ପାକିସ୍ତାନର ନୂଆ ଚାଲ୍! ୬୦୦ ସ୍ନାଇପର ରାଇଫଲ ଯୋଗେ ଭାରତୀୟ ସେନା ଉପରକୁ ଆକ୍ରମଣ କରିବାକୁ କରୁଛି ଷଡ଼ଯନ୍ତ୍ର

232

ସୁଧୁରିବନି ପାକିସ୍ତାନ । ଭାରତ ବିରୋଧରେ ଆଉ ଏକ ନୂଆ ଷଡଯନ୍ତ୍ର ଆରମ୍ଭ କରୁଛି ପାକ୍ । ଗୋଟିଏ ପଟେ ଏଲଓସିରେ ପାକିସ୍ତାନ ସେନା ସିଜଫାୟାରର ଉଲ୍ଲଂଘନ କରି ଭାରତୀୟ ସେନାର ପୋଷ୍ଟ ଗୁଡିକୁ ଗୁଳିମାଡ କରିବା ସହ ଆତଙ୍କବାଦୀ ମାନଙ୍କୁ ଭାରତ ମଧ୍ୟକୁ ପଠାଇବାକୁ ଯୋଜନା କରୁଛି ।ଅନ୍ୟପଟେ ପାକିସ୍ତାନ ଗୁଇନ୍ଦା ବିଭାଗ ଆଇଏସଆଇ ଭାରତୀୟ ସୀମାରେ ପହରା ଦେଉଥିବା ସୁରକ୍ଷାକର୍ମୀଙ୍କୁ ନିଶାନା ବନାଇବାକୁ ୬୦୦ଟି ହାଲୁକା ସ୍ନାଇପର ରାଇଫଲ ୟୁକେ ପାଖରୁ କିଣିଛି । ଏହି ସ୍ନାଇପର ରାଇଫଲ ଗୁଡିକୁ ୬୦୦ ଏସଏସଜି ଓ ମୁଜାହିଦ୍ଦିନ ବାଟାଲିୟନର ଶାର୍ପସୁଟରଙ୍କୁ ଦିଆଯିବ ।

ମିଳିଥିବା ଗୁଇନ୍ଦା ସୂଚନା ଆଧାରରେ, ଆଇଏସଆଇ ଓ ପାକ୍ ସେନା ମିଳିତ ଭାବେ ୟୁକେ ଠାରୁ ରେଞ୍ଜମାଷ୍ଟର ଓ ରେମିଙ୍ଗଟନ ଭଳି ୬୦୦ଟି ସ୍ନାଇପର ରାଇଫଲ କିଣିଛି । ଏକଥା ଏଥିପାଇଁ କୁହାଯାଉଛି, ଗତ କିଛି ଦିନ ଧରି ପାକ୍ ସେନା ପକ୍ଷରୁ ସ୍ନାଇପର ରାଇଫଲ ଯୋଗେ ଭାରତୀୟ ସେନା ଉପରକୁ ଆକ୍ରମଣ କରାଯାଉଛି । ଏହାପୂର୍ବରୁ ୨୦୧୮ ମସିହାରେ ସ୍ନାଇପର ରାଇଫଲ ଆକ୍ରମଣରେ ଭାରତର ୧୪ ଜଣ ସୁରକ୍ଷାକର୍ମୀ ଶହୀଦ୍ ହୋଇଛନ୍ତି ।

ରେଞ୍ଜମାଷ୍ଟର ଓ ରେମିଙ୍ଗଟନ ଭଳି ହାଲୁକା ସ୍ନାଇପର ରାଇଫଲ ବେଶ ଘାତକ । ୟୁନାଇଟେଡ କିଙ୍ଗଡମ ଠାରୁ ପାକିସ୍ତାନ କିଣିଥିବା ଏହି ସ୍ନାଇପର ରାଇଫଲ ଗୁଡିକର ଓଜନ ବେଶ ହାଲକା । ଏହି ସ୍ନାଇପର ରାଇଫଲ ଗୁଡିକର ଓଜନ ୧୬ କିଲୋଗ୍ରାମ ଥିବା ବେଳେ ଏହାର ଲମ୍ବା ୪୮ ଇଞ୍ଚରୁ ମଧ୍ୟ ଅଧିକ ନୁହେଁ । ଏହାକୁ ଫୋଲ୍ଡ କରି ମଧ୍ୟ ରଖାଯାଇପାରିବ । ତେବେ ପାକ୍ ସେନା ପକ୍ଷରୁ କୌଣସି ଆକ୍ରମଣକୁ ପ୍ରତିହତ କରିବାକୁ ଭାରତୀୟ ସେନାକୁ ମଧ୍ୟ ଆଲର୍ଟ କରାଯାଇଛି ।

ଏହାଛଡା ଭାରତୀୟ ସେନା ଉପରକୁ ଆକ୍ରମଣ କରିବାକୁ ଷ୍ଟିଲ ଗୁଳି ପାକିସ୍ତାନ କିଣିଥିବା ଗୁଇନ୍ଦା ରିପୋର୍ଟ ମିଳିଛି । ବୋସ୍ତିନିଆ ଓ ବେଲଜିୟମ ପାଖରୁ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଏକ ଲକ୍ଷ ରାଉଣ୍ଡ ସ୍ନାଇପର ଗୁଳି ମଧ୍ୟ କିଣିଛି । ଯାହାକୁ ଟ୍ରେଣ୍ଡ ଶାର୍ପ ସୁଟର ଓ ଆତଙ୍କବାଦୀଙ୍କୁ ଦେବାକୁ ଯୋଜନା କରୁଛି ପାକିସ୍ତାନ ।