ବ୍ୟକ୍ତିଗତ ଭାବେ ପ୍ରସ୍ତୁତ ପିକନିକ୍ ସ୍ପଟ୍ । ପାଟଣାଗଡ଼ର ବଣଭୋଜି ସ୍ଥଳ ‘କାହ୍ନା ବିହାର’

ସରକାରଙ୍କ ପକ୍ଷରୁ କାହ୍ନା ବିହାର ଯାଏଁ ଭଲ ରାସ୍ତାଟିଏ ନିର୍ମାଣ ଦାବି

180

କନକ ବ୍ୟୁରୋ: ବଲାଙ୍ଗିର ଜିଲ୍ଲା ପାଟଣାଗଡରୁ ୭ କିମି ଦୁରରେ ଥିବା କାହ୍ନା ବିହାରରେ ପର୍ଯ୍ୟଟକଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । କାହ୍ନା ବିହାର୍ ବ୍ୟକ୍ତିଗତ ମାଲିକାନାରେ ପ୍ରସ୍ତୁତ ହୋଇଥିବା ଏକ ପିକନିକ୍ ସ୍ପଟ୍ । ୧୯୯୪ ମସିହାରେ କଳାକାହ୍ନୁ ମେହେର୍ ନାମକ ଜଣେ ବ୍ୟକ୍ତି ନିଜ ୬ଏକର ଜମିରେ ପ୍ରଥମେ ଏକ ନର୍ସରି ଆରମ୍ଭ କରିଥିଲେ, ଯାହା ଏବେ ଏକ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ପରିଣତ ହୋଇଛି ।

ଏ ସବୁଜ ସୁନ୍ଦର ପରିବେଶ ପଛରେ ନାହିଁ କୌଣସି ସରକାରୀ ପ୍ରୋତ୍ସାହନ । କିମ୍ବା ଏହି ବଣଭୋଜି ସ୍ଥଳ ପଛରେ ନାହିଁ ବର୍ଷ ବର୍ଷର ଇତିହାସ । କେବଳ ଜଣେ ବ୍ୟକ୍ତିଙ୍କ ନିଷ୍ଠାପର ଉଦ୍ୟମ ଓ ପରିଶ୍ରମ ଏକ ଅଖ୍ୟାତ ଅଂଚଳକୁ ପ୍ରମୁଖ ପିକନିକ୍ ସ୍ପଟ୍ର ରୂପ ଦେଇଛି । ପାଟଣାଗଡ଼ର କଳାକାହ୍ନୁ ମେହେର୍ ୧୯୯୪ରେ ଆରମ୍ଭ କରନ୍ତି ଏକ ନର୍ସରି ଆଉ ସମୟକ୍ରମେ ତାଙ୍କ ପୁଅମାନଙ୍କ ପ୍ରତ୍ୟକ୍ଷ ଉଦ୍ୟମରେ ୪୫ ଏକର ଜମି ଉପରେ ଛିଡ଼ା ହୁଏ ବଲାଙ୍ଗିର ଜିଲ୍ଲାର ଅନ୍ୟତମ ପିକନିକ୍ ସ୍ପଟ୍ କାହ୍ନା ବିହାର୍ ।

ପ୍ରାକୃତିକ ଶୋଭାରାଜିରେ ଭରପୁର କାହ୍ନା ବିହାର୍ । ହଜାର୍ ହଜାର ଆମ୍ବ, ସାଗୁଆନ୍ ଓ ନଡ଼ିଆ ଗଛ ଉଦ୍ୟାନକୁ ସୁନ୍ଦର କରୁଥିବା ବେଳେ ସୌନ୍ଦର୍ଯ୍ୟବୃଦ୍ଧି ପାଇଁ ଅନେକ ସ୍ଥାନରେ କୃତ୍ରିମ କଳାକୃତିକୁ ମଧ୍ୟ ସ୍ଥାନ ଦିଆଯାଇଛି । ଭୋଜିଭାତ ପାଇଁ କାହ୍ନା ବିହାରରେ ପ୍ରବଳ ଗହଳି ଦେଖିବାକୁ ମିଳିଥାଏ ।

କ’ଣ ରହିଛି ସୁବିଧା ?

– ଛୋଟ ପିଲାଙ୍କ ପାଇଁ ଦୋଳିର ବ୍ୟବସ୍ଥା, ପୌରାଣିତ ତଥ୍ୟ ଆଧାରରେ କଳାକୃତି ଓ ପର୍ଯ୍ୟଟକଙ୍କ ପାଇଁ ଶୌଚାଳୟ ବ୍ୟବସ୍ଥା ରହିଛି ।

– ଭୋଜିଭାତ ପାଇଁ କାହ୍ନା ବିହାରରେ ପର୍ଯ୍ୟଟକଙ୍କୁ ଟଙ୍କା ଦେବାକୁ ପଡ଼ିନଥାଏ ।

– ଆମ୍ବ ବଗିଚାରୁ ଯେଉଁ ଆୟ ହୁଏ ସେଥିରୁ ପିକନିକ୍ ସ୍ପଟ୍ର ରକ୍ଷଣାବେକ୍ଷଣ ହୁଏ ।

– ଖୁବଶିଘ୍ର ଆରମ୍ଭ ହେବ ୧୫ ଏକର ଜମିରେ ସୁଇମିଂ ପୁଲ୍ ଓ ବୋଟିଂ ବ୍ୟବସ୍ଥା ।

– ରକ୍ଷଣାବେକ୍ଷଣ ପାଇଁ ସୋମବାର ଓ ଗୁରୁବାର କାହ୍ନା ବିହାର ବନ୍ଦ ଥାଏ ।

କାହ୍ନା ବିହାର ଛିଡ଼ା ହୋଇଛି ବ୍ୟକ୍ତିଗତ ଉଦ୍ୟମରେ । ତେବେ ସରକାରଙ୍କ ପକ୍ଷରୁ କାହ୍ନା ବିହାର ପର୍ଯ୍ୟନ୍ତ ଭଲ ରାସ୍ତାଟିଏ ନିର୍ମାଣ କରାଗଲେ ଭଲ ହୁଅନ୍ତା ବୋଲି ପର୍ଯ୍ୟଟକ ଦାବି କରିଛନ୍ତି ।