଅରୁଣ । ବ୍ରହ୍ମୋସ କ୍ଷେପଣାସ୍ତ୍ର ସଂପର୍କିତ ବିଭିନ୍ନ ତଥ୍ୟ ପାକିସ୍ତାନୀ ଏଜେନ୍ସିକୁ ଦେଇଥିବା ନେଇ ଡିଆରଡିଓ ଇଞ୍ଜିନିୟର ନିଶାନ୍ତ ଅଗ୍ରୱାଲଙ୍କ ବିରୋଧରେ ଅଭିଯୋଗ ହୋଇଛି ।

ଉତରାଖଣ୍ଡ ବାସିନ୍ଦା ନିଶାନ୍ତ ଅଗ୍ରୱାଲ ଗତ ୪ ବର୍ଷ ହେବ ଡିଆରଡିଓର ନାଗପୁର ୟୁନିଟ୍ରେ ଇଞ୍ଜିନିୟର ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ବିରୋଧରେ ଅଫିସିଆଲ୍ ସିକ୍ରେଟ୍ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇ ପଚରା ଉଚରା ଜାରି ରହିଛି ।