୩ ଲକ୍ଷ ପାଇଁ ଜୀବନ ସହ ସଂର୍ଘଷ କରୁଛି ଦେଢ ମାସର କୁନି ଶିଶୁ, ବଦାନ୍ୟ ବ୍ୟକ୍ତିଙ୍କ ସହାୟତାକୁ ଅନାଇ ବସିଛନ୍ତି ଅସହାୟ ବାପା ମା’!

36

କନକ ବ୍ୟୁରୋ : ଧନୀ-ଗରିବ ଭିତରେ ବଢ଼ୁଥିବା ଅସମାନତା ନେଇ ନିକଟରେ ପ୍ରକାଶ ପାଇଥିବା ଅକ୍ସଫାର୍ମ ରିପୋର୍ଟ ସଂପର୍କରେ ଆପଣ ଜାଣିଥିଲେ । ଏହି ରିପୋର୍ଟର ଏକ ବଡ଼ ଦିଗଟି ଥିଲା, ଚିକିତ୍ସା ଖର୍ଚ୍ଚ ପାଇଁ ଦେଶରେ ଗରିବ ଲୋକଙ୍କ ସଂଖ୍ୟା ବଢୁଛି । ଲୋକମାନେ ଆୟର ଦୁଇ ଗୁଣା ପର୍ଯ୍ୟନ୍ତ ଚିକିତ୍ସା ପାଇଁ ଖର୍ଚ୍ଚ କରି ଦିଅନ୍ତି । ଆଉ ସ୍ୱାସ୍ଥ୍ୟ ସେବାର ଗୁରୁତ୍ୱକୁ ଦେଖି ଉଭୟ କେନ୍ଦ୍ର ଓ ରାଜ୍ୟ ନିଜ ନିଜ ବାଟରେ ଯୋଜନା କରିଛନ୍ତି । ହେଲେ ଏସବୁ ଯୋଜନା ସତ୍ୱେ କେମିତି ଜଣେ ଗରିବ ମଣିଷ ନିଜର ଦେଢ଼ ମାସର ପୁଅର ଚିକିତ୍ସା ପାଇଁ ଭାର ଦୁଆର ବୁଲୁଛି ତାହା ଜାଣିଲେ ହୁଏତ ଆପଣଙ୍କ ଆଖିରେ ଲୁହ ଆସିଯିବ ।

ମା’ କୋଳରେ ଶୋଇ ରହିଥିବା ନିଷ୍ପାପ ଶିଶୁର କାହାଣୀ ଶୁଣିଲେ ଆପଣଙ୍କ ହୃଦୟ ବି ତରଳି ଉଠିବ । ଜନ୍ମରୁ ଯେମିତି ଯନ୍ତ୍ରଣା ନେଇ ଏ ଦୁନିଆକୁ ଆସିଛି ଏହି ଅଭାଗା ଶିଶୁ । ଜନ୍ମ ହେବାର କିଛି ଦିନରେ ଅଚାନକ୍ କୁନି ପିଲାଟିର ପେଟ ଫୁଲିବାରେ ଲାଗିଥିଲା । ହସ୍ପିଟାଲକୁ ନେବାର ଜଣାପଡ଼ିଲା, ପିଲାଟିର ମଳ ନିଷ୍କାସନ ନଳୀ ଫାଟିଯାଇଛି । ଚିକିତ୍ସା ପାଇଁ ଆବଶ୍ୟକ ୨ରୁ୩ ଲକ୍ଷ ଟଙ୍କା । ହେଲେ ଏତେ ଟଙ୍କା ଆସିବ କୁଆଡୁ?

କୁନି ପିଲାର ବାପା, ଆକାଶ ନାୟକ ହେଉଛନ୍ତି ପେଶାରେ ବିଏମସିର ସଫେଇ କର୍ମଚାରୀ । ବୃଦ୍ଧ ବାପା-ମା ଏବଂ ପତ୍ନୀଙ୍କୁ ନେଇ ଭୁବନେଶ୍ୱର ବାପୁଜି ନଗର ଝରଣା ସାହିରେ ରୁହନ୍ତି । ଦେଢ଼ ମାସ ତଳେ ବିଏମସି ହସ୍ପିଟାଲରେ ଜନ୍ମ ନେଇଥିଲା ଏହି କୁନି ପିଲା । ପେଟ ଫୁଲିବା ଦେଖି ପିଲାଟିକୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ । ଜଣାପଡ଼ିଲା ପଲାଟିର ମଳ ନିଷ୍କାସନ ନଳୀ ଫାଟି ଯାଇଛି । ପେଟକାଟି ପିଲା ପାଇଁ ଅସ୍ଥାୟୀ ଭାବେ ମଳ ନିଷ୍କାସନ ବ୍ୟବସ୍ଥା କରାଗଲା ।

କିଛି ଦିନ ପର୍ଯ୍ୟନ୍ତ ସବୁକିଛି ଠିକ୍ ଚାଲିଥିଲା ହେଲେ ଏବେ ପୁଣି ଥରେ ଅସ୍ତ୍ରୋପଚାର ଆବଶ୍ୟକ । କାରଣ ପେଟ ବାଟେ ମଳ ନିଷ୍କାସନ ସବୁ ଦିନ ପାଇଁ ସମ୍ଭବ ନୁହେଁ । ପିଲାଟିକୁ କଟକ ବଡ ମେଡ଼ିକାଲ ନେଇଗଲେ । ହେଲେ ସେଠି ଆଇସିୟୁ ଖାଲି ନଥିବା କହିବା ସହ ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପରାମର୍ଶ ଦିଆଗଲା । ହେଲେ ଏଥିପାଇଁ ଦରକାର ୨ରୁ ୩ଲକ୍ଷ ଟଙ୍କା । ସଫେଇ କର୍ମଚାରୀ ଭାବେ କାମ କରୁଥିବା ମଣିଷ ପାଇଁ ୩ ଲକ୍ଷ ଟଙ୍କା ଯୋଗାଡ଼ କରିବା ସମ୍ଭବ ହେଉନି । ଆଉ ଏଭଳି ସ୍ଥିତିରେ ପୁଅ ପାଇଁ ଭିକ ମାଗିବା ପାଇଁ ପାଇଁ ପଛେଇବେ ନାହିଁ ବୋଲି କହିଛନ୍ତି ଆକାଶ ।