ନବରଙ୍ଗପୁର ଏସପିଙ୍କ ଦବଙ୍ଗଗିରି : କଥା ନମାନିବାରୁ ଅର୍ଡରଲିଙ୍କୁ ନିର୍ଯ୍ୟାତନା, ଉଠବସ କରାଇଲେ, ୨୦ରୁ ଅଧିକ ରାଉଣ୍ଡ ଦୌଡାଇଲେ

65

କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ଦବଙ୍ଗଗିରି । ଏସପି ତାଙ୍କ ବାସଗୃହରେ କାର୍ଯ୍ୟରତ ୨ ଫଲୋ ଅର୍ଡରଲି କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆଣିଛନ୍ତି ୨ କର୍ମଚାରୀ । ନିର୍ଯ୍ୟାତନାର ଶିକାର ହୋଇଥିବା ଜଣେ କର୍ମଚାରୀ ଗୁରୁତର ହେବା ପରେ ତାଙ୍କୁ ପ୍ରଥମେ ନବରଙ୍ଗପୁର ମେଡିକାଲ ଆଇସିୟୁରେ ଭର୍ତି କରାଯାଇଥିଲା । ପରେ କୋରାପୁଟ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ଏସପିଙ୍କ ନିର୍ଯ୍ୟାତନାର ଶିକାର ହୋଇଥିବା ଅନ୍ୟ ଜଣେ ଫଲୋ ଅର୍ଡରଲି କର୍ମଚାରୀଙ୍କ କହିବାନୁସାରେ ପ୍ରତ୍ୟେକଦିନ ଏସପି କୌଣସି କାରଣ ନଥାଇ ଶାରୀରିକ ନିର୍ଯ୍ୟାତନା ଦେଉଥିଲେ । କାମ ସାରିବା ପରେ ଖାଇବାକୁ ଛୁଟି ଦେଉନଥିଲେ । କୌଣସି କାମରେ ବିଳମ୍ବ ହେଲେ ମାଡ ମାରୁଥିବା ସେ ଅଭିଯୋଗ କରିଛନ୍ତି । ଗତକାଲି ଜଣେ କର୍ମଚାରୀଙ୍କ କୌଣସି ଭୁଲ ନଥିଲେ ମଧ୍ୟ ତାଙ୍କୁ ୫୦ଥର ଉଠ ବସ କରାଇବା ସହିତ ୨୦ ରାଉଣ୍ଡ ନିଜ କମ୍ପାଉଣ୍ଡରେ ଦୌଡିବାକୁ କହିଥିଲେ । ଏସପିଙ୍କ ଆଦେଶ ମାନି ନିଜ ଚାକିରୀ ବଂଚାଇବାକୁ ଯାଇ ତାହା ମାନିବାକୁ ସେ ବାଧ୍ୟ ହୋଇଥିଲେ । ତାପରେ ତାଙ୍କ ଦେହ ଖରାପ ହୋଇଥିଲା । ସହେଯୋଗୀ ଏଫଓଙ୍କ କହିବାନୁସାରେ ଏସପି ପୂର୍ବରୁ ମଧ୍ୟ ଏଭଲି ଦଣ୍ଡ ଦେଉଥିଲେ ।

 

ପେଟରେ ଲାତ ଗୋଇଠା ମାରିବା ସହ ବେକ ଚିପି ଧରନ୍ତି ଏବଂ ଧକା ମାରନ୍ତି । ଅସଭ୍ୟ ଭାଷାରେ ଗାଳିଗୁଲଜ ମଧ୍ୟ କରନ୍ତି ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ଚାକିରୀ ଚାଲିଯିବା ଭୟରେ ସେମାନେ ମୁହଁ ନଖୋଲି ଏହି ଦଣ୍ଡକୁ ସହିନିଅନ୍ତି । ବର୍ତମାନ ୨ଜଣ କର୍ମଚାରୀ ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ଏସପିଙ୍କ ଏଭଲି ନିର୍ଯ୍ୟାତନାକୁ ସେମାନେ ନିନ୍ଦା କରିଛନ୍ତି । କର୍ମଚାରୀମାନେ ଗଣମାଧ୍ୟମ ଆଗରେ ଏସବୁ କହିବା ପରେ ଏସପି ନିଜେ ତାଙ୍କ ଘରକୁ ଆସି ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ବୋଲି ପରିବାରଲୋକଙ୍କୁ କହିଛନ୍ତି । ତେବେ ଏସମ୍ପର୍କରେ ଏସପିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।