ପ୍ରଦୂଷିତ ହେଉଛି ମହାନଦୀର ପାଣି ! ଉଭୟ ଛତିଶଗଡ ଓ ଓଡିଶା ସରକାରଙ୍କୁ ଦାୟୀ କଲେ ଜଳ ଗବେଷକ

25

କନକ ବ୍ୟୁରୋ : ମହାନଦୀକୁ ପ୍ରଦୂଷଣ କରୁଛନ୍ତି ଉଭୟ ଛତିଶଗଡ ଓ ଓଡିଶା । ମହାନଦୀର ପାଣି ଦିନକୁ ଦିନ ପ୍ରଦୂଷିତ ହେଉଥିବାରୁ ପ୍ରଦୂଷଣକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜଳ ଗବେଷକ । କଳ କାରଖାନାର ବିଷାକ୍ତ ପାଣି ସହ ମହାନଦୀକୁ ପ୍ରଦୂଷିତ କରୁଛନ୍ତି ମହାନଦୀ କୂଳରେ ଥିବା ବିଭିନ୍ନ ସହର । କିନ୍ତୁ ସବୁ ଜାଣି ଚୂପ ବସିଛନ୍ତି ରାଜ୍ୟ ସରକାର, ଯାହା ସବୁଠାରୁ ବିଡମ୍ବନାର ବିଷୟ ।

ଛତିଶଗଡ଼ରୁ ଚିଲିକା ଯାଏଁ ସବୁଠି ପ୍ରଦୂଷିତ ମହାନଦୀର ପାଣି । ‘ମହାନଦୀ ଜଳ ଓଡ଼ିଶାର ବଳ’ ନାରା ଦେଉଥିବା ସରକାର କିନ୍ତୁ ମହାନଦୀ ଜଳର ସୁରକ୍ଷା ଭୂଲି ଯାଇଛନ୍ତି । ଉଭୟ ଛତିଶଗଡ ଓ  ଓଡିଶା ମହାନଦୀକୁ ପ୍ରଦୂଷିତ କରୁଥିବା ଅଭିଯୋଗ ହୋଇଛି । ଉଭୟ ରାଜ୍ୟର ବିଭିନ୍ନ କଳ କାରଖାନାର ବିଷାକ୍ତ ପାଣି ଓ ବିଭିନ୍ନ ଜିଲ୍ଲାର ପୌର ପରିଷଦ ଏବଂ ମହାନଗର ନୀଗମର ପ୍ରଦୂଷିତ ପାଣି ସିଧାସଳଖ ମହାନଦୀରେ ମିଶିବାରୁ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଉଛି । ମହାନଦୀ ଜଳରେ ବିଭିନ୍ନ ରୋଗର ଭୂତାଣୁ ମିଳିଥିବା ଜଳ ବୈଜ୍ଞାନିକ ମାନେ କହିବା ସହ ଏହା ପାଣି ଗାଈଗୋରୁଙ୍କ ବ୍ୟବହାର ଉପଯୋଗୀ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି । କେବଳ ମହାନଦୀ ନୁହେଁ ଏହାର ଶାଖା ନଦୀ ଗୁଡ଼ିକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି ।

୯୦ ଦଶକରୁ ମହାନଦୀ ପାଣି ପ୍ରଦୂଷିତ ହେଉଥିବା ବେଳେ ଉଭୟ ସରକାର କିନ୍ତୁ ନୀରବ । ଅନ୍ୟପଟେ ଦୟା ନଦୀକୁ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଥିବା ବେଲେ ମହାନଦୀ ପ୍ରସଙ୍ଗରେ ମୁହଁ ଖୁଲୁନାହାନ୍ତି । ରାଜ୍ୟ ସରକାର ଶୀଘ୍ର ପଦକ୍ଷେପ ନନେଲେ ଯେଉଁ ମହାନଦୀ ଜଳ ପାଇଁ ଲଢ଼େଇ କରୁଛନ୍ତି ସେହି ଜଳ ମୂଲ୍ୟହୀନ ହୋଇପଡ଼ିବ ।