କନକ ବ୍ୟୁରୋ : ଫେଲ ମାରିଲା ନୋଟବନ୍ଦୀ । ଦିଗହରା ହେଲା ବିମୁଦ୍ରାକରଣ ପଦକ୍ଷେପ । ସମାଲୋଚନାର ଶୀକାର ହେଲା ସରକାର । ତଥାପି ଭାରତରେ ନାହିଁ ଆକ୍ରୋଶ । ନାହିଁ ଉତ୍ତେଜନା । ସାଧାରଣ ଜନତାର ମୁହଁରେ ପ୍ରଶ୍ନ ନାହିଁ କାହିଁକି ଫେଲ ହେଲେ ମୋଦି । କାହିଁକି ଫେରିଲାନି କଳାଧନ । ଏ ଜବାବସୁଆଲ କେବଳ ରାଜନୀତି ଭିତରେ ସୀମିତ ରହିଯାଇଛି ।

୨୦୧୬ ନଭେମ୍ବର ୮ରେ ନୋଟବନ୍ଦୀକୁ ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ । ସ୍ତବ୍ଧ ହେଲା ଦେଶ । ରାତିର ଅନ୍ଧାର ଭିତରେ ଅଚଳ ହୋଇଗଲା ପକେଟରେ ଥିବା ନୋଟ । ୫ଶହ ଓ ହଜାରେ ଟଙ୍କିଆ ନୋଟ ଉପରେ ଲାଗିଲା ପ୍ରତିବନ୍ଧକ । ସକାଳ ହେବା ବେଳକୁ ଅଚଳ ପୁରୁଣା ନୋଟ ବୋଲି ଗଣାହେଲା । ଅବଶ୍ୟ କିଛି ମହଲତ ମଧ୍ୟରେ ଏହି ନୋଟ ସବୁକୁ ବଦଳାଇବା ପାଇଁ ବ୍ୟବସ୍ଥା ରହିଲା ।

ଆଉ ତା ପରେ ଆରମ୍ଭ ହେଲା ହଙ୍ଗାମା । ବ୍ୟାଙ୍କ ଆଗରେ ଜମା କରିବା ପାଇଁ ଲମ୍ବା ଲାଇନ ଲାଗିଲା । ଏଟିଏମରୁ ଟଙ୍କା ଉଠାଇବା ପାଇଁ ଧାଡି ତିଆରି ହେଲା । ନିଜ ବ୍ୟାଙ୍କ ଖାତା ଉପରେ ବି ନିଜର ଅକ୍ତିଆର ରହିଲାନି । କେତେ ଟଙ୍କା ଉଠାଇ ହେବ ସେନେଇ ନିଷ୍ପତି ନେଲେ ରିଜର୍ଭ ବ୍ୟାଙ୍କ ଓ ସରକାର । ଯାହାକୁ ନେଇ ଦେଶ ସାରା ପ୍ରତିକ୍ରିୟା ପ୍ରକାଶ ପାଇଲା ।

ହେଲେ ଯେତେବେଳେ କଳାଧନ ଫେରିବା ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ଏବଂ ରିଜର୍ଭ ବ୍ୟାଙ୍କର ରିପୋର୍ଟରେ ୯୯ ପ୍ରତିଶତ ପୁରୁଣା ନୋଟ ବ୍ୟାଙ୍କକୁ ଫେରିଥିବା ନେଇ କୁହାଯାଉଛି ସେତେବେଳେ ଦେଶରେ କୌଣସି ପ୍ରତିକ୍ରିୟା ନାହିଁ । ମାତ୍ର ୧ ପ୍ରତିଶତ କଳାଧନ କମାଇବାକୁ ସାରା ଦେଶକୁ କାହିଁକି ଲାଇନରେ ଛିଡା ହେବାକୁ ବାଧ୍ୟ କରାଗଲା ବୋଲି କେବଳ ରାଜନୈତିକ ସ୍ତରରେ ଆଲୋଚନା ହେଉଛି । ଯାହାକୁ ନେଇ ବିବିସି ଏକ ରିପୋର୍ଟ ପ୍ରସ୍ତୁତ କରିଛି ।

ବଜାର ଉପରେ କେମିତି ପଡିଥିଲା ପ୍ରଭାବ :
ନୋଟବନ୍ଦୀ ଫଳରେ ସାରା ଦେଶ ପ୍ରଭାବିତ ହୋଇଥିଲା । ଖୁଚୁରା ବଜାର ଉପରେ ଗୁରୁତର ସମସ୍ୟା ଛିଡା କରିଥିଲା ଏହି ପଦକ୍ଷେପ । ଖାଲି ସେତିକି ନୁହେଁ, ଏହାକୁ ନେଇ ଅନେକ ଆତ୍ମହତ୍ୟା ମଧ୍ୟ କରିଥିଲେ । ନୋଟବନ୍ଦୀ କାରଣରୁ ୧୦୪ ଲୋକଙ୍କର ମୃତ୍ୟୁ ହୋଇଛି ବୋଲି ଅଭିଯୋଗ ମଧ୍ୟ ରହିଛି । ପରିସ୍ଥିତି ସେତେବେଳେ ଏମିତି ଥିଲା ଯେ, ରାସନ କିଣି ହେଲାନି । ଲୋକଙ୍କ ପାଖରେ ଟଙ୍କା ଥାଇ ବି ଖାଇବାକୁ ମିଳିଲାନି । ଏମିତି ବେସାହାରା ହେବାକୁ ପଡିବ ବୋଲି କେହି କେବେ ଭାବି ନଥିବା ବିବିସିକୁ ସାଧାରଣ ଲୋକେ କହିଥିବା ଏହି ରିପୋର୍ଟରେ କୁହାଯାଇଛି ।

କାହିଁକି ପ୍ରତିକ୍ରିୟା ପ୍ରକାଶ ପାଉନି :
ଭାରତୀୟ ରିଜର୍ଭ ବ୍ୟାଙ୍କ ରିପୋର୍ଟ ଅନୁସାରେ ୩୨୮୫ ମିଲିୟନ ୨ହଜାର ଟଙ୍କିଆ ନୋଟ ସର୍କୁଲେସନ କରାଯାଇଛି । ୨ହଜାର ଟଙ୍କିଆର ମୋଟ ମୂଲ୍ୟ ୬୫୭୧ ବିଲିୟନ ଟଙ୍କା । ସେହିଭଳି ୫୮୮୨ମିଲିୟନ ୫ଶହ ଟଙ୍କିଆ ନୋଟ ସର୍କୁଲେସନ ହୋଇଛି । ଯାହାର ମୂଲ୍ୟ ପ୍ରାୟ ୨୯୪୧ ବିଲିୟନ ।

ନୋଟବନ୍ଦୀ ପୂର୍ବରୁ ୫ଶହ ଓ ହଜାରେ ଟଙ୍କାର ୧୫.୪୪ଲକ୍ଷ କୋଟି ଟଙ୍କା ଚାଲୁଥିଲା । ୧୫.୨୮ଲକ୍ଷ ନୋଟ ବ୍ୟାଙ୍କକୁ ଫେରି ଆସିଛି । ଏହାର ଅର୍ଥ ୯୯ପ୍ରତିଶତ ନୋଟ ଫେରିଛି କିନ୍ତୁ ୧୬ହଜାର କୋଟି ଟଙ୍କାର କୌଣସି ତଥ୍ୟ ନାହିଁ । ୨୦୧୬-୧୭ ଆର୍ଥିକ ବର୍ଷରେ ନୋଟ ଛାପିବାରେ ୭୯୬୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଯାହା ୨୦୧୫-୧୬ ତୁଳନାରେ ଦୁଇଗୁଣ । ୨୦୧୬-୧୭ ଆର୍ଥିକବର୍ଷ ତୁଳନାରେ ୪୧ କୋଟି ଜାଲନୋଟ ବଢ଼ିଛି ।

ଏସବୁ ବୁଝିବାକୁ ଲୋକଙ୍କ ପାଖରେ ସମୟ ନାହିଁ । ଦିନ ମଜୁରିଆଟିଏ ଜିଡିପିର ଅର୍ଥ ବୁଝେନାହିଁ । ମୂଲିଆଟିଏ ସେନସେକ୍ସର ହିସାବ ରଖେ ନାହିଁ । ତେଣୁ ଏ ହିସାବ କିତାବକୁ ବୁଝିବାକୁ କାହାପାଖେ ବେଳ ନାହିଁ । ଏହାର ଆଉ ଏକ କାରଣ ମଧ୍ୟ ଅନୁମାନ କରାଯାଇପାରେ । ରିଜର୍ଭ ବ୍ୟାଙ୍କର ରିପୋର୍ଟକୁ ଏତେ ଗୁରୁତ୍ୱ ଦେଇ କୌଣସି ଜାତୀୟ ସ୍ତରର ଗଣମାଧ୍ୟମରେ ଚର୍ଚ୍ଚା ହେଉନି । ସେଥିପାଇଁ ଏହି ଖବର ସମସ୍ତଙ୍କ ପାଖରେ ପହଂଚିପାରୁନି ବୋଲି ବିବିସି ରିପୋର୍ଟରେ କୁହାଯାଇଛି ।

ତା ଛଡା ଧନୀଙ୍କ କଳାଧନକୁ ବ୍ୟାଙ୍କକୁ ଅଣାଯାଇଛି କହି ସରକାର ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇଥିବା ବି କୁହାଯାଇଛି । କାରଣ ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଦେଶରେ ଭ୍ରଷ୍ଟାଚାରର ସ୍ଥାନ ନାହିଁ । ଗରୀବଙ୍କୁ ଧୋକା ଦେଇ ବଡ ଲୋକ ହୋଇଥିବା ବ୍ୟକ୍ତି କେବେ ଶାନ୍ତିରେ ଶୋଇ ପାରିବେ ନାହିଁ । ବୋଧହୁଏ ଏଥିପାଇଁ ଲୋକେ ଏଯାଏଁ ପ୍ରତିକ୍ରିୟା ପ୍ରକାଶ କରିନାହାଁନ୍ତି ।

କଥାରେ ରହିଲା ଫରକ:
ସେତେବେଳେ କଳାଧନ ଉପରେ ଏହାକୁ ସର୍ଜିକାଲ ଷ୍ଟ୍ରାଇକ ବୋଲି କୁହାଗଲା । ଭ୍ରଷ୍ଟାଚାର ବିରୋଧରେ ଏହା ଏକ ଲଢ଼େଇ ବୋଲି ବି କୁହାଗଲା । ନଭେମ୍ବର ୮ରେ ମୋଦି ଯେତେବେଳେ ଏନେଇ ଘୋଷଣା କଲେ, ସେତେବେଳେ ଦେଶବାସୀଙ୍କ ସହଯୋଗ କାମନା କରିଥିଲେ । ଏମିତିକି ଦୁର୍ନିତୀ ବିରୁଦ୍ଧରେ ଲଢ଼େି କରିବାର ସମୟ ଆସିଗଲା ବୋଲି ବି କହିଥିଲେ । ସେତେବେଳେ ଆହୁରି ମଧ୍ୟ କହିଥିଲେ ଦେଶର ବିକାଶରେ ଭ୍ରଷ୍ଟାଚାର, ଆତଙ୍କବାଦ ଓ କଳାଧନ ବାଧା ସୃଷ୍ଟି କରୁଛି । ତେଣୁ ଏହାକୁ ରୋକିବା ପାଇଁ ନୋଟବନ୍ଦୀର ଜନ୍ମ ।

ହେଲେ ଯେତେବେଳେ ଜଣାପଡିଲା ଏହି ପଦକ୍ଷେପ ଭୁଲ ସାବ୍ୟସ୍ତ ହେବାକୁ ଯାଉଛି । ମାନେ ବିମୁଦ୍ରାକରଣ ଭୁଲ ଟ୍ରାକରେ ଯାଉଛି , ସେତେବେଳେ ସଫେଇ ଦେଲେ ସରକାର । କାରଣ ନୋଟବନ୍ଦୀ ଘୋଷଣାର କିଛି ସପ୍ତାହ ପରେ ଜଣାପହିଲା ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ଠାରୁ ଅଧିକ ପୁରୁଣା ନୋଟ ବ୍ୟାଙ୍କକୁ ଫେରୁଛି । ଜମା ହେବାରେ ଲାଗିଛି ଅଚଳ ୫ଶହ ଓ ହଜାରେ ଟଙ୍କିିଆ ନୋଟ ।

ଯାହା ଫଳରେ ସରକାର ନୂଆ ବୁଦ୍ଧି ଆପଣାଇଲେ । ନଗଦ କାରବାରକୁ କମ କରିବା ପାଇଁ ଡିଜିଟାଲ ଇକୋନୋମୀର ଶୁଭାରମ୍ଭ ହେଲା । କ୍ୟାସଲେସ କରିବା ପାଇଁ ଡିଜିଟାଲାଇଜେଡ ହେବାକୁ ପରାମର୍ଶ ଦିଆଗଲା । ନୂଆବର୍ଷ ଅବସରରେ ମୋଦି କହିଥିଲେ ଏବେ ଡିଜିଟାଲ ଟ୍ରାଞ୍ଜାକ୍ସନ ପ୍ରତି ଲୋକଙ୍କ ଇଚ୍ଛା ବଢ଼ିଛି । ସମସ୍ତେ ଡିଜିଟାଲ ଟ୍ରାଞ୍ଜାକ୍ସନ କଲେ ଡିଜିଟାଲ ଇଣ୍ଡିଆ ବି ତିଆରି ହେବ ।

ଉଦ୍ଦେଶ୍ୟ ଥିଲା କିଛି ଅଲଗା :
6ପ୍ରଧାନମନ୍ତ୍ରୀଙ୍କ ଅପିଲକୁ ଶୁଣିଲେ ଦେଶବାସୀ । ଆପଣାଇଲେ ଡିଜିଟାଲ ଉପାୟରେ କାରବାର । ହେଲେ ଇଣ୍ଟରନ୍ୟାସନାଲ ମନିଟରିଂ ଫଣ୍ଡ ଭାରତର ଆର୍ଥିକ ବିକାଶ ଦର ଏକ ପ୍ରତିଶତ କମାଇ ଦେଲା । ଭାରତରେ ସର୍ବାଧିକ କାରବାର ନଗଦ ଆକାରରେ ହିଁ ହୁଏ । ତେଣୁ ନଗଦ କାରବାରରେ ଟ୍ୟାକ୍ସ ଫାଙ୍କିବା ସାଧାରଣ କଥା । ତେଣୁ ଏହାକୁ ରୋକିବା ମଧ୍ୟ ଅନ୍ୟ ଏକ କାରଣ ବୋଲି କୁହାଯାଇପାରେ । ଡିଜିଟାଲ କାରବାରରେ ଟ୍ୟାକ୍ସ ଚୋରୀ ହେବାର ସମ୍ଭାବନା କମ ରହିଥାଏ । ବହୁ ସଂଖ୍ୟାରେ ଭାରତୀୟ ଏହା କରିଥାନ୍ତି । ତେଣୁ ଏହି ପଦକ୍ଷେପ ଟ୍ୟାକ୍ସ ଚୋରୀକୁ ରୋକିବାରେ ଏକ ପ୍ରକାର ସକ୍ଷମ ହୋଇଛି ।

ମୋଦିଙ୍କ ସୂଚନା ମୁତାବକ, ଚଳିତ ବର୍ଷ ଏପ୍ରିଲ ୧ରୁ ୫ଅଗଷ୍ଟ ମଧ୍ୟରେ ୫୬ଲକ୍ଷରୁ ଅଧିକ ଲୋକେ ଆୟକର ଭରିଛନ୍ତି । ଗତବର୍ଷ ଏହି ସମୟରେ ଯାହା ମାତ୍ର ୨୨ଲକ୍ଷରେ ଅଟଳି ଯାଇଥିଲା । ଡିଜିଟାଲ ଟ୍ରାଞ୍ଜାକ୍ସନ ଦ୍ୱାରା ହିଁ ଏହା ସମ୍ଭବ ହୋଇଛି ବୋଲି ଦାବୀ କରାଯାଉଛି । କିନ୍ତୁ ତୃଣମୂଳ ସ୍ତରରେ ଏନେଇ କୌଣସି ବିଶେଷ ବିରୋଧ ଅବା ଚର୍ଚ୍ଚା ହେଉନାହିଁ ।

ନୋଟବନ୍ଦୀ ପରେ ପ୍ରଥମ ତିନିମାସରେ ଜିଡିପି୬.୧ପ୍ରତିଶତରେ ପହଂଚିଥିଲା ଯାହା ୨୦୧୪ ପରଠାରୁ ସବୁଠୁ କମ ଥିଲା । ବଜାରରେ ନଗଦ କାରବାର କମିବା କାରଣରୁ ଏଭଳି ପରିସ୍ଥିତି ଉପୁଜୁଥିଲା । ଜିଏସଟି ଓ ବିମୁଦ୍ରାକରଣ ପାଇଁ ଦେଶର ମୋଟ ଘରୋଇ ଉତ୍ପାଦର ଅଭିବୃଦ୍ଧି ହାର ଏପ୍ରିଲ-ଜୁନ ତ୍ରୈମାସିକରେ ୫.୭ ପ୍ରତିଶତକୁ ହ୍ରାସ ପାଇଛି । ଗତ ତିନିବର୍ଷ ଭିତରେ ଏହା ହେଉଛି ସବୁଠାରୁ କମ ।

ଗତବର୍ଷ ଏପ୍ରିଲ୦ଜୁନରେ ଅଭିବୃଦ୍ଧି ହାର ୭.୯ ପ୍ରତିଶତ ରେକର୍ଡ କରାଯାଇଥିବା ବେଳେ ଚଳିତବର୍ଷ ଜାନୁଆରୀ-ମାର୍ଚ୍ଚ ମଧ୍ୟରେ ଅଭିବୃଦ୍ଧି ହାର ୬.୧ ପ୍ରତିଶତକୁ ଖସିଥିଲା । ତିନିମାସ ପରେ ପୁଣି ଏହା ୫.୭ ପ୍ରତିଶତକୁ ଖସି ଆସିଛି । ଶେଷଥର ପାଇଁ ୨୦୧୪ର ଜାନୁଆରୀ-ମାର୍ଚ୍ଚରେ ଭାରତର ଅଭିବୃଦ୍ଧି ହାର ୪.୯ ପ୍ରତିଶତ ସ୍ତରକୁ ଖସିଥିଲା । ଏହାସହିତ ଭାରତ ଚୀନ ଠାରୁ ମଧ୍ୟ ପଛରେ ପଡିଯାଇଛି । ଚୀନର ଅଭିବୃଦ୍ଧି ହାର ଏହି ସମୟରେ ୬.୯ ପ୍ରତିଶତ ରହିଛି ।

ଗତ ନଭେମ୍ବର ମାସରେ ବିମୁଦ୍ରାକରଣ ଯୋଗୁଁ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା ଉତ୍ପାଦନ, ଖଣି ଓ ନିର୍ମାଣ ଶିଳ୍ପ । ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସୁଥିବା ସମୟରେ ପୁଣି ଜିଏସଟି ଲାଗୁ ନେଇ ସରକାରଙ୍କ ସ୍ପଷ୍ଟ ଘୋଷଣା ନହେବାରୁ ଏହା ପ୍ରଭାବିତ ହୋଇଥିଲା । ଜିଏସଟି ବିଭ୍ରାନ୍ତି ବି ଉତ୍ପାଦନ ଠପ ପଛର ଆଉ ଏକ କାରଣ ବୋଲି କୁହାଯାଉଛି ।

ଅଶୋଧିତ ତୈଳ, ବିଶୋଧିତ ଉତ୍ପାଦ, ସାର ଏବଂ ସିମେଣ୍ଟ ଉତ୍ପାଦନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଏହିସବୁ କ୍ଷେତ୍ରରେ ଅଭିବୃଦ୍ଧି ହାର ୨.୪ ପ୍ରତିଶତକୁ ଖସି ଆସିଛି । ଆର୍ଥିକ ଅନୁଷ୍ଠାନ, ବୀମା, ରିୟଲ ଇଷ୍ଟେଟ ଏବଂ ବୃତ୍ତି ଭିତ୍ତିକ ସେବା ମଧ୍ୟ ଏହି ମାଡରୁ ମୁକ୍ତି ପାଇପାରି ନାହିଁ । ଏହି ସେବା କ୍ଷେତ୍ରରେ ଅଭିବୃଦ୍ଧି ହାର ୬.୪ ପ୍ରତିଶତକୁ ଖସି ଆସିଛି । କେନ୍ଦ୍ରୀୟ ପରିସଂଖ୍ୟାନ କାର୍ଯ୍ୟାଳୟ ତରଫରୁ ଜାରି କରାଯାଇଥିବା ରିପୋର୍ଟରେ କୁହାଯାଇଛି ଯେ, କୃଷି କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ହାର ୨.୩ ପ୍ରତିଶତ ହୋଇଛି । ଯାହା ବର୍ଷକ ପୂର୍ବରୁ ୨.୫ ପ୍ରତିଶତ ଥିଲା ।

ତେବେ ସବୁଠୁ ରୋଚକ କଥା ହେଉଛି, ରାଜେନ÷ତିକ ଇଚ୍ଛାଶକ୍ତି ବିନା ଦେଶରେ କୌଣସି ବିରୋଧ ସମ୍ଭବ ହେଉନଥିବା ବେଳେ ବର୍ତ୍ତମାନର ପରିସ୍ଥିତିରେ ବିରୋଧୀ ଦଳମାନେ କେବଳ ସୋସିଆଲ ମିଡିଆ ଚର୍ଚ୍ଚା, ଆଲୋନାରେ ନିଜକୁ ସୀମିତ ରଖୁଥିବା ଦେଖାଯାଉଛି ।