ବିଲୁପ୍ତ ଆଡକୁ ଗତି କରୁଛି ଧଳା ଜିରାଫ୍ ପ୍ରଜାତି : ବିଶ୍ୱରେ ଜୀବିତ ଅଛି ମାତ୍ର ଗୋଟିଏ ଜିରାଫ୍ । 

366

୨୦୧୭ ମସିହାରେ ଏକ ମାଈ ଜିରାଫ୍ ଏବଂ ତା’ର ଛୁଆର ଫଟୋ ଖୁବ୍ ଭାଇରାଲ ହୋଇଥିଲା । କାରଣ, ସେମାନଙ୍କ ରଙ୍ଗ ସାଧାରଣ ଜିରାଫ ଭଳି ମାଟିଆ ନୁହେଁ , ବରଂ ଧଳା ରଙ୍ଗର । ସାଧାରଣ ଜିରାଫଙ୍କ ଭଳି କୌଣସି ବି ଚିହ୍ନବର୍ଣ୍ଣ ତାଙ୍କଠାରେ ଦେଖିବାକୁ ମିଳି ନ ଥିଲା। ସେମାନଙ୍କୁ ବିଶ୍ୱର ସବୁଠାରୁ ଦୁର୍ଲ୍ଲଭ ଜିରାଫ୍ ବୋଲି କୁହାଯାଉଥିଲା । ଦୁହିଁଙ୍କୁ କେନିଆର ଓ୍ଵାଇଲ୍ଡଲାଇଫ୍ ସେଞ୍ଚୁରୀରେ ୨୦୧୬ ରେ ଦେଖିବାକୁ ମିଳିଥିଲା । କିନ୍ତୁ ଦୁଃଖର ବିଷୟ, ଏବେ ସେମାନେ ଆଉ ଏହି ଦୁନିଆରେ ନାହାନ୍ତି । ମା’, ଛୁଆ ଦୁହେଁ ଶିକାରୀ ଗୁଳିରେ ଟଳିପଡ଼ିଛନ୍ତି ।

ସୂଚନାନୁସାରେ, ଉତ୍ତର-ପୂର୍ବ କେନିଆରେ ଗରିସା କାଉଣ୍ଟିର ଏକ ଗାଁରୁ ମା’, ଛୁଆର ମୃତ ଶରୀର ରେଞ୍ଜରଙ୍କୁ ମିଳିଥିଲା । ବର୍ତ୍ତମାନ କେବଳ ଗୋଟିଏ ହିଁ ଧଳା ଜିରାଫ୍ ବଞ୍ଚିରହିଛି । କୁହାଯାଉଛି, ସେ ହିଁ ବିଶ୍ୱର ଏକମାତ୍ର ଧଳା ଜିରାଫ୍ । ‘ଇଶାକବିନି ହିରୋଲା ସାମୁଦାୟିକ ସଂରକ୍ଷଣ’ର ମ୍ୟାନେଜର ମହମ୍ମଦ ଅହମଦନୁରଙ୍କ କହିବାନୁଯାୟୀ, ମରିଯାଇଥିବା ଦୁଇଟି ଧଳା ଜିରାଫକୁ ୩ ବର୍ଷ ପୂର୍ବେ ଶେଷଥର ପାଇଁ ଦେଖାଯାଇଥିଲା । ଏହା ପୂରା କେନିଆ ପାଇଁ ବଡ଼ ଦୁଃଖଦ ବିଷୟ । କାରଣ, ପୂରା ବିଶ୍ୱରେ ଏଠାରେ ହିଁ ଧଳା ଜିରାଫ୍ ଅଛନ୍ତି । ଦୁଇଟି ଜିରାଫ୍ ଲ୍ୟୁସିଜମ୍ ନାମକ ଜେନେଟିକ୍ ରୋଗରେ ପୀଡ଼ିତ ଥିଲେ । ଏହି ରୋଗରେ ଆକ୍ରାନ୍ତ ହେଲେ, ଏହା ତ୍ୱଚାର କୋଶିକାଗୁଡ଼ିକର ପିଗ୍ମେଣ୍ଟେଶନ(ତ୍ୱଚାର ମୂଳ ରଙ୍ଗ ନ ରହିବା)କୁ ରୋକିଦେଇଥାଏ । ଲ୍ୟୁସିଜମରେ ଆଖି ପାଖରେ କଳା ରଙ୍ଗ ଦେଖିବାକୁ ମିଳିଥାଏ । ଆଫ୍ରିକା ୱାଇଲ୍ଡଲାଇଫ ଫାଉଣ୍ଡେଶନ ମୁତାବକ, ୩୦ ବର୍ଷ ପୂର୍ବେ ଜିରାଫର ଜନସଂଖ୍ୟା ପ୍ରତିଶତ ହ୍ରାସ ପାଇଛି । କାରଣ ଶିକାରୀଙ୍କ ମାଂସ ଓ ଚମଡା ପାଇଁ ନିରୀହ ଜିରାଫଙ୍କୁ ମାରି ଦେଉଛନ୍ତି । ଅନ୍ତରାଷ୍ଟ୍ରୀୟ ପ୍ରକୃତି ସଂରକ୍ଷଣ ସଂଘ ଅନୁସାରେ, ୧୯୮୫ରେ ଜିରାଫର ଜନସଂଖ୍ୟା ୧୫୫,୦୦୦ ଥିଲା । ଯାହା ୨୦୧୫ ରେ ହ୍ରାସ ପାଇ ୯୭,୦୦୦ରେ ପହଞ୍ଚିଥିଲା । ଏହି ଘଟଣା ପାଇଁ ତଦନ୍ତ ଜାରି ରହିଥିବା ବେଳେ, ବର୍ତ୍ତମାନ ସୁଦ୍ଧା କୌଣସି ଶିକାରୀଙ୍କୁ ଧରା ହୋଇନାହିଁ ।