ବ୍ରିଜ୍ ନାହିଁ ବୋଲି ହୋଇପାରୁନି ବିବାହ : ବଉଳାପାଟ ଅପେକ୍ଷାରେ ଗାଁର ୧୦୦ଝିଅ

32

ବ୍ରିଜ୍ ନାହିଁ ବୋଲି ହୋଇପାରୁନି ବିବାହ । ଜଣେ କି ଦୁଇ ଜଣ ନୁହେଁ ପ୍ରାୟ ୧୦୦ଜଣ ଝିଅଙ୍କ ବାହାଘରରେ ଆଜି ଖଳନାୟକ ସାଜିଛି ଗୋଟିଏ ଭଙ୍ଗା ବ୍ରିଜ୍ । ଆଉ ଦୀର୍ଘ ୨୦ ବର୍ଷ ହେବ ବିହାରର ସାନ୍ହୌଲୀ ଗାଁରେ ବାଜିପାରୁନି ବିବାହର ଶହନାଈ ।

ଇଣ୍ଡିଆ ଟୁଡେରେ ଆଜି ପ୍ରକାଶିତ ରିପୋର୍ଟ ଅନୁସାରେ ଭାଗଲପୁର ଠାରୁ ୧୨ କିଲୋମିଟରରେ ଦୂରରେ ଅଛି ସାନ୍ହୌଲୀ ଗାଁ। ଯେଉଁଠାରେ ଅଛନ୍ତି ପ୍ରାୟ ୬୦୦୦ ଲୋକ । ତେବେ ଏହି ଗାଁର ଦୁଃଖ ସାଜିଛି ଚନ୍ଦନ ନଦୀ । କାରଣ ଗାଁ ଟି ଏହି ଚନ୍ଦନ ନଈ ମଝିରେ ରହିଛି । ଆଉ ଗାଁ ଭିତରକୁ ଯିବାକୁ ହେଲେ ଭରସା ଗୋଟିଏ ପୁରୁଣା ବ୍ରିଜ୍ । ଯାହାର ଅବସ୍ଥା ଏତେ ଖରାପ ଯେ ଲୋକ ମାନେ ସେଥିରେ ଯିବାକୁ ଡରନ୍ତି । ତେବେ ଏହି ଗାଁକୁ ଯିବା ପାଇଁ ଏହି ଗୋଟିଏ ବାଟ ଥିବାରୁ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସେହି ଗାଁରେ କେହି ବିବାହ କରିବାକୁ ରାଜି ହେଉନାହାନ୍ତି । ଫଳରେ ଦୀର୍ଘ ୨୦ ବର୍ଷ ହେବ ଏହି ଗାଁରୁ ଗୋଟିଏ ବି ପାଲିଙ୍କି ଉଠିପାରିନି ।