ଓଡ଼ିଆ ଭାଷା ଓ କାଳଜୟୀ କୃତି ପ୍ରସାର ପାଇଁ ବଦଳିଲା ଓଡ଼ିଆ ଭର୍ଚୁଆଲ ଏକାଡେମୀର ରୂପ । ନୂତନ ୱେବ୍ ପୋର୍ଟାଲର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ।

193

କନକ ବ୍ୟୁରୋ: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ସୁରକ୍ଷିତ ରଖିବା ସହ ଦେଶ ବିଦେଶରେ ରହୁଥିବା ଓଡ଼ିଆଙ୍କ ପାଖରେ ଓଡ଼ିଆ ଭାଷାକୁ ପହଞ୍ଚାଇବା ଦିଗରେ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ । ଓଡ଼ିଆ ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’କୁ ସମ୍ପୂର୍ଣ୍ଣ ନୂଆ ରୂପ ସହ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ନୂତନ  www.ova.gov.in ୱେବ୍ ପୋର୍ଟାଲର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଆ ସାହିତ୍ୟର ଏହି ଭର୍ଚୁଆଲ୍ ଭଣ୍ଡାର ପୂର୍ବାପେକ୍ଷା ଆହୁରି ଉନ୍ନତ ହେବ । ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଙ୍ଗୀତ, ପ୍ରାଚୀନ ପୋଥି, ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିକୁ ଡିଜିଟାଇଜେଶନ ରୂପରେ ଦେଖିବେ ଓଡ଼ିଆ ଭାଷାପ୍ରେମୀ ।

କେବଳ ସେତିକି ନୁହେଁ, ୧୭୦ ଖଣ୍ଡ କାଳଜୟୀ ଓ ଲୋକପ୍ରିୟ ଓଡ଼ିଆ ପୁସ୍ତକକୁ ଡିଜିଟାଇଜ୍ କରାଯାଇ ଏହି ନୂତନ ପୋର୍ଟାଲରେ ସ୍ଥାନିତ କରାଯାଇଥିବା ବେଳେ ଇ-ବୁକ୍ ମାଧ୍ୟମରେ ଏହା ପାଠକଙ୍କ ଲାଗି ଉପଲବ୍ଧ ହେବ। ସେଥି ପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ସି-ଡାକ୍, ୟୁଚିକାଗୋ ଏବଂ ସେଣ୍ଟର ଫର୍ ଇଣ୍ଟରନେଟ୍ ସୋସାଇଟି ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ହୋଇଛି । ଡିଜିଟାଲ ଏବଂ ଇଣ୍ଟରନେଟଭିତ୍ତିକ ସେବାର ଲୋକପ୍ରିୟତା ଦିନକୁ ଦିନ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଓଡ଼ିଆ ଭାଷା ଓ ସଂସ୍କୃତି ସଂକ୍ରାନ୍ତ ବିଭବକୁ ଡିଜିଟାଲ ରୂପରେ ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା ବୋଲି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା କହିଛନ୍ତି ।

୨୦୧୭ ଏପ୍ରିଲ ୧୪ ତାରିଖରେ ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ ପ୍ରସ୍ତୁତ କରାଯାଇ ସେଥିରେ ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ପୁସ୍ତକ, ଓଡ଼ିଶାର ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ସମ୍ପର୍କିତ ବିସ୍ତୃତ ତଥ୍ୟ ଉପଲବ୍ଧ କରାଯାଇଥିଲା । କିନ୍ତୁ ଏବେ ଓଡ଼ିଆ ଭାଷାର ସହଜ ଓ ସୁଗମ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଏହି ଓ୍ବେବ୍ ପୋର୍ଟାଲକୁ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଓଡ଼ିଆ ସାହିତ୍ୟର କିଛି କାଳଜୟୀ ରଚନାକୁ ଇ-ବୁକ୍ ମାଧ୍ୟମରେ ଏଥିରେ ସ୍ଥାନିତ କରାଯାଇଛି । ଏହା ମଧ୍ୟରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଅର୍ଥ କୋଇଲି, ଅଚ୍ୟୁତାନନ୍ଦ ଦାସଙ୍କ ଓଗାଳ ଖଣ୍ଡ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସୁଭଦ୍ରା ପରିଣୟ, ଯମକରାଜ ଚଉତିଶା, ଲାବଣ୍ୟବତୀ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଲୋକପ୍ରିୟ ପୁସ୍ତକ ମାଟିର ମଣିଷ, ଭଳି ପ୍ରାଚୀନ ଓଡ଼ିଆ ପୋଥି, ପତ୍ରପତ୍ରିକା ଆଦିକୁ ଏଥିରେ ଉପଲବ୍ଧ କରାଯାଇଛି। ସାର୍ବଜନୀନ ଉପଯୋଗିତା ଦୃଷ୍ଟିରୁ ୟୁନିକୋଡ୍ ଫଣ୍ଟ୍ ବ୍ୟବହାର ଓ ପ୍ରୟୋଗକୁ ଗୁରୁତ୍ୱ ଦିଆଯାଇଛି ।