ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ଡେଙ୍ଗୁ । ଲୋକମାନଙ୍କୁ ସତର୍କତାର ସହ ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ

55

କନକ ବ୍ୟୁରୋ : ସାରା ରାଜ୍ୟରେ ବର୍ତ୍ତମାନ ଡେଙ୍ଗୁ କାୟା ବିସ୍ତାର କରୁଛି । ରାଜ୍ୟର ଅନେକ ଜିଲ୍ଲାରେ ଡେଙ୍ଗୁ ଜରରେ ଲୋକଙ୍କ ମୁତ୍ୟୁ ହୋଇଥିବା ନେଇ ଅଭିଯୋଗ ମଧ୍ୟ ହେଲାଣି । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର କଟକ ଏସସିବି ମେଡିକାଲରେ ଏକ ସ୍ୱତନ୍ତ୍ର ଆଇସିୟୁ ବ୍ୟବସ୍ଥା ମଧ୍ୟ କରିଛନ୍ତି । ହେଲେ ଏହି ମାରାତ୍ମକ ଜର ଗୋଟିଏ ପରେ ଗୋଟିଏ ଜିଲ୍ଲାକୁ କାୟା ବିସ୍ତାର କରିବାରେ ଲାଗିଛି । ତେବେ ଡେଙ୍ଗୁ ଜ୍ୱରରେ ଏବେ କମ୍ପୁଛି ଗଜପତି ଜିଲ୍ଲା କାଶୀନଗର ବ୍ଲକ କେ.ସୀତାପୁର ପଞ୍ଚାୟତ ସିଙ୍ଗିପୁର ଗ୍ରାମ। ନିୟନ୍ତ୍ରଣ ବଦଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଦିନକୁ ଦିନ ବଢିବାରେ ଲାଗିଛି। ସେପଟେ ବ୍ରହ୍ମପୁର ବଡ଼ମେଡିକାଲରେ ଆଉ ଜଣେ ଡେଙ୍ଗୁ ଆକ୍ରାନ୍ତ ଲକ୍ଷ୍ମୀନାରାୟଣ ଚିନ୍ତଡ଼ା (୪୨)ଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମୃତକଙ୍କ ସଂଖ୍ୟା ୫ରେ ପହଞ୍ଚିଛି। ବର୍ତ୍ତମାନ ସମୟରେ ଗ୍ରାମରେ ୫୦ରୁ ଅଧିକ ଲୋକ ଜ୍ୱରରେ ଆକ୍ରାନ୍ତ ହୋଇ ପାରଳାଖେମୁଣ୍ଡି ସମେତ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ, ବିଶାଖାପାଟଣା ଆଦି ସହରରେ ଥିବା ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି।

 

ଗତ ଦୁଇ ସପ୍ତାହ ଧରି କାଶୀନଗର ବ୍ଲକର ସିଦ୍ଧାମଡ଼ଙ୍ଗ, ସିଙ୍ଗିପୁର ଓ ଖୁରିଗାଁ ସମେତ ବିଭିନ୍ନ ଗ୍ରାମରେ ଜ୍ୱର ଆତଙ୍କ ଜାରି ରହିଛି। ବିଶେଷକରି ସିଙ୍ଗିପୁର ଗ୍ରାମରେ ଅଧିକ ସଂଖ୍ୟାରେ ଲୋକେ ଆକ୍ରାନ୍ତ ହୋଇ ଥିଲେ। ଗତ ୩ ତାରିଖରେ ହରିଶ୍ଚନ୍ଦ୍ର ଚିନ୍ତଡ଼ା, ମାଣିକ୍ୟ ଚିନ୍ତଡ଼ାଙ୍କ ମୃତ୍ୟୁ ହୋଇଥିବା ବେଳେ ପରେ ପ୍ରଦୀପ କୁମାର ବୀର ବ୍ରହ୍ମପୁର ବଡ଼ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିଲେ। ସମସ୍ତଙ୍କ ଡେଙ୍ଗୁରେ ମୃତ୍ୟୁ ହୋଇଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ବି ଏହାକୁ ସ୍ୱାସ୍ଥ୍ୟ ବିଭାଗ ଅସ୍ୱୀକାର କରି ଆସୁଥିଲା। ଅନ୍ୟପକ୍ଷରେ ମୃତକଙ୍କ ସଂଖ୍ୟା ବଢିବା ପରେ ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପୁଣି ଚେଇଁ ଉଠିଛି। ସ୍ୱାସ୍ଥ୍ୟ ବିଭାଗ କାଶୀନଗରରୁ ଏକ ଟିମ୍ ପହଞ୍ଚି ସିଙ୍ଗିପୁର ଗ୍ରାମରେ କ୍ୟାମ୍ପ ପକାଇ ସ୍ୱାସ୍ଥ୍ୟ ସେବା ଆରମ୍ଭ କରିଛନ୍ତି। ତେବେ କ୍ୟାମ୍ପରେ ପର୍ଯ୍ୟାପ୍ତ ଔଷଧ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

 

ସେହିପରି ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବି ଉତ୍ତମ ଚିକିତ୍ସା ସେବା ମିଳୁ ନଥିବା ଅଭିଯୋଗ ହୋଇଛି। କେବଳ ଗଜପତି ଜିଲ୍ଲା ନୁହେଁ ବରଂ ରାଜ୍ୟର ପ୍ରାୟ ୧୦ଜିଲ୍ଲାରେ ଡେଙ୍ଗୁ କାୟା ବିସ୍ତାର କଲାଣି । ଖୋଦ ରାଜଧାନୀ ଭୁବନେଶ୍ୱରରେ ଅନେକ ଲୋକ ଜରରେ ଆକ୍ରାନ୍ତ ହେଲେଣି । ତେବେ ସମସ୍ତ ଡେଙ୍ଗୁରୋଗୀଙ୍କ ପରୀକ୍ଷା ସରକାର ମାଗଣାରେ କରାଉଛନ୍ତି । ରାଜ୍ୟରେ କିପରି ଭାବରେ ସ୍ଥିତିରେ ସୁଧାର ଆସିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ଖୁବ ଶୀଘ୍ର ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଆଲୋଚନା କରିବ ବୋଲି ଜଣାପଡିଛି । ତେବେ ସମସ୍ତ ଜନସାଧାରଣମାନଙ୍କୁ ସତର୍କତାର ରହିବା ପାଇଁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ ।