ଆପଣଙ୍କ ପକେଟରେ ରଙ୍ଗୀନ ନୋଟ ! ୨୦୦୦ ଟଙ୍କିଆରୁ ୫୦ ଟଙ୍କା ଯାଏଁ, ଜାଣନ୍ତୁ ନୋଟର ବିଶେଷତ୍ୱ

201

କନକ ବ୍ୟୁରୋ: ନୋଟବନ୍ଦୀ ପରେ ବଜାରକୁ ଆସିଛି ନୂଆ ନୋଟ । ପ୍ରଥମେ ଦୁଇ ହଜାର ଟଙ୍କିଆକୁ ବଜାର ପ୍ରବେଶ କରାଯାଇଥିବା ବେଳେ ଏବେ ଦୁଇଶହ ଟଙ୍କିଆ ନୋଟ ଆସିଛି ବଜାରକୁ । ନୂଆନୋଟ ପାଇବାକୁ ଗ୍ରାହକଙ୍କ ମଧ୍ୟରେ ବେଶ ଉତ୍ସାହ ବି ଦେଖାଯାଉଛି । ହେଲେ ଥରେ ଭାବିଲେ, ଏ ନୋଟ ଆମକୁ କିଛି ସନ୍ଦେଶ ଦେଉଛି କି ? ରଙ୍ଗର ପର୍ବ ହୋଲି ପରେ ଆମ ପକେଟରୁ ଯେମିତି ରଙ୍ଗୀନ ନୋଟ ବାହାରେ ଠିକ ସେମିତି ଏହି ନୂଆ ନୋଟସବୁ ହୋଲିର ପରବର୍ତ୍ତୀ ସମୟର ଭ୍ରମ ସୃଷ୍ଟି କରୁନାହିଁ କି ?

୨୦୧୬ ନଭେମ୍ବର ୮ରେ ହଠାତ ପୁରୁଣା ପାଂଚଶହ ଓ ହଜାରେ ଟଙ୍କିଆ ନୋଟକୁ ଅଚଳ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଏହାର କିଛି ଦିନ ବ୍ୟବଧାନରେ ବଜାରରେ ନୂଆ ନୋଟକୁ ପ୍ରବେଶ କରାଇଲା ଆରବିଆଇ । ହଜାରେ ଟଙ୍କିଆର ଯୁଗ ଶେଷ ହୋଇ ବଜାରକୁ ଆସିଲା ନୂଆ ଦୁଇ ହଜାର ଟଙ୍କିଆ ଓ ପାଂଚଶହ ଟଙ୍କିଆ ନୋଟ । ଦୁଇ ହଜାର ଟଙ୍କିଆ ନୋଟର ରଙ୍ଗ ଗୋଲାପି ଥିଲା ବେଳେ ପାଂଚଶହ ଟଙ୍କିଆ ନୋଟର ରଙ୍ଗ ଥିଲା ହାଲୁକା ଧୂଷର । ଏବେ ନୂଆ ନୂଆ ଲଂଚ ହୋଇଥିବା ଦୁଇଶହ ଟଙ୍କିଆ ନୋଟର ରଙ୍ଗ ରହିଛି ହଳିଦିଆ । ପୁଣି ନୂଆ ପଚାଶ ଟଙ୍କିଆ ନୋଟର ବି ବଦଳିଛି ରଙ୍ଗ । ଏ ସବୁ ନୋଟକୁ ଏକାଠି ରଖି ଭଲରେ ଦେଖିଲେ ଲାଗେ ଯେମିତି ଜୀବନ ସବୁଦିନ ପାଇଁ ରଙ୍ଗ ଲାଗି ଯାଇଛି । ଆଉ ଦୈନନ୍ଦିନ ଜୀବନରେ ପ୍ରତ୍ୟେକ ଦିନ ନୂଆ ନୂଆ ରଙ୍ଗକୁ ଦେଖୁଛି ମଣିଷ ।

ଦେଶର ଅର୍ଥନୈତିକ ବ୍ୟବସ୍ଥାଗତ ଢ଼ାଂଚାରେ ଆସିଛି ପରିବର୍ତ୍ତନ । ନୋଟବନ୍ଦୀ ପରେ ପ୍ରଥମ ଥର ପାଇଁ ଶହେ ଓ ପାଂଚଶହ ଟଙ୍କା ମଧ୍ୟରେ ଧସେଇ ପଶିଛି ନୂଆ ନୋଟ । ଖୁଚୁରାକୁ ସରଳ କରିବା ପାଇଁ ଆରବିଆଇ ଗ୍ରାହକଙ୍କୁ ଭେଟି ଦେଇଛି ନୂଆ ଦୁଇଶହ ଟଙ୍କିଆ ନୋଟ । ଗଜାନନଙ୍କ ପୂଜା ସହ ଶୁକ୍ରବାର ଏହି ନୋଟ ବ୍ୟାଙ୍କକୁ ଆସିଛି । ତେବେ ଏହି ନୋଟ ମଣିଷ ଜୀବନରେ ଯେମିତି ରଙ୍ଗ ଲଗେଇ ଦେଇଛି । ଏହି ନୋଟର ରଙ୍ଗ ରହିଛି ହଳଦିଆ । ସାମାଜିକ ଜୀବନରେ ଏହି ରଙ୍ଗ ମଣିଷକୁ ଶକ୍ତି ଓ ସାମର୍ଥ ଦେଇଥାଏ ।

ତେବେ ଏହି ନୋଟର ମଝିରେ ସ୍ଥାନ ପାଇଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋ । ଏହି ଫଟୋର ପଛରେ ରହିଛି ସାଂଚୀ ସ୍ତୁପର ଚିତ୍ର । ଏକଦମ୍ ରଙ୍ଗୀନ ଲାଗୁଛି ନୋଟଟି । କାରଣ ଏଥିରେ ଚାନ୍ଦୁଆ ଭଳି ଲାଗୁଥିବା କିଛି ଚିତ୍ର ରହିଛି ଚାରି କୋଣରେ । ପ୍ରାୟ ୧୫ଟି ଭାଷାରେ ଦୁଇଶହ ଟଙ୍କା ବୋଲି ଲେଖାଯାଇଛି ଯାହା ମଧ୍ୟରେ ଓଡିଆ ଭାଷା ମଧ୍ୟ ସାମିଲ ରହିଛି । ନୋଟର ପଛରେ ବାମପଟ ତଳଆଡକୁ ସ୍ୱଚ୍ଛ ଭାରତର ଲୋଗୋ ରହିଛି । ନୋଟଟିରେ ଥିବା ମହାତ୍ମାଗାନ୍ଧୀଙ୍କ ଫଟୋ, ଅଶୋକ ଚକ୍ର, ଏଚ୍ ସଙ୍କେତ ଓ ରଙ୍ଗୀନ ଚିତ୍ର ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବ ବୋଲି ଆଶା କରାଯାଉଛି । ଏହାଛଡା ଦୃଷ୍ଟିହୀନ ଲୋକେ ମଧ୍ୟ ଏହାର ଫାଇଦା ଉଠାଇ ପାରିବେ ।

ଏବେ ବଜାରକୁ ଆସିବାକୁ ଯାଉଛି ନୂଆ ପଚାଶ ଟଙ୍କାର ନୋଟ । ପ୍ରଥମରୁ ପଚାଶ ଟଙ୍କିଆ ନୋଟ ଯଦିଓ ବଜାରରେ ରହିଛି, କିନ୍ତୁ ଏହାର ଏକ ଡିଜାଇନ ଆସିବାକୁ ଯାଉଛି । ଗତ ସପ୍ତାହରେ ଏହି ନୂଆ ଡିଜାଇନ ଫଟୋ ଆରବିଆଇ ପକ୍ଷରୁ ଜାରୀ କରାଯାଇଛି । ଏହି ନୂଆ ନୋଟ ବି ବେଶ ରଙ୍ଗୀନ ହୋଇଛି । ଆକାଶୀ ନୀଳର ରଙ୍ଗରେ ଏହା ସମସ୍ତଙ୍କୁ ଆକୃଷ୍ଟ କରିବ ବୋଲି ଆଶା କରାଯାଉଛି । ତେବେ ଏହି ନୋଟର ପଛ ପାଶ୍ୱର୍ରେ ପାର୍ଲାମେଣ୍ଟ ଚିତ୍ର ବଦଳରେ ହମ୍ପି ଫଟୋ ରହିଛି ।

ଅନ୍ୟପଟେ ନୂଆ ପଚାଶ ଟଙ୍କିଆ ନୋଟ ବଜାରକୁ ଆସିବା ପରେ ବି ପୁରୁଣା ପଚାଶ ଟଙ୍କିଆ ନୋଟ ଚଳିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହି ପଚାଶ ଟଙ୍କିଆ ନୋଟରେ ଦେବନାଗରୀରେ ପଚାଶ ଟଙ୍କା ବୋଲି ଲେଖାଯାଇଛି । ଡାହାଣ ପାଶ୍ୱର୍ର ତଳକୁ ଅଶୋକ ସ୍ତମ୍ଭ ରହିଛି । ନୋଟର ପଛପାଶ୍ୱର୍ର ବାମପଟ ଉପରେ ବର୍ଷ ପ୍ରିଣ୍ଟ ହୋଇଥିବା ଦେଖିବାକୁ ମିଳିବ । ଏଥିରେ ମଧ୍ୟ ସ୍ୱଚ୍ଛ ଭାରତ ଅଭିଯାନର ଲୋଗୋ ଓ ସ୍ଲୋଗାନ ଦେଖିବାକୁ ମିଳିବ ।

ସେପଟେ ନୋଟବନ୍ଦୀ ପରେ ପାଂଚଶହ ଟଙ୍କାର ନୂଆ ଅବତାର ଦେଖିଛନ୍ତି ଲୋକେ । ଯାହା ଦେଖିବାକୁ ପୁରୁଣା ନୋଟ ଠାରୁ ଏକଦମ ଅଲଗା । ପୁରୁଣା ପାଂଚଶହ ଟଙ୍କା ନୋଟ ଦେଖିବାକୁ ହଳଦିଆ ରଙ୍ଗ ଥିବା ବେଳେ ନୂଆ ନୋଟକୁ ଇସତ ଧୂସର ରଙ୍ଗ ଦିଆଯାଇଛି । ନୂଆନୋଟର ପଛପାଶ୍ୱର୍ରେ ଲାଲକିଲ୍ଲାର ଚିତ୍ର ସହ ସ୍ୱଚ୍ଛ ଭାରତର ଲୋଗୋ ଓ ସ୍ଲୋଗାନ ବି ରହିଛି ।

ସବୁଠୁ ବଳିଯାଇଛି ନୂଆ ଦୁଇ ହଜାର ଟଙ୍କିଆ ନୋଟ । ଗୋଲାପି ରଙ୍ଗରେ ଯାହା ଦେଖିବାକୁ ଏକ ଦମ ରଙ୍ଗୀନ । ପୁରା ନୂଆ ଲୁକରେ ବଜାରକୁ ଆସିଥିବା ଏହି ନୋଟରେ ପ୍ରଥମ ପାଶ୍ୱର୍ର ମଝିରେ ମହାତ୍ମାଗାନ୍ଧୀଙ୍କ ଚିତ୍ର ଥିବା ବେଳେ ପଛପଟେ ମଙ୍ଗଳ ଯାନର ଚିତ୍ର ସ୍ଥାନୀତ ହୋଇଛି । ନୋଟଟିକୁ ୪୫ଡିଗ୍ରୀ କରି ଦେଖିଲେ ଏଥିରେ ୱାଟରମାର୍କରେ ଦୁଇ ହଜାର ଟଙ୍କା ବୋଲି ବି ଲେଖାଯାଇଥିବା ଜଣାପଡେ । ଏଥିରେ ମଧ୍ୟ ସ୍ୱଚ୍ଛ ଭାରତ ଲୋଗୋ ଓ ସ୍ଲୋଗାନ ଲେଖାଯାଇଛି ।

ସବୁଠୁ କୌତୁହଳପୂର୍ଣ୍ଣ କଥା ହେଉଛି, ପ୍ରତିଟି ନୂଆ ନୋଟକୁ ରଙ୍ଗୀନ କରାଯାଇଛି ମନୋବିଜ୍ଞାନ ଆଧାରରେ । କାରଣ ମନୋବିଜ୍ଞାନ ଅନୁସାରେ ମଣିଷ ଜୀବନରେ ରଙ୍ଗର ଭୂମିକା ବେଶ ମହତ୍ୱପୂର୍ଣ୍ଣ । ନାଲିରୁ ଗୋଲାପି, ପୁଣି ସବୁଜରୁ ହଳଦିଆ ସବୁ ରଙ୍ଗର ପ୍ରଭାବ ପଡେ ମଣିଷ ଉପରେ । କୁହାଯାଉଛି ଏହାକୁ ଦୃଷ୍ଟିରେ ରଖି ନୋଟକୁ ରଙ୍ଗୀନ କରିବାକୁ ପ୍ରସ୍ତାବ ଦିଆଯାଇଛି । ଗୋଲାପି ରଙ୍ଗ ପ୍ରେମ, ହଳଦିଆ ରଙ୍ଗ ବନ୍ଧୁତ୍ୱ, ଆକାଶୀ ନୀଳ ଶାନ୍ତ ଓ ବୁଦ୍ଧିମାନ ଭଳି ଶକ୍ତି ଦିଏ ମଣିଷକୁ । ତେଣୁ ଏହାକୁ ଧ୍ୟାନରେ ରଖି ନୂଆ ନୋଟକୁ ରଙ୍ଗୀନ କରାଯାଇଥିବା ମତପ୍ରକାଶ ପାଇଛି ।