ରାଜନୀତିରେ ନୀତିଶ୍ !

34

ନୀତିଶ୍ କୁମାର । କେବଳ ବିହାର ନୁହେଁ ଦେଶର ରାଜନୀତିରେ ଏକ ବଡ଼ ନାଁ । ଜୟପ୍ରକାଶ ନାରାୟଣଙ୍କ ପ୍ରେରଣାରେ ରାଜନୀତିକୁ ଆସିଥିଲେ ଏହି ୬୬ ବର୍ଷୀୟ ନେତା । ୧୯୭୭ ମସିହାରେ ନିର୍ବାଚନ ରାଜନୀତିରେ ପ୍ରବେଶ କରିବା ପରେ ଜନତା ପାର୍ଟି ଟିକେଟରୁ ନିର୍ବାଚନ ଲଢିଥିଲେ ନୀତିଶ୍ । ତେବେ ଭିପି ସିଂହଙ୍କ ନେତୃତ୍ୱରେ ଜନତା ଦଳରେ ଯୋଗ ଦେବା ପରେ ରାଜନୀତିରେ ତାଙ୍କର ଦବଦବା ଆରମ୍ଭ ହୋଇଥିଲା ।

୧୯୯୦ରେ କେନ୍ଦ୍ର କୃଷି ମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ ନୀତିଶ୍ । ହେଲେ ଅଟଳ ବିହାରୀ ବାଜପାୟୀଙ୍କ ନେତୃତ୍ୱରେ ଏନଡିଏର ପ୍ରମୁଖ ଅଶୀଂଦାର ଭାବେ କାର୍ଯ୍ୟ କରିବା ପରେ ଆଗକୁ ଗଡ଼ିଥିଲା ନୀତିଶଙ୍କ କ୍ୟାରିୟର । ରେଳ, ସଡ଼କ ପରିବହନ ଏବଂ କୃଷି ଭଳି ବଡ଼ ବଡ଼ ମନ୍ତ୍ରାଳୟର ଦାୟିତ୍ୱ ସମ୍ଭାଳି ନିଜ ଦକ୍ଷତାର ପ୍ରମାଣ ଦେଇଥିଲେ ଏହି ବିହାରୀ ନେତା । ଜାତୀୟ ସ୍ତରର ରାଜନୈତିକ ନେତା ଭାବେ ତାଙ୍କର ଖ୍ୟାତି ଏହି ସମୟରେ ବ୍ୟାପୀଥିଲା । ତାଙ୍କର ରାଜନୈତିକ ଆଦର୍ଶ ଏବଂ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଯୋଗୁଁ ସେ ଶ୍ରଦ୍ଧାଭାଜନ ହୋଇଥିଲେ ଜନସାଧାରଣଙ୍କ ନିକଟରେ ।

ଏହା ପରେ ଲାଲୁ ଓ ତାଙ୍କ ପରିବାର ହାତରୁ ବିହାରର କ୍ଷମତା ଡୋର ଛଡାଇ ଆଣିବା ଭାର ପଡିଥିଲା ନୀତିଶଙ୍କ କାନ୍ଧରେ । ଯେତେବେଳେ ଦୁର୍ନୀତି ଅଭିଯୋଗରେ ଲାଲୁ ଛନ୍ଦି ହୋଇଗଲେ, ବିହାର ଜନସାଧାରଣ ଆଗରେ ସେ ଠିଆ ହେଲେ ବିକଳ୍ପ ଭାବେ । ବିଜେପି ସହ ମେଂଟ କରି ୨୦୦୫ରେ ବିହାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତିଶ୍ କୁମାର । ୨୦୧୦ରେ ମଧ୍ୟ ପୁଣି ଥରେ ବିହାରବାସୀଙ୍କ ହୃଦୟ ଜିତିଥିଲା ଏନଡିଏ । ମୁଖ୍ୟମନ୍ତ୍ରୀ ହୋଇଥିଲେ ନୀତୀଶ ।

ହେଲେ ୨୦୧୪ ସାଧାରଣ ନିର୍ବାଚନରେ ବିଜେପିର ଚେହେରା ଭାବେ ନରେନ୍ଦ୍ର ମୋଦିଙ୍କୁ ଉପସ୍ଥାପନା କରାଯିବା ପରେ ଏନଡିଏରୁ ଦୂରେଇ ଯାଇଥିଲେ ନୀତିଶ୍ ଓ ତାଙ୍କ ଜେଡିୟୁ । ଆଉ ଏକ ନୂଆ ରାଜନୈତିକ ସମୀକରଣ ସୃଷ୍ଟି ହେଲା ବିହାରରେ । ଧର୍ମ ନିରପେକ୍ଷ ରାଜନୀତି ନାଁରେ ଏକାଠି ହୋଇଥିଲେ ରାଜନୀତିର ଉତର ମେରୁ ଓ ଦକ୍ଷିଣ ମେରୁ ନୀତିଶ୍ ଓ ଲାଲୁପ୍ରସାଦ । କଂଗ୍ରେସ ସହ ମିଶି ମହାଗଠବନ୍ଧନ ହେବା ପରେ ବିଜେପିର ବିହାର ବିଜୟ ଅଭିଯାନରେ ପାଣି ପକାଇ ଦେଇଥିଲେ ନୀତିଶ୍ । ପୁଣିଥରେ ୨୦୧୫ରେ ବିହାରରେ କ୍ଷମତାର ଡୋର ଧରିଥିଲେ ନୀତିଶ୍ କୁମାର ।