ପୁଣି ଚର୍ଚ୍ଚାକୁ ଆସିଲା ମାଲକାନଗିରି ଜିଲ୍ଲା : ଟର୍ଚ୍ଚ ଆଲୁଅରେ ହେଲା ପ୍ରସବ

22

ମାଲାକାନଗିରି : ଜାପାନୀ ଏନସେଫାଲାଇଟିସ୍ ଜ୍ୱରରେ ମାଲାକାନଗିରି ଜିଲ୍ଲା କମ୍ପୁଥିବା ବେଳେ ଏବେ ଜିଲ୍ଲାରେ ଦେଖିବାକୁ ମିଳିଛି ସ୍ୱାସ୍ଥ୍ୟସେବାର ଆଉ ଏକ ନମୂନା । କିଭଳି ବିଦ୍ୟୁତ ନଥିବାରୁ ଘନ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ମହିଳାଙ୍କ ପ୍ରସବ କରାଯାଇଛି ମାଲକାନଗିରି ସଦର ମହୁକୁମାଠୁ ମାତ୍ର ୧୫ କିଲୋମିଟର ଦୂର ପଦ୍ମଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ । ବିଦ୍ୟୁତ ନ ଥିବାରୁ ସ୍ୱାସ୍ଥ୍ୟକେନ୍ଦ୍ରରେ  ଚାଲିଛି ଅନ୍ଧାରୀ ଚିକିତ୍ସା ।

ଗତ ଶନିବାର ଦିନ ରାତିରେ ପଦ୍ମଗିରି ତଳସାହି ଗାଁ ର ରତ୍ନା ପଡିଆମିଙ୍କ ପ୍ରସବ ବେଦନ ଅନୁଭବ ହେବା ପରେ ୧୦୨ ଆମ୍ବୁଲାନ୍ସ ଯୋଗେ ତାଙ୍କ ତୁରନ୍ତ ପଦ୍ମଗିରି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଚିଂଲା ବେଳକୁ ସେଠାରେ ତାଲା ପଡିଥିବା ବେଳେ ବିଦ୍ୟୁତ ମଧ୍ୟ ନଥିଲା ।

ସ୍ୱାସ୍ଥ୍ୟକେନ୍ଦ୍ରରେ କୌଣସି ଡାକ୍ତର ବି ନଥିଲେ । ଗ୍ରାମବାସୀଙ୍କୁ ଡାକିବା ପରେ ସ୍ୱାସ୍ଥ୍ୟକର୍ମୀ ଆସି ଡାକ୍ତରଖାନାର ତାଲା ଖୋଲିଥିଲେ । କିନ୍ତୁ କିଟିକିଟି ଅନ୍ଧାର ଯୋଗୁଁ ଟର୍ଚ୍ଚ ଆଲୁଅ ଯୋଗେ ଆଶା ଦିଦି ଓ ସ୍ୱାସ୍ଥ୍ୟକର୍ମୀ ମହିଳାଙ୍କ ପ୍ରସବ କରାଇଥିଲେ । କିନ୍ତୁ ବିପଦପୂର୍ଣ୍ଣ ପ୍ରସବ ପରେ ମା ଓ ଛୁଆ ସୁସ୍ଥ ଥିବା ଜଣାପଡିଛି । ଖବର ଅନୁସାରେ ମେଡିକାଲର ଡାକ୍ତର ୧୦ ଦିନ ହେବ ଛୁଟିରେ ଥିବାବେଳେ ମେଡିକାଲରେ ଅବ୍ୟବସ୍ଥା ନେଇ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ।

ସ୍ୱାସ୍ଥ୍ୟକେନ୍ଦ୍ରରେ କିଭଳି ଚାଲିଛି ଚିକିତ୍ସା ସେ ନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ରକୁ ଯଦି ଜଣେ ଗୁରୁତର ରୋଗୀ ଆସନ୍ତି ଏଠାରେ ଚିକିତ୍ସା ପାଇଁ ଡାକ୍ତର ନଥିବା ବେଳେ ବିଭିନ୍ନ ଅବ୍ୟବସ୍ଥା ଦେଇ ଗତି କରୁଛି ଏହି ମେଡିକାଲ । ରାଜ୍ୟସରକାର ମାଙ୍କ ବିଭିନ୍ନ ଯୋଜନା କରୁଥିବା ବେଳେ ଯୋଜନା କିଭଳି ଭାବେ କାର୍ଯ୍ୟକାରୀ ହେଉଛି ଏଥିରୁ ସ୍ପଷ୍ଟ ଜଣାପଡୁଛି ।