ନୂଆ ନୋଟରେ ବ୍ୟବହାର ହୋଇଛି ଅତି ଖରାପ ମାନର କାଗଜ ! ମାତ୍ର ୨ ବର୍ଷରେ ଧରିପାରୁନି ଏଟିଏମ୍ ସେନସର୍

109

ନୂଆ ନୋଟ୍ ଗୁଡ଼ିକର ମାନ ବହୁତ ଖରାପ । ମାତ୍ର ୨ ବର୍ଷ ହୋଇଥିଲେ ହେଁ ନୋଟ ଗୁଡ଼ିକୁ ଏଟିଏମ ସେନସର ଧରିପାରୁନି । ଏଭଳି ଏକ ରିପୋର୍ଟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ନୂଆ ନୋଟ୍ ଗୁଡ଼ିକରେ ଅତି ଖରାପ ମାନର କାଗଜ ବ୍ୟବହାର କରାଯାଇଥିଲା । ପୂର୍ବରୁ ଛପା ହେଉଥିବା ନୋଟ୍ ତୁଳନାରେ ଏହି କାଗଜଗୁଡ଼ିକ ନିକୃଷ୍ଟ ମାନର ଥିଲା । ସେଥିପାଇଁ ଏହି ନୂଆ ନୋଟ୍ଗୁଡ଼ିକୁ ଅଧିକ ଦିନ ବ୍ୟବହାର କରାଯାଇପାରିବ ନାହିଁ । ଦୁଇ ବର୍ଷ ପରେ ବହୁ ନୂଆ ନୋଟ୍ ବ୍ୟବହାର ଅନୁପଯୋଗୀ ହୋଇଯାଇଛି । ଏଟିଏମରେ ମଧ୍ୟ ତାହାକୁ ଭର୍ତି କରାଯାଇପାରିବ ନାହିଁ । କାରଣ ନୋଟର ମାନ ଖରାପ ହୋଇଯାଇଥିବାରୁ ଏଟିଏମ ସେନ୍ସର୍ ସେଗୁଡ଼ିକୁ ଠିକ୍ ଭାବେ ଚିହ୍ନଟ କରିପାରୁ ନାହିଁ ।

 

ନୂଆ ଦୁଇ ହଜାର ଟଙ୍କିଆ ଠାରୁ ଆରମ୍ଭ କରି ନୂଆ ୫୦୦ ଓ ୧୦ ଟଙ୍କିଆ ପର‌୍ୟ୍ୟନ୍ତ ପ୍ରାୟ ସବୁ ପ୍ରକାର ନୋଟ୍ ଏଭଳି ନିମ୍ନ ମାନର କାଗଜରେ ଛପା ଯାଇଛି । ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ନୋଟ୍ ଧୀରେ ଧୀରେ ବ୍ୟବହାର ଅନୁପଯୋଗୀ ହୋଇଗଲାଣି।  ବ୍ୟାଙ୍କ ସ୍ତରରେ ଏଭଳି ଖରାପ ନୋଟ୍ ଗୁଡ଼ିକର ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ସେଗୁଡ଼ିକୁ ‘ବ୍ୟବହାର ଅନୁପଯୋଗୀ’ ବର୍ଗରେ ରଖାଯାଉଛି । କିନ୍ତୁ, ସରକାର କହୁଛନ୍ତି ଯେ, ନୋଟର ମାନ ସହିତ କୌଣସି ପ୍ରକାର ସାଲିସ୍ କରାଯାଇନାହିଁ । ନୂଆ ନୋଟରେ ଅତିରିକ୍ତ ସୁରକ୍ଷା ବୈଶିଷ୍ଟ୍ୟ ବ୍ୟବହାର କରାଯାଇଛି ଓ ସେଗୁଡ଼ିକର ଜାଲ୍ ନୋଟ୍ ବାହାର କରିବା ଅତ୍ୟନ୍ତ କଷ୍ଟକର ବୋଲି ସରକାରୀ ସୂତ୍ରରୁ କୁହାଯାଇଛି ।

https://aajtak.intoday.in/

ଅର୍ଥ ମନ୍ତ୍ରଣାଳୟ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଲୋକମାନଙ୍କ ଯୋଗୁଁ ନୋଟ୍ର ମାନ ଖରାପ ହେଉଛି । ସେମାନେ ନୋଟକୁ ମୋଡ଼ି ମକଚି ପକେଟ୍ ଭିତରେ ରଖନ୍ତି କିମ୍ବା ଶାଢ଼ୀ ଓ ଧୋତିରେ ଗଣ୍ଠି ପକାଇ ରଖନ୍ତି । ସେଥିପାଇଁ ନୋଟ୍ ଗୁଡ଼ିକର ମାନ ଖରାପ ହୋଇଯାଏ ବୋଲି ସେ କହିଛନ୍ତି । ବ୍ୟାଙ୍କଗୁଡ଼ିକ ସେହି ନୋଟ୍ଗୁଡ଼ିକୁ ‘ବ୍ୟବହାର ଅନୁପଯୋଗୀ’ ବର୍ଗରେ ସାମିଲ କରନ୍ତି ଯେଉଁଗୁଡ଼ିକୁ ଏଟିଏମରେ ବ୍ୟବହାର କରାଯାଇପାରେ ନାହିଁ କିମ୍ବା ଯେଉଁ ନୋଟ୍ ଲୋକମାନଙ୍କ ଦ୍ବାରା ସହଜରେ ଗ୍ରହଣୀୟ ହୁଏ ନାହିଁ ।

ଖରାପ ନୋଟ୍ ଗୁଡ଼ିକୁ ଚିହ୍ନଟ କରିବା ପରେ ତାହାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ନିକଟକୁ ପଠାଇ ଦିଆଯାଏ । ରିଜର୍ଭ ବ୍ୟାଙ୍କ ସେଗୁଡ଼ିକୁ ପ୍ରଚଳନରୁ ପ୍ରତ୍ୟାହାର କରିନେଇଥାନ୍ତି । ଚିରା ଫଟା ନୋଟ୍ ଗୁଡ଼ିକୁ ମଧ୍ୟ ବ୍ୟବହାର ଅନୁପଯୋଗୀ ନୋଟ୍ ବର୍ଗରେ ସାମିଲ କରାଯାଏ । ନୋଟ୍ ଗୁଡ଼ିକୁ ବ୍ୟବହାର ଅନୁପଯୋଗୀ ବର୍ଗରେ ସାମିଲ ନକରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଥିଲା । କିନ୍ତୁ ପରବର୍ତି ସମୟରେ ଏତେ ଅଧିକ ଖରାପ ନୋଟ୍ ବ୍ୟାଙ୍କ ପାଖରେ ପହଞ୍ଚିଥିଲା ଯେ ସେହି ନିୟମ କୋହଳ କରିବାକୁ ରିଜର୍ଭ ବ୍ୟାଙ୍କ ବାଧ୍ୟ ହୋଇଥିଲା ।